ଓଡ଼ିଶାଲାଇଭ ବ୍ୟୁରୋ

ନଦୀରେ ବଢ଼ି ପାଣି। କେଉଁଠି ବେକେ ତ କେଉଁଠି ଅଣ୍ଟାଏ। ଏଭଳି ବିପଦ ଭିତରେ ଜୀବନକୁ ବାଜି ଲଗାଇ ସାପୁଆ ନଦୀ ପାର ହୋଇ ସ୍କୁଲ ପିଲାଙ୍କୁ ପାଠ ପଢ଼ାଇବାକୁ ଯାଆନ୍ତି ବିନି ଦିଦି। ଉଚ୍ଛୁଳା ନଦୀ ଭିତରେ ସବୁଦିନ ଭ୍ୟାନିଟ ବ୍ୟାଗ ଉପରକୁ ଟେକି ନଦୀ ପାର ହୋଇଥାନ୍ତି ଦିଦି। ନଦୀରେ ଗୋଡ଼ ଖସିଲେ ଜୀବନ ଯିବାର ସମ୍ଭାବନ ଅଧିକ ହେଲେ ଏହାକୁ ଖାତିର ନକରି ଛୋଟ ଛୋଟ ପିଲାଙ୍କ ଭବିଷ୍ୟତ ଗଢ଼ିବାକୁ ନଦୀ ପାର ହୋଇ ନିତିଦିନ ସ୍କୁଲ ଯାଆନ୍ତି ଦିଦି।

ବିନି ଦିଦିଙ୍କ ପୂରା ନାଁ ବିନୋଦିନି ସାମଲ। ଘର ଢେଙ୍କାନାଳ ଜିଲ୍ଲା ଜରିପାଳ ଗାଁରେ। ଦୀର୍ଘ ୧୦ ବର୍ଷ ହେବ ନଦୀ ଆରପଟେ ଥିବା ରଥିଆପାଳ ଉଚ୍ଚ ପ୍ରାଥମିକ ସ୍କୁଲକୁ ଏଭଳି ଯିବା ଆସିବା କରୁଛନ୍ତି। ସେଠାରେ ୟୁନିଫର୍ମ ବଦଳାଇ କୁନିକୁନି ପିଲାଙ୍କୁ ପାଠ ପଢ଼ାଇଥାନ୍ତି।

ବର୍ଷାଦିନ ଚାରି ମାସ ତାଙ୍କୁ ଏହି ଭଳି ସ୍କୁଲ ଯିବାକୁ ପଡ଼ିଥାଏ। ରଥିଆପାଳ ସ୍କୁଲରେ ୫୩ଜଣ ପିଲା ପଢ଼ନ୍ତି। ତାଙ୍କୁ ନେଇ ୩ଜଣ ଶିକ୍ଷକ ଶିକ୍ଷୟତ୍ରୀ ବି ଅଛନ୍ତି। ହେଲେ ପିଲାଠୁ ଅଭିଭାବକ ଯାଏଁ ସମସ୍ତଙ୍କ ଭରସା ବିନି ଦିଦି। ସେଥିପାଇଁ ତ ପିଲାଙ୍କ ଭବିଷ୍ୟତ ପାଇଁ ନିଜ ଜୀବନକୁ ବାଜି ଲଗାଇଛନ୍ତି ଏହି ଶିକ୍ଷୟତ୍ରୀ ଜଣକ।

କେବଳ ବିନି ଦିଦି ନୁହେଁ ସ୍କୁଲ ପିଲା ମଧ୍ୟ ଯିବା ଆସିବା ପାଇଁ ନଦୀ ପାର ହୋଇଥାନ୍ତି। ସ୍କୁଲ ଯିବା ବେଳେ ଅବିଭାବକମାନେ କାନ୍ଧରେ ବସାଇ ନଦୀ ପାର କରିଥାନ୍ତି। ପୁଣି ସ୍କୁଲ ଛୁଟି ହେଲେ ନଦୀ ପାଖରେ ବସିଥାନ୍ତି ତାଙ୍କୁ ଆଣିବା ପାଇଁ। ବେଳେ ବେଳେ ନଦୀରେ ଅଧିକ ପାଣି ଆସିଲେ ପିଲାଙ୍କ ସ୍କୁଲ ବନ୍ଦ ହୋଇଥାଏ।

ବହୁଦିନ ହେବ ଏହିପରି ଭାବରେ ନଦୀ ପାର ହୋଇ ଲୋକମାନେ ଯିବା ଆସିବା କରୁଥିବା ବେଳେ ପୋଲଟିଏ ନିର୍ମାଣ ହୋଇ ପାରୁନାହିଁ। ଦିଦିଙ୍କ କର୍ତ୍ତବ୍ୟ ଆଗରେ ସିନା ପ୍ରତିବନ୍ଧକ ହାର ମାନିଯାଉଛି। ହେଲେ ନଦୀରେ ପାଣି ବଢ଼ିଲେ ଅନେକ ପିଲାଙ୍କୁ ସ୍କୁଲ ବନ୍ଦ ରହୁଛି।

LEAVE A REPLY

Please enter your comment!
Please enter your name here