ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

  • ସରକାରଙ୍କ କାଳିଆ ଟେନ୍‌ସନ୍‌
  • ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ
  • ୧୨ ହଜାର ବଡ଼ ଚାଷୀ ନେଇଛନ୍ତି ସହାୟତା
  • ୧୦ ହଜାର ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀଙ୍କୁ କଆଳିଆ ଟଙ୍କା
  • ନାବାଳକ ବି ପାଇଛନ୍ତି କାଳିଆ ସହାୟତା

କ୍ଷୁଦ୍ର, ନାମମାତ୍ର ଚାଷୀ, ଭୂମିହୀନ ଶ୍ରମିକଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିଲେ ‘କାଳିଆ’ ଯୋଜନା। କିନ୍ତୁ କାଳିଆ ଯୋଜନା ବାଟବଣା ହୋଇଯାଇଥିବା ସରକାର ଏବେ ସତ ମାନିଛନ୍ତି। ଯେଉଁମାନଙ୍କ ପାଇଁ ଏହି ଯୋଜନା ପ୍ରଣୟନ ହୋଇଥିଲା ବାସ୍ତବରେ ସେମାନଙ୍କ ଖାତାକୁ କାଳିଆ ଟଙ୍କା ଯାଇନି।

ସରକାରୀ କର୍ମଚାରୀ, ପେନ୍‌ସନ୍‌ଭୋଗୀ, ନାବାଳକ ଏବଂ ବଡ଼ ଚାଷୀଙ୍କ ଆକାଉଣ୍ଟକୁ କାଳିଆ ଟଙ୍କା ଯାଇଥିବା କୃଷିମନ୍ତ୍ରୀ ଡକ୍ଟର ଅରୁଣ ସାହୁ କହିଛନ୍ତି।

ଯେଉଁ ସରକାରୀ କର୍ମଚାରୀ କାଳିଆ ଟଙ୍କା ପାଇଛନ୍ତି ସେମାନଙ୍କ ଦରମାରୁ, ପନ୍‌ସନ୍‌ଭୋଗୀଙ୍କ ପେନ୍‌ସନ୍‌ ଟଙ୍କାରୁ ଏହା ଭରଣା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ନାବାଳକ ଏବଂ ବଡ଼ ଚାଷୀଙ୍କଠାରୁ କେମିତି ଟଙ୍କା ଭରଣା କରାଯିବ ତାହା ଏବେ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି।

ଏହାସହ ସରକାରୀ କର୍ମଚାରୀ ଏବଂ ପେନ୍‌ସନ୍‌ଭୋଗୀଙ୍କୁ ‘କାଳିଆ’ ସହାୟତା କେମିତି ଦିଆଗଲା ତାକୁ ନେଇ ଏବେ ରାଜନୀତି ହଲ୍‌ଚଲ୍‌ ହୋଇଛି।

ସରକାରୀଙ୍କ ଚାକିରିଆଙ୍କୁ କାହିଁକି?

କାଳିଆ ଯୋଜନା ଶୁଭାରମ୍ଭ ବେଳେ ରାଜ୍ୟ ସରକାର ୭୧ ଲକ୍ଷ ପରିବାରକୁ ସହାୟତା ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ। ନିର୍ବାଚନ ପୂର୍ବରୁ ଏବଂ ନିର୍ବାଚନ ପରେ ଦୁଇଟି କିସ୍ତିରେ ଟଙ୍କା ଦିଆଯାଇଥିଲା। ଏହି ଦୁଇଟି କିସ୍ତିରେ ରାଜ୍ୟ ସରକାର ୫୧ ଲକ୍ଷଙ୍କୁ କାଳିଆ ସହାୟତା ଦେଇଥିଲେ। ହେଲେ ଏମାନଙ୍କ ଭିତରୁ ୨୦ ହଜାର ସରକାରୀ ଚାକିରିଆ ଓ ପେନ୍‌ସନ୍‌ଭୋଗୀ ରହିଥିବା ସରକାର ସ୍ପଷ୍ଟ କରିଛନ୍ତି।

ତେବେ ପ୍ରଶ୍ନ ଉଠୁଛି ସରକାରୀ ଚାକିରିଆ ଓ ପେନ୍‌ସନ୍‌ ଉପଭୋକ୍ତାଙ୍କୁ ଟଙ୍କା ଦେଲା କିଏ? କେଉଁ ଆଧାରରେ ଏମାନଙ୍କୁ କାଳିଆ ଟଙ୍କା ଦିଆଗଲା? ସରକାର କ’ଣ ଆଖି ବନ୍ଦ କରି ଟଙ୍କା ବାଣ୍ଟୁଥିଲେ କି?

କାଳିଆ ଯୋଜନା ଶୁଭାରମ୍ଭ ବେଳେ ସରକାର ବିଭିନ୍ନ ଗଣମାଧ୍ୟମରେ ବିଜ୍ଞାପନ ଦେଇଥିଲେ। କେଉଁମାନଙ୍କୁ ଏହି ଟଙ୍କା ମିଳିବ ତା’ ଉପରେ ସ୍ପଷ୍ଟିକରଣ ଦେଇଥିଲେ। ଗାଁ ଗହଳିର ଲୋକେ ପଞ୍ଚାୟତ ଅଫିସ୍‌ରେ ଲମ୍ବା ଲାଇନ୍ ଲଗାଇ କାଳିଆ ଯୋଜନାରେ ଆବେଦନ କରିଥିଲେ। ଆଧାରକାର୍ଡ, ଭୋଟ ପରିଚୟପତ୍ର, ଘରଡିହ ଏବଂ ଜମିଜମା ପଟ୍ଟା ସାଙ୍ଗରେ ବ୍ୟାକ୍‌ ପାସ୍‌ବୁକ୍‌ର ଜେରକ୍ସ କପି ଦେଇଥିଲେ।

ଅନଲାଇନରେ ଚାଷୀଙ୍କ ନାଁ ପଞ୍ଜିକରଣ ହେବା ପରେ କିଏ କଟିଲେ ଏବଂ କିଏ ରହିଲେ ତାର ତାଲିକା ପଞ୍ଚାୟତ ଅଫିସ୍‌ର ନୋଟିସ ବୋର୍ଡରେ ପ୍ରକାଶ ପାଇଥିଲା। ଏତେସବୁ ପ୍ରକ୍ରିୟା ପରେ ବଡ଼ ବଡ଼ିଆ ଏବଂ ସରକାରୀ ବାବୁମାନେ କେମିତି କାଳିଆ ଟଙ୍କା ପାଇଲେ ତାହା ସରକାରଙ୍କ ସ୍ୱଚ୍ଛତା ଉପରକୁ ଆଙ୍ଗୁଳି ଉଠାଇଛି।

ନାବାଳକ ଓ ବଡ଼ ଚାଷୀଙ୍କଠାରୁ କେମିତି ଆଦାୟ ହେବ?

ମୋଟ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ କାଳିଆ ଟଙ୍କା ନେଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଏମାନଙ୍କ ଭିତରେ ୧୨ ହଜାର ବଡ଼ ଚାଷୀ ରହିଥିବା ବେଳେ ୯ ହଜାର ନାବାଳକ ଓ ନାବାଳିକା ମଧ୍ୟ କାଳିଆ ସହାୟତା ନେଇଥିବା ସରକାର ସ୍ପଷ୍ଟ କରିଛନ୍ତି।

ସରକାରୀ କର୍ମଚାରୀ ଏବଂ ପେନ୍‌ସନ୍‌ଭୋଗୀଙ୍କଠାରୁ ସରକାର ସିନା କାଳିଆ ଟଙ୍କା ଭରଣା କରିଦେବେ, ହେଲେ ନାବାଳକ ଓ ବଡ଼ ଚାଷୀଙ୍କଠାରୁ କେମିତି ଏହି ଟଙ୍କା ଆଦାୟ କରିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଭୋଟ ପାଇଁ ତରବର

କ୍ଷୁଦ୍ର, ନାମମାତ୍ର ଚାଷୀ, ଭୂମିହୀନ ଶ୍ରମିକଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିଲେ ‘କାଳିଆ’ ଯୋଜନା। ନିର୍ବାଚନ ପୂର୍ବରୁ ଏହି ଯୋଜନା ଶୁଭାରମ୍ଭ ହୋଇଥିଲା।

ହିତାଧିକାରୀମାନେ ପଞ୍ଚାୟତ ଅଫିସକୁ ଆସି ଲମ୍ବା ଲାଇନରେ ଛିଡ଼ା ହୋଇ ପକାଇଲେ। ହିତାଧିକାରୀଙ୍କ ନାଁ ସରକାରଙ୍କ ୱେବ୍‌ ସାଇଟ୍‌ରେ ପଞ୍ଜିକୃତ ହେବା ପରେ ଯାଞ୍ଚ କରାଗଲା। ନିର୍ବାଚନ ପୂର୍ବରୁ ହିତାଧିକାରୀଙ୍କୁ ୫ ହଜାର ଲେଖାଏଁ ଟଙ୍କା ଆକାଉଣ୍ଟରେ ଦିଆଯାଇଥିଲା।

ଆଦର୍ଶ ଆଚରଣ ବିଧି ଲାଗୁ ହେବାରୁ କିଛି ହିତାଧିକାରୀ ନିର୍ବାଚନ ପୂର୍ବରୁ କାଳିଆ ଟଙ୍କା ପାଇବାରୁ ବଞ୍ଚିତ ହୋଇଥିଲେ। ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ସମାବେଶ କରି ଚାଷୀଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସରକାର ଗଠନ ହେବାର ପ୍ରଥମ ଦିନ ହିଁ ବାକି ଥିବା ହିତାଧିକାରୀଙ୍କୁ ଟଙ୍କା ଦିଆଯିବ।

ସରକାର ଗଠନ ପରେ କିଛି ହିତାଧିକାରୀଙ୍କୁ ଟଙ୍କା ପଠାଗଲା। ହେଲେ ସରକାର ଗଠନ ହେବା ପରେ ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କଲେ ସରକାର। ଭୋଟ ପାଇଁ ସରକାର ବାଛ ବିଚାର ନକରି କାଳିଆ ଟଙ୍କା ତରବରିଆ ଭାବେ ଦେଇଥିବା ବେଳେ ଏବେ କହିଁକି ଟଙ୍କା ନେବା ପାଇଁ ବ୍ୟାକୁଳ ତାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି।

ନିର୍ବାଚନ ଶେଷ ହେବା ପରେ ସରକାରଙ୍କ ଗଳାରେ କାଳିଆ ଯୋଜନା କଣ୍ଟା ହୋଇ ଲାଗିଛି। ମୁଖ୍ୟ କଥା ହେଉଛି ରାଜ୍ୟ ରାଜକୋଷରୁ ସରକାର ଯେଉଁ ଟଙ୍କା ଦେଇଥିଲେ ତାହା ଠିକ୍‌ ଲୋକଙ୍କ ପାଖରେ ପହଞ୍ଚି ନଥିବା ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସିଥିଲା। ଏହାପରେ ସରକାର ଯୋଗ, ଅଯୋଗ୍ୟ ବାଛିବା ପାଇଁ ତତ୍ପର ହୋଇ ଉଠିଲେ।

Comment