ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ପ୍ରତିବର୍ଷ ପରି ଚଳିତବର୍ଷ ନିଜର ଜନ୍ମଦିନକୁ ଭିନ୍ନ ଭାବରେ ପାଳନ କରିଛନ୍ତି ଅଙ୍କିତା ସ ଫାଉଣ୍ଡେସନର ଅଧ୍ୟକ୍ଷା ତଥା ମିସ ବାଲେଶ୍ଵର ଅଙ୍କିତା। ସବୁ ବର୍ଷ ନିଜ ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କରିଥା’ନ୍ତି ସମାଜସେବୀ ଅଙ୍କିତା ସ। ଏଥର ମଧ୍ୟ ସେପ୍ଟେମ୍ବର ୧୨ରେ ଏକ ହୋଟେଲରେ ବାଲେଶ୍ୱର ରାଣୀପାଟଣା ଦୃଷ୍ଟିହୀନ ବିଦ୍ୟାଳୟର ୧୧୦ ଜଣ ଦୃଷ୍ଟିହୀନ ପିଲାମାନଙ୍କ ସହ ନିଜ ଜନ୍ମଦିନ ପାଳିଛନ୍ତି।

ସେମାନେ ହିଁ ଥିଲେ ସେଦିନର ଆଖିଝଲସା ଜନ୍ମୋତ୍ସବର ଅତିଥି। ଦେଖି ପାରୁନଥିଲେ ସିନା, କିନ୍ତୁ ମୁହଁର ହସ ହସ ଭାବରୁ ଜଣାପଡୁଥିଲା ସେମାନଙ୍କ ଅନୁଭବର କଥା। ଏହା ହିଁ ଥିଲା ଅଙ୍କିତାଙ୍କ ସ୍ଵପ୍ନ।

ଅଙ୍କିତା ଆରମ୍ଭରୁ ଗରୀବ ଓ ସମାଜରେ ନିସହାୟ ମଣିଷଙ୍କ ପ୍ରତି ସମ୍ବେଦନଶୀଳ। ସମାଜର ଏଇ ଏଭଳି ଲୋକଙ୍କ ଶିକ୍ଷା ଓ ଚଳଣିରେ ସୁଧାର ଆଣିବା ପାଇଁ ସେ ନିଜ ଉଦ୍ୟମରେ ଆରମ୍ଭ କରିଛନ୍ତି ନିଜ ନାମରେ ଏକ ଫାଉଣ୍ଡେସନ। ସମାଜସେବାରେ ଆନନ୍ଦ ଓ ଆତ୍ମସନ୍ତୋଷ ଲାଭ କରୁଥିବା ଅଙ୍କିତା ବିଗତ ଦିନରେ ଗରିବ ପିଲାଙ୍କୁ ଉଚ୍ଚ ଶିକ୍ଷା ପାଇଁ ଆର୍ଥିକ ସହଯୋଗ ଦେଇ ଆସିଛନ୍ତି।

ନିଜ ଜନ୍ମଦିନକୁ ଚଳିତ ବର୍ଷ ଦୃଷ୍ଟିହୀନ ବିଦ୍ୟାର୍ଥୀଙ୍କ ମେଳରେ ପାଳନ କରିବା ପାଇଁ ଅଙ୍କିତା ସହରର ଏକ ଘ‌େରୋଇ ହୋଟେଲରେ ଉତ୍ସବର ଆୟୋଜନ କରିଥିଲେ। ବିଦ୍ୟାର୍ଥୀଙ୍କ ସମେତ ବିଦ୍ୟାଳୟର ୧୫ ଜଣ ଶିକ୍ଷକ ଓ ଅଣଶିକ୍ଷକ ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ଥିଲେ। ଅଙ୍କିତାଙ୍କ ପରିବାର ଓ ଅଙ୍କିତା ସ ଫାଉଣ୍ଡେସନ୍‌ର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଏହି ଜନ୍ମଦିନ ଉତ୍ସବକୁ ପାଳନ କରିଥିଲେ।

ଜନ୍ମଦିନ ଅବସରରେ ପାରମ୍ପରିକ କେକ୍ କାଟାଯିବା ପରେ ଅଙ୍କିତା ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ନିଜ ହାତରେ କେକ୍ ଖୁଆଇଥିଲେ। ପରେ ଦୃଷ୍ଟିହୀନ ପିଲାଙ୍କର ନିଜ ମନପସନ୍ଦର ଖାଦ୍ୟ ପରଷା ଯାଇଥିଲା।

ଶେଷରେ ଦୃଷ୍ଟିହୀନ ପିଲାମାନେ ନିଜ ନିଜର ଅନୁଭବ ବାଣ୍ଟିଥିଲେ।

Comment