ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ସପ୍ତାହକୁ ବିଜେପି ପକ୍ଷରୁ ଦେଶବ୍ୟାପୀ ସେବା ସପ୍ତାହ ଭାବେ ପାଳନ କରାଯାଉଛି। ମୋଦିଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବରରେ ପଡୁଥିବାରୁ ବିଜେପି ପକ୍ଷରୁ ସେପ୍ଟେମ୍ବର ୧୪-୨୦ ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରାଯିବ। ସାରା ରାଜ୍ୟରେ ପୂରା ଏକ ସପ୍ତାହ ଧରି ଏହି ସେବା ସପ୍ତାହ ପାଳନ କରାଯିବ।

ଏହି ସପ୍ତାହରେ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର, ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ଚକ୍ଷୁ ପରୀକ୍ଷା ଏବଂ ଔଷଧ ବଂଟନ ଆଦି ଆୟୋଜନ କରାଯିବ। ଏଥି ସହ ହସ୍ପିଟାଲ, ଅନାଥାଶ୍ରମ ଏବଂ ବୃଦ୍ଧାଶ୍ରମ ମାନଙ୍କରେ ଫଳ ବିତରଣ କରାଯିବ। ଦିବ୍ୟାଙ୍ଗ ମାନଙ୍କର ଶିକ୍ଷା ଏବଂ ପାଳନ ପୋଷଣ ପାଇଁ ବିଭିନ୍ନ ସମାଜିକ ସଙ୍ଗଠନ ମାନଙ୍କ ସହିତ ସହଭାଗୀତରେ ସେବା କାର୍ଯ୍ୟ କରାଯିବା ସହ ବିଜେପି ପକ୍ଷରୁ ସହାୟତା ଯୋଗାଇ ଦିଆଯିବାର କାର୍ଯ୍ୟକ୍ରମ ରହିଛି।

ଭୁବନଶ୍ୱରସ୍ଥିତ ଭରତପୁରଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେବା ସପ୍ତାହର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ବିଶାଳ ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ପରୀକ୍ଷା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜୀବନଧାରା ଏବଂ ଉପଲବ୍ଧୀ ସଂର୍ପକୀତ ଫଟୋ ଚିତ୍ର ପ୍ରଦର୍ଶନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ଯୋଗଦେଇ କହିଥିଲେ ଯେ ମୋଦିଜୀ ରାଜନୀତିକୁ ସେବାର ବ୍ରତ ଭାବେ ଗ୍ରହଣ କରିଛନ୍ତି। ସମାଜର ତୃଣମୂଳ ସ୍ତରରେ ଥିବା ଲୋକଙ୍କୁ ସେବା ଯୋଗାଇ ଦେବା ଭାରତୀୟ ଜନତା ପାର୍ଟିର ମୂଳ ଧର୍ମ। ସେବା ଧର୍ମ ଏବଂ ଭାବନାକୁ ନେଇ ବିଜେପି କାର୍ଯ୍ୟ କରୁଛି। ପ୍ରଧାନମନ୍ତ୍ରୀ ବ୍ୟବସ୍ଥାରେ ପବିବର୍ତ୍ତନ ଆଣିଛନ୍ତି। ବିଭିନ୍ନ ଯୋଜନାର ସବସିଡ୍‌ ସିଧା ଲୋକଙ୍କ ଆକାଉଣ୍ଟରେ ପହଞ୍ଚୁଛି।

‘‘ପ୍ରଧାନମନ୍ତ୍ରୀ ମୋଦି  ୩୬୫ ଦିନ ଧରି ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି। ସମସ୍ତ ଯୋଜନା କିପରି ଲୋକଙ୍କୁ ଲାଭାନ୍ୱିତ କରିବ ସେ ନେଇ ପ୍ରଧାନମନ୍ତ୍ରୀ ସବୁ ସମୟରେ କାର୍ଯ୍ୟ କରିଥାନ୍ତି। ପ୍ରତି ପରିବାରକୁ ଶୌଚାଳୟ, ଛାତ ଘର, ବିଜୁଳି, ଉଜ୍ଜଳା ଗ୍ୟାସ ଏବଂ ପାଇପ ଯୋଗେ ପିଇବା ପାଣି ପହଞ୍ଚାଇବା ପ୍ରଧାନମନ୍ତ୍ରୀଙ୍କ ସେବା ମନବୃତ୍ତିର ପରିଚୟ’’, କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।

‘‘ସ୍ୱାଧୀନତାଠାରୁ ଆଜି ପର୍ଯ୍ୟନ୍ତ ଦେଶର ବିକାଶ ଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ଦେଶର ଗରିବ  ସବୁଠୁ ବେଶୀ ଲାଭାନ୍ୱିତ ହୋଇଛନ୍ତି। ଜଳ ସଂରକ୍ଷଣ ଓ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ବର୍ଜନ କରିବା ସହ ଏହାର ଜନସଚେତନତା ମୋଦିଙ୍କ ଜନ୍ମଦିନରେ ସର୍ବଶ୍ରେଷ୍ଠ ଉପହାର ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶକୁ ପୁନଃନିର୍ମାଣ କରିବାର ଲକ୍ଷ୍ୟ ‘ସେବା ସପ୍ତାହ’ ମାଧ୍ୟମରେ ସାକାର ହୋଇପାରିବ ଏବଂ ଏଥିପାଇଁ ୧୨୫ କୋଟି ଲୋକଙ୍କୁ ନିଜେ ଦାୟିତ୍ୱ ନେଇ ପାଦେ ଆଗକୁ ବଢିବା ପାଇଁ ପଡିବ’’, କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ଏହି ଅବସରରେ ପ୍ରଖ୍ୟାତ ଚିତ୍ରଶିଳ୍ପୀ ଶ୍ୟାମସୁନ୍ଦର ଆଚାର୍ଯ୍ୟ ଏକ ଚିତ୍ରଶିଳ୍ପ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମସ୍ତଙ୍କୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବର୍ଜନ ଓ ଜଳ ସଂରକ୍ଷଣ ପାଇଁ ଶପଥପାଠ କରାଇଥିଲେ।

ସେବା ସପ୍ତାହ ଅବସରରେ କେନ୍ଦ୍ରମନ୍ତ୍ରୀ ଦିବ୍ୟାଙ୍ଗମାନଙ୍କୁ ବିଭିନ୍ନ ଉପକରଣ ବଣ୍ଟନ କରିଥିଲେ। ସୁଜାତା ବେହେରାଙ୍କୁ ସ୍ମାର୍ଟଫୋନ, କିଶୋର ଭତରାଙ୍କୁ ସ୍ମାର୍ଟ ଫୋନ ଏବଂ ସ୍ମାର୍ଟ କେନ, ଦୁର୍ଲଭ ଚନ୍ଦ୍ର ମାଝିଙ୍କୁ ଟାବଲେଟ ଓ ସ୍ମାର୍ଟ କେନ, ରଘୁ ବାସ୍କା, ସୁକାନ୍ତି ସାହୁ ଓ ଅନିତା ମହାରଣାଙ୍କୁ ଶ୍ରବଣ ଯନ୍ତ୍ର, ନମିତା ପାଣ୍ଡବ ଓ ଆଶା ଗଡତିଆଙ୍କୁ ହ୍ୱିଲ ଚେୟାର ପ୍ରଦାନ କରିଥିଲେ।

ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କ ସମେତ ରାଜ୍ୟ ସହ ସଂଯୋଜକ ମହେଶ ମହାନ୍ତି, ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ, ବରିଷ୍ଠ ନେତା ଖାରବେଳ ସ୍ୱାଇଁ, ପ୍ରଦୀପ ପୁରୋହିତ, ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର, ଦିଲ୍ଲୀପ ମହାନ୍ତି, ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ୍ ଦାଶ ଏବଂ ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Comment