ଓଡ଼ିଶାଲାଇଭ୍‌ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଆଜି ଥିଲା ମାସର ଦ୍ୱିତୀୟ ଶନିବାର। ସରକାରୀ କାର୍ଯ୍ୟାଳୟ ଛୁଟି। ହେଲେ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଛୁଟି ଦିନରେ ଲୋକଙ୍କ ପାଖକୁ ଚାଲି ଆସିଥିଲେ। ଗୁଲନଗର ଗାଁ ଦାଣ୍ଡରେ ଲୋକଙ୍କ ଅଭିଯୋଗ ଶୁଣିଥିଲେ।

ଗୁଲନଗର ଗ୍ରାମବାସୀମାନଙ୍କର ଅନେକ ଅଭିଯୋଗ ପୂର୍ବରୁ ଜିଲ୍ଲାପାଳଙ୍କ କାନରେ ପଡିଥିଲା। ତେବେ ଆଜି ବିଭାଗୀୟ ଅଧିକାରୀମାନଙ୍କୁ ସାଙ୍ଗରେ ଧରି ଜିଲ୍ଲାପାଳ ହଠାତ ଗାଁରେ ପହଞ୍ଚିବା ଦେଖି ଗାଁ ଲୋକ ଚକିତ ହୋଇଯାଇଥିଲେ।

ନିକଟରେ ଗାଁର ମୁଖ୍ୟ ରାସ୍ତା ନିର୍ମାଣ ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଏଥିରେ ଦେଢ କୋଟି ଖର୍ଚ୍ଚ କରିଛନ୍ତି। ବିଭାଗୀୟ ଯନ୍ତ୍ରୀ କୁଆଡେ କାମର ତଦାରଖ ନକରିବାରୁ ରାସ୍ତାର ସମସ୍ୟା ବଢି ଯାଇଛି। ରାସ୍ତାରେ ପାଣି ଜମି ରହୁଥିବାରୁ ଲୋକେ ଚିନ୍ତାରେ ପଡ଼ିଥିଲେ। ଜିଲ୍ଲାପାଳ ଏହି ଦୃଶ୍ୟ ଦେଖି ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦାୟୀ କରିଥିଲେ। ତୁରନ୍ତ ରାସ୍ତାରେ ଜମି ରହୁଥିବା ପାଣି ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। ରାସ୍ତା କଡରେ ଡ୍ରେନ ନିର୍ମାଣ କରି ବର୍ଷା ପାଣିକୁ ଗୋବରୀ ନଦୀକୁ ଛାଡିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରସ୍ତାବ ଦେଇଛି। ତୁରନ୍ତ ତହସିଲଦାରଙ୍କୁ ଡକାଇ ଗାଁର ଜବରଦଖଲ ନିର୍ଦ୍ଧାରଣ କରିବାକୁ ଜିଲ୍ଲାପାଳ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହାପରେ ଜିଲ୍ଲାପାଳ ପହଞ୍ଚିଥିଲେ ୪ ବର୍ଷ ତଳେ ନିର୍ମାଣ ହୋଇଥିବା ନୂତନ ସ୍ଵାସ୍ଥ୍ୟ ଉପକେନ୍ଦ୍ର ନିକଟରେ। କୋଟିଏ ଟଙ୍କା ଖର୍ଚ୍ଚରେ ତିଆରି ହୋଇଥିବା ଏଏନ୍ଏମଙ୍କ ବାସଗୃହ ଜଳବନ୍ଦୀ ହୋଇ ରହିଛି। ନା ଘରକୁ ବିଜୁଳି ଅଛି ନା ପାନୀୟ ଜଳ ନା ରାସ୍ତା? ଘର ତିଆରି କରି ସ୍ଵାସ୍ଥ୍ୟ ବିଭାଗ ଚୁପ୍ ହୋଇ ବସିଛି। ଏହି ନୂଆ ଘରେ ମାଡି ଗଲାଣି ଅନାବନା ଗଛଲତା। ତୁରନ୍ତ ଏକ ମାସ ମଧ୍ୟରେ ଏହି ସ୍ଵାସ୍ଥ୍ୟ ଉପକେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବାକୁ ସ୍ଵାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

ଗାଁର ଆରାଧ୍ୟ ଦେବତା ବୁଢା ଗୋବିନ୍ଦ ଠାକୁରଙ୍କ ଜମିବାଡିକୁ କେତେକ ପ୍ରଭାବଶାଳୀ ଲୋକେ ମାଡି ବସିଥିବା ଗାଁ ଲୋକେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ସମସ୍ୟାର ସମାଧାନ କରିବାକୁ ଜିଲ୍ଲାପାଳ ଗାଁର ମୁରବୀମାନଙ୍କ ସହିତ ବସି ଆଲୋଚନା କରିବାକୁ କହିଛନ୍ତି।

ଏହାଛଡା ଗାଁରେ ଥିବା ୧୨ଜଣ ଭୂମିହୀନ ପରିବାରକୁ ପ୍ରଶାସନ ୧୯୯୮ ମସିହାରେ ଭୂମିହୀନ ପଟ୍ଟା ଦେଇଥିଲେ। ହେଲେ ଜମି ଚିହ୍ନଟ କରିନଥିବାରୁ ଶୁଣ୍ଡିପିଣ୍ଢା ହେଉଛନ୍ତି ଏମାନେ। ଏହି ସମସ୍ୟାର ସମାଧାନ କରିବାକୁ କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଗାଁର ଅନେକ ଗରିବ ଲୋକେ ପୂର୍ବରୁ ଇନ୍ଦିରା ଆବାସ ଯୋଜନାରେ କିଛିକିଛି ଟଙ୍କା ପାଇ ଘର ତିଆରି କରିପାରିନାହାନ୍ତି। ଏବେ ଏହି ଘର ତିଆରି କରିବାକୁ ଅଧିକ ଟଙ୍କା ଆବଶ୍ୟକତା ରହିଥିବାରୁ ଘର କରିବା ଏମାନଙ୍କ ପାଇଁ ସ୍ଵପ୍ନ ହୋଇଛି। ତେଣୁ ଏହି ହିତାଧିକାରୀ ଯଦି ସରକାରଙ୍କଠାରୁ ପାଇଥିବା ସହାୟତା ଟଙ୍କାକୁ ସମ୍ପୂର୍ଣ୍ଣ ଫେରସ୍ତ କରିଦେବେ ତେବେ ନୂଆ ଯୋଜନାରେ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦେବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ।

ଗୁଲନଗର ପଞ୍ଚାୟତ ସରପଞ୍ଚ ପିତବାସ ବେହୁରାଙ୍କ ସମେତ ଗ୍ରାମର ବହୁ ବିଶିଷ୍ଟ ବ୍ୟକ୍ତି ଜିଲ୍ଲାପାଳଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

1 COMMENT

  1. Please step on govt employees who are not sending their children to Govt School.Try. To Block their increment as far as possible through Cabinet decision

Comment