ଓଡ଼ିଶାଲାଇଭ୍ ବ୍ୟୁରୋ

ହଂକଂ କ୍ରିକେଟ ଦଳର ଅଧିନାୟକ ତଥା ଓଡିଆ ପୁଅ ଅଂଶୁମାନ ରଥ ତାଙ୍କ ଦଳରୁ ଇସ୍ତଫା ଦେଇଛନ୍ତି।  ଭାରତରେ କ୍ରିକେଟ କ୍ୟାରିଅର ଗଢିବା ଲାଗି ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଅଧିନାୟକ ପଦ ସହ ସେ ଦଳରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ଆଗାମୀ ଦିନରେ ସେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ସହ ଓଡ଼ିଶା ତଥା ଦେଶର ଅନ୍ୟରାଜ୍ୟର ରଣଜୀ କ୍ରିକେଟ ଦଳରେ ସାମିଲ ହୋଇପାରନ୍ତି।

ଅଂଶୁମାନ ରଥ ହେଉଛନ୍ତି ଜଣେ ଓଡ଼ିଆ। ସେ ୧୯୯୭ ମସିହାରେ ହଂକଂରେ ଜନ୍ମଗ୍ରହଣ କରିଥିଲେ। ହେଲେ ତାଙ୍କ ବାପା ମା ଓଡ଼ିଆ ହେବା କାରଣରୁ ତାଙ୍କ ପାଖରେ ଭାରତୀୟ ନାଗରିକତ୍ୱ ଅଛି। ସେ ମାତ୍ର ୧୫ବର୍ଷ ବୟସରେ ହଂକଂ ଜାତୀୟ ଦଳରେ ସାମିଲ ହୋଇଥିଲେ। ଏହାପରେ ସେ ୨୦୧୮ ମସିହାରେ ଏସିଆ କପରେ ହଂକଂ ଦଳର ଅଧିନାୟକ ନିଯୁକ୍ତ ହୋଇଥିଲେ।

ତାଙ୍କ ନେତୃତ୍ୱରେ ଏସିଆ କପରେ ଭାରତ ସହ ଲିଗ୍ ମ୍ୟାଚରେ ହଂକଂ ଦଳ ଚତ୍ମକାର ପ୍ରଦର୍ଶନ କରିଥିଲା। ଏହି ମ୍ୟାଚରେ ଅଂଶୁମାନ ଓ ନିଜାକତ୍ ଖାନଙ୍କ ଓପନିଂ ଭାଗିଦାରୀରେ ମୋଟ ୧୭୪ ରନ୍ କରିଥିଲେ। ଯାହା ସମସ୍ତଙ୍କୁ ଆଶ୍ଟର୍ଯ୍ୟ କରିବା ସହ ଭାରତ ମ୍ୟାଚ୍ ହାରିଯିବାର ଭୟ ମଧ୍ୟ ଦେଖାଦେଇଥିଲା।

ବର୍ତ୍ତମାନ ସେ ହଂକଂ ଦଳ ଛାଡି ଭାରତରେ କ୍ରିକେଟ କ୍ୟାରିଅର ପାଇଁ ଆଶା ରଖିଛନ୍ତି। ଏଥିପାଇଁ ତାଙ୍କ ଟୁଇଟର୍ ଆକାଉଣ୍ଟରେ ଅନେକ ଶୁଭେଚ୍ଛା ମଧ୍ୟ ମିଳିଛି। କ୍ରିକେଟ ବିଶେଷଜ୍ଞ ହର୍ଷା ଭୋଗଲେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ଆଗାମୀ ଦିନରେ ତାଙ୍କୁ ଭାରତରେ ରଣଜୀ ଟ୍ରଫି ଖେଳୁଥିବା ଦେଖିବାକୁ ସେ ଆଶାବାଦୀ ଥିବା ନେଇ ଟୁଇଟରରେ ଲେଖିଛନ୍ତି।

Comment