ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଛି ବିଧାୟକଙ୍କ ଟ୍ରେନିଂ। ଦୁଇଦିନ ଧରି ହେବାକୁ ଥିବା ଏହି କର୍ମଶାଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଏହି କର୍ମଶାଳାରେ ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିବା ସମସ୍ତ ବିଧାୟକଙ୍କୁ ବିଧାନସଭାର ପାଠ ପଢ଼ାଇବେ କେନ୍ଦ୍ରୀୟ ଅଧିକାରୀ।

ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, “ଜନତାଙ୍କ ପ୍ରତି ଜନପ୍ରତିନିଧିମାନେ ସବୁବେଳେ ଉତ୍ତମ ଆଚରଣ କରିବା ଉଚିତ୍। ଗଣତନ୍ତ୍ରରେ ଜନତା ହିଁ ପ୍ରଥମ। ସମସ୍ତ ଜନପ୍ରତିନିଧି ଜନତାଙ୍କର କଥା ଶୁଣି ତାଙ୍କୁ ସୁହାଇଲା ପରି ବିଭିନ୍ନ ନିୟମ ତଥା ଆଇନ୍ ବିଷୟରେ ବିଧାନସଭାରେ ଉପସ୍ଥାପିତ କରିବା ଉଚିତ୍।”

ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ବିଧାୟକ ବିଧାୟିକାଙ୍କୁ ଶାଳୀନତା ଓ ସରଳତାର ପାଠ ପଢାଇଛନ୍ତି। ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଧାୟକମାନଙ୍କୁ ଟେକ୍ନୋଲୋଜିର ପାଠ ପଢାଇଛନ୍ତି। ବିଧାନସଭାରେ କିଭଳି ବିଭିନ୍ନ ପ୍ରକାର ଟେକ୍ନୋଲୋଜିକୁ ନେଇ କାମ କରିହେବ ସେ ଉପରେ ବିଧାୟକଙ୍କୁ ଜ୍ଞାନ ଦେଇଛନ୍ତି ବାଚସ୍ପତି।

ଏହି ଦୁଇଦିନିଆ କର୍ମଶାଳାରେ ଶୁକ୍ରବାର ବିଧାୟକମାନଙ୍କୁ ବିଧାନସଭାର ପାଠ ସହ ସମ୍ବିଧାନ ସମ୍ବନ୍ଧିତ ବିଭିନ୍ନ ଆଇନ୍ କାନୁନ୍ ବିଷୟରେ ଆଲୋଚନା ହେବ। ଏହି ଦିନ ବିଧାନସଭାରେ ବିଧାୟକମାନେ କିଭଳି ନିଜର ବକ୍ତବ୍ୟ ରଖିବେ, କେମିତି ମନ୍ତ୍ରୀମାନଙ୍କୁ ପ୍ରଶ୍ନ କରିବେ, ପ୍ରଶ୍ନକାଳରେ କେମିତି ଆଲୋଚନା ହେବ ଆଦି ବିଷୟ ଉପରେ ଆଲୋଚନା ହେବ।

ସେହିପରି କର୍ମଶାଳାର ଦ୍ୱିତୀୟ ଦିନରେ ବିଧାନସଭାର ବଜେଟ ସମ୍ବନ୍ଧରେ ବିଧାୟକଙ୍କୁ ପାଠ ପଢାହେବ। ଏଥିସହ ଜଣେ ବିଧାୟକ କିଭଳି ଜଣେ ପ୍ରଭାବୀ ବିଧାୟକ ହୋଇପାରିବ ଏବଂ ନିଜ ଅଂଚଳର ଲୋକମାନଙ୍କ ଅସୁବିଧାର ସମାଧାନ କରିପାରିବେ ସେ ସମ୍ବନ୍ଧରେ ଜ୍ଞାନ ଆହରଣ କରିବେ।

Comment