ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ରାଜ୍ୟ ସରକାରଙ୍କୁ ଘାରିଛି କାଳିଆ ଟେନ୍‌ସନ୍‌। ଅଯୋଗ୍ୟ ହିତାଧିକାରୀଙ୍କଠାରୁ କେମିତି ଟଙ୍କା ଆଦାୟ କରିବେ ଏବେ ସେହି ଚିନ୍ତା ଘାରିଛି ସରକାରଙ୍କୁ।

ନିର୍ବାଚନ ପୂର୍ବରୁ ସରକାରଙ୍କ ପାଇଁ ଗେମ୍‌ଚେଞ୍ଜର ପାଲଟିଥିଲା ‘କାଳିଆ’। ନିର୍ବାଚନ ପରେ ଏହି ‘କାଳିଆ’ରେ ଅଳିଆ ପଶିଛି। ତେବେ କାଳିଆରେ କେମିତି ଅଳିଆ ପଶିଲା ତାକୁ ନେଇ ସାଧାରଣ ଲୋକ ପ୍ରଶ୍ନ କରିଛନ୍ତି। କାଳିଆକୁ ଗୋଳିଆ କରିବାରେ କିଏ ଦାୟୀ ତାକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି।

ନିର୍ବାଚନ ପୂର୍ବରୁ ଯେଉଁ ଜୋସ୍‌ରେ ସରକାର କାଳିଆ ଯୋଜନା ଶୁଭାରମ୍ଭ କରିଥିଲେ ନିର୍ବାଚନ ପରେ ଏବେ ହୋସ୍‌ ଉଡ଼ାଇ ଦେଇଛି। ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଆଦାୟ କରିବା ସରକାରଙ୍କ ପାଇଁ ଏବେ ବଡ଼ ଚାଲେଞ୍ଜ ହୋଇ ଛିଡ଼ା ହୋଇଛି।

ରାଜ୍ୟ ସରକାରଙ୍କୁ ଘାରିଛି କାଳିଆ ଟେନ୍‌ସନ୍‌। ଅଯୋଗ୍ୟ ହିତାଧିକାରୀଙ୍କଠାରୁ କେମିତି ଟଙ୍କା ଆଦାୟ କରିବେ ଏବେ ସେହି ଚିନ୍ତା ଘାରିଛି ସରକାରଙ୍କୁ। କୃଷି ମନ୍ତ୍ରୀ ଏବଂ ନିଜେ ମୁଖ୍ୟମନ୍ତ୍ରୀ ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଆଦାୟ ହେବ ବୋଲି କହିଛନ୍ତି। ଯଦି ଆଦାୟ ହୋଇ ନପାରେ ତାହାଲେ ରାଜକୋଷରୁ ୧୭୦ କୋଟି ଟଙ୍କା ପାଣିରେ ପଡ଼ିବ ବୋଲି କୁହାଯାଉଛି।

ନିକଟରେ କୃଷି ମନ୍ତ୍ରୀ ଅରୁଣ ସାହୁ କହିଥିଲେ ଯେ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ କାଳିଆ ସହାୟତା ନେଇଛନ୍ତି। ସେମାନଙ୍କ ଭିତରେ ୨୦ ହଜାର ସରକାରୀ କର୍ମଚାରୀ ଏବଂ ପେନ୍‌ସନ୍‌ଭୋଗୀ ଥିବା ବେଳେ ୧୨ ହଜାର ବଡ଼ ଚାଷୀ ଏବଂ ନାବାଳକ ମଧ୍ୟ ଅଛନ୍ତି।

ଯେଉଁ ସରକାରୀ କର୍ମଚାରୀମାନେ କାଳିଆ ଟଙ୍କା ନେଇଛନ୍ତି ସରକାର ସେମାନଙ୍କ ଦରମାରୁ ଏହା ଭରଣା କରିବେ। ସେହିପରି ପେନ୍‌ସନ୍‌ଭୋଗୀଙ୍କ ପେନ୍‌ସନ୍‌ରୁ ସରକାର କାଳିଆ ଟଙ୍କା ଭରଣା କରିବାକୁ ଲକ୍ଷ୍ୟ ରଖିଛନ୍ତି। ହେଲେ ଏହା କେତେଦୂର ସମ୍ଭବ ହେବ ତାହା ଜଣାନାହିଁ। ଯଦି ଭରଣା ହେଲା ତ ଭଲ କଥା, ନହେଲେ ରାଜକୋଷରୁ ଟଙ୍କା ପାଣିରେ ପଡ଼ିବ ଥୟ।

ଏପଟେ କାଳିଆ ସହାୟତା ନେଇଥିବା ବଡ଼ ଚାଷୀଙ୍କଠାରୁ କେମିତି ଟଙ୍କା ଆଦାୟ ହେବ ସେନେଇ ସରକାର କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ଯଦି ସରକାର ଟଙ୍କା ଆଦାୟ ନକରି ପାରନ୍ତି ତାହାଲେ ଏହା ସମ୍ପୂର୍ଣ୍ଣ ପାଣିରେ ପଡ଼ିବାର ଆଶଙ୍କା ରହିଛି।

୭୧ ଲକ୍ଷ ପରିବାରକୁ କାଳିଆ ସହାୟତା ଦେବେ ବୋଲି ସରକାର ଘୋଷଣା କରିଥିଲେ। ଜଣେ ହିତାଧିକାରୀଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ୧୦ ହଜାର ଦେବାକୁ ସରକାର ଘୋଷଣା କରିଥିଲେ। କିନ୍ତୁ ସରକାର ୫ ହଜାର ଟଙ୍କା ଦେଇଥିଲେ। ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ୫ ହଜାର ଟଙ୍କା ଲେଖାଏଁ ନେଇଛନ୍ତି। ଫଳରେ ସରକାର ୧୭୦ କୋଟି ଟଙ୍କା ବାଣ୍ଟିଛନ୍ତି। ଏହା ଏବେ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ମନ୍ତ୍ରୀ କହିବା ପରେ ବିଜେଡି ମୁଖପାତ୍ର ପ୍ରତାପ ଦେବ କିନ୍ତୁ ଭିନ୍ନ ମତ ଦେଇଥିଲେ। ୩ ଲକ୍ଷ ୪୧ ହଜାର ନୁହନ୍ତି, ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ମାତ୍ର ୨୦ ହଜାର ବୋଲି ପ୍ରତାପ କହିଥିଲେ। ମନ୍ତ୍ରୀ ଏବଂ ମୁଖପାତ୍ରଙ୍କ ଭିତରୁ କିଏ ସତ କହୁଛି ତାକୁ ନେଇ ତର୍ଜମା ଚାଲିଥିବା ବେଳେ କୃଷି ବିଭାଗ ଭିନ୍ନ ତଥ୍ୟ ଦେଇଥିଲା।

ଯେତିକି ହିତାଧିକାରୀଙ୍କୁ କାଳିଆ ସହାୟତା ଦିଆଯାଇଛି ସେମାନଙ୍କ ଭିତରୁ ମାତ୍ର ୧ ପ୍ରତିଶତ ହେଉଛନ୍ତି ଅଯୋଗ୍ୟ ବୋଲି କୃଷି ବିଭାଗ କହିଥିଲା। ମନ୍ତ୍ରୀ, ମୁଖପାତ୍ର ଏବଂ କୃଷି ବିଭାଗର ଭିନ୍ନ ଭିନ୍ନ ତଥ୍ୟରେ କାଳିଆ ପୂରା ଅଳିଆ ହୋଇଯାଇଥିବା କୁହାଯାଉଛି।

Comment