ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ରିକେଟରେ ଜଣେ କ୍ୟାପଟେନର ଭୂମିକା ନିହାତି ପକ୍ଷେ ଗୁରୁତ୍ୱପୂର୍ଣ୍ଣ। କ୍ୟାପଟେନର ସଠିକ୍ ଗେମ୍ ପ୍ଲାନ ଗୋଟିଏ ଦଳକୁ ମ୍ୟାଚରେ ବିଜୟୀ କରାଇପାରେ। ତେବେ ଏହାସହ କ୍ରିକେଟରେ ୱିକେଟକିପିଂ ମଧ୍ୟ ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ ବୋଲି ମନେକରାଯାଏ।

ତେବେ କ୍ରିକେଟରେ ଏମିତି କିଛି ଖେଳାଳି ଅଛନ୍ତି ଯେଉଁମାନେ ଏହି ଦୁଇଟି କଠିନ କାମ ଏକାସାଙ୍ଗରେ କରିଥାନ୍ତି। ବିଶ୍ୱରେ ବହୁତ କମ୍ ଖେଳାଳି ଏକାସାଙ୍ଗରେ ୱିକେଟକିପିଂ ଓ  ଅଧିନାୟକ ଭାର ସମ୍ଭାଳି ପାରିଛନ୍ତି। ଆସନ୍ତୁ ଜାଣିବା ସେମତି କିଛି ଖେଳାଳିଙ୍କ ବିଷୟରେ।

ମହେନ୍ଦ୍ର ସିଂହ ଧୋନି (ଭାରତ)

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନି। ସେ ସଦାସର୍ବଦା ନିଜର ବିଚକ୍ଷଣ ୱିକେଟ୍ କିପିଂ ପାଇଁ ସାରା ବିଶ୍ଵରେ ଲୋକପ୍ରିୟ। ଭାରତକୁ ୨୦୦୭ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଓ ୨୦୧୧ରେ ଦିନିକିଆ ବିଶ୍ୱକପରେ ଅଧିନାୟକ ଭାବରେ ବିଜୟୀ କରାଇଥିଲେ। ଏହାସହ ସେ ଦିନିକିଆରେ ୧୧୦ଟି ,ଟେଷ୍ଟରେ ୨୭ଟି ଓ ଟି-ଟ୍ୱେଣ୍ଟିରେ ୪୧ଟି ମ୍ୟାଚରେ ଅଧିନାୟକ ହୋଇ ଦଳକୁ ଜିତାଇଛନ୍ତି। ସେହିଭଳି ଅନ୍ତର୍ଜାତୀୟ ମ୍ୟାଚରେ ୫୦୦ରୁ ଅଧିକ କ୍ୟାଚ୍ ଓ ୧୫୦ରୁ ଅଧିକ ଷ୍ଟମ୍ପିଙ୍ଗ୍ କରିଛନ୍ତି। ନିଜକୁ ଏକାସାଙ୍ଗରେ ଜଣେ ସଫଳ ଅଧିନାୟକ ସହ ୱିକେଟକିପର ଭାବରେ ପ୍ରତିଷ୍ଠିତ କରିପାରିଛନ୍ତି ଧୋନି।

କୁମାର ସାଙ୍ଗାକାରା (ଶ୍ରୀଲଙ୍କା)

ବିଶ୍ୱରେ ଜଣେ ବାମହାତୀ ୱିକେଟକିପର ବ୍ୟାଟ୍ସମ୍ୟାନ ଭାବରେ କୁମାର ସାଙ୍ଗାକାରା ନିଜକୁ ପ୍ରତିଷ୍ଠିତ କରିପାରିଥିଲେ। ଏହାସହ ସେ ଶ୍ରୀଲଙ୍କା ଦଳର ଅଧିନାୟକ ମଧ୍ୟ ଥିଲେ। ସେ ଅଧିନାୟକ ଭାବେ ୧୫ଟି ଟେଷ୍ଟ, ୪୫ଟି ଦିନିକିଆ ଓ ୨୨ଟି ଟି-ଟ୍ୱେଣ୍ଟିରେ ଶ୍ରୀଲଙ୍କାର ନେତୃତ୍ୱ ନେଇଛନ୍ତି। ସେହିଭଳି ସେ ଦିନିକିଆ ଓ ଟେଷ୍ଟରେ ୧୦ହଜାର ରନ କରିବାରେ ମଧ୍ୟ ସମର୍ଥ ହୋଇଛନ୍ତି। ଏହାସହ ୱିକେଟକିପର ଭାବରେ ସେ ୬୦୦ରୁ ଅଧିକ କ୍ୟାଚ୍ ଓ ୧୦୦ରୁ ଅଧିକ ଷ୍ଟମ୍ପିଙ୍ଗ୍ କରିଛନ୍ତି। ଶ୍ରୀଲଙ୍କା ଦଳ ପାଇଁ ସେ ଜଣେ ସଫଳ ଅଧିନାୟକ ହେବା ସହ ୱିକେଟକିପିଂରେ ମଧ୍ୟ ଗୌରବ ହାସଲ କରିଛନ୍ତି।

ମୁସଫିକର୍ ରହିମ୍ (ବାଂଲାଦେଶ)

ବାଂଲାଦେଶ ଦଳର ସଫଳ ଟେଷ୍ଟ ଅଧିନାୟକ ହେଉଛନ୍ତି ମୁସଫିକର୍ ରହିମ୍। ସେ ବାଂଲାଦେଶ ପାଇଁ ୩୦ଟି ଟେଷ୍ଟ ଓ ୩୭ଟି ଦିନିକିଆରେ ଦଳର ନେତୃତ୍ୱ ନେଇଛନ୍ତି। ଏହାସହ ୱିକେଟ୍ ପଛରେ ମଧ୍ୟ ସେ ଅନେକ ଗୌରବର ଅଧିକାରୀ ହୋଇପାରିଛନ୍ତି। ସେ ଟେଷ୍ଟ ଓ ଦିନିକିଆରେ ୧୦୦ରୁ ଅଧିକ ଲେଖାଏଁ କ୍ୟାଚ୍ ଓ ଷ୍ଟମ୍ପିଙ୍ଗ କରିଛନ୍ତି। ଜଣେ ଅଧିନାୟକ ଓ ୱିକେଟକିପର ଭାବରେ ସେ ଅନେକ ସଫଳତା ହାସଲ କରିପାରିଛନ୍ତି।

ମୋଇନ୍ ଖାନ୍ (ପାକିସ୍ତାନ)

ପାକିସ୍ତାନ କ୍ରିକେଟଦଳର ଜଣେ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ୍ ଭାବରେ ମୋଇନ୍ ଖାନ୍ ବେଶ ପରିଚିତ। ଇନିଂସର ଶେଷ ଆଡ଼କୁ ତାଙ୍କର ବ୍ୟାଟିଂ ଦଳ ପାଇଁ ବେଶ ସହାୟକ ହୋଇଥାଏ। ଜଣେ ୱିକେଟକିପର ଭାବରେ ସେ ଅନ୍ତର୍ଜାତୀୟ କ୍ରିକେଟରେ ୩୦୦ରୁ ଅଧିକ କ୍ୟାଚ୍ ଓ ଷ୍ଟମ୍ପିଙ୍ଗ୍ କରିଛନ୍ତି। ଏହାସହ ସେ ଅଧିନାୟକ ଭାବେ ପାକିସ୍ତାନ ପାଇଁ ୧୩ଟି ଟେଷ୍ଟ ଓ ୩୪ଟି ଦିନିକିଆରେ ଦଳର ନେତୃତ୍ୱ ନେଇଛନ୍ତି। ସେ ୨୦୦୦ ମସିହାରେ ହୋଇଥିବା ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ଦଳର ନେତୃତ୍ୱ ନେଇଥିଲେ।

ଆଣ୍ଡି ଫ୍ଲାୱାର (ଜିମ୍ବାୱେ)

ଜିମ୍ବାୱେ ଦଳର ଜଣେ ସଫଳ ଖେଳାଳି ଭାବରେ ଆଣ୍ଡି ଫ୍ଲାୱାର୍ ନିଜକୁ ପ୍ରମାଣିତ କରିପାରିଥିଲେ। ସେ ୱିକେଟ ଫଛରେ ଜଣେ ବିଚକ୍ଷଣ ୱିକେଟକିପର୍ ଥିଲେ। ଏହାସହ ସେ ୩୦୦ରୁ ଅଧିକ କ୍ୟାଚ୍ ମଧ୍ୟ ନେଇଛନ୍ତି। ଏଥିସହ ସେ ଅଧିନାୟକ ଭାବରେ ମଧ୍ୟ ଦଳର ନେତୃତ୍ୱ ନେଇଛନ୍ତି। ସେ ତାଙ୍କ ଦେଶର ପ୍ରଥମ କ୍ୟାପଟେନ୍ ଭାବରେ ଇଂଲଣ୍ଡରେ ଦଳର ନେତୃତ୍ୱ ନେଇଥିଲେ।

Comment