ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱ କ୍ରିକେଟର ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ ହେଉଛନ୍ତି କ୍ରିସ୍ ଗେଲ୍। ସବୁବେଳେ କ୍ରିଜ୍ ଭିତରେ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ବେଶ୍ ପରିଚିତ ଗେଲ୍। ବିଶ୍ୱ କ୍ରିକେଟର ଏହି ମହାନ ଖେଳାଳି ଆଜି ପାଳନ କରୁଛନ୍ତି ତାଙ୍କର ୪୦ତମ ଜନ୍ମଦିନ।

କ୍ରିସ୍ ଗେଲଙ୍କ ପ୍ରକୃତ ନାମ ହେଉଛି କ୍ରିଷ୍ଟୋଫର୍ ହେନେରୀ ଗେଲ୍। ସେ ୧୯୭୯  ମସିହାରେ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ।  ସେ ପ୍ରଥମ କରି ୧୯୯୯ ମସିହାରେ ୱେଷ୍ଟଇଣ୍ଡିଜ ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ବିଶ୍ୱ କ୍ରିକେଟରେ ସେ କରିଛନ୍ତି ଅନେକ ରେକର୍ଡ ଯାହାକୁ ଭାଙ୍ଗିବା ଯେକୌଣସି ସାଧାରଣ କ୍ରିକେଟର ପାଇଁ କଷ୍ଟକର ହୋଇପଡ଼ିବ।

ୱେଷ୍ଟଇଣ୍ଡିଜ୍ ଦଳ ପାଇଁ ସେ ଟେଷ୍ଟ, ଦିନିକିଆ ଓ ଟି-୨୦ ମ୍ୟାଚ ଖେଳିଛନ୍ତି। ସେ ସମସ୍ତ ମ୍ୟାଚରେ ତାଙ୍କର ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ ପାଇଁ ବେଶ୍ ପରିଚିତ। ସେ ଦିନିକିଆ କ୍ରିକେଟରେ ୱେଷ୍ଟଇଣ୍ଡିଜର ସବୁଠାରୁ ଅଧିକ ରନ୍ ସଂଗ୍ରହ କରିଥିବା ଖେଳାଳି। ଏହାସହ ଲାରାଙ୍କ ପରେ ସେ ଦ୍ୱିତୀୟ ୱେଷ୍ଟଇଣ୍ଡିଜ ଖେଳାଳି ଭାବେ ଦିନିକିଆରେ ୧୦ ହଜାର ରନ୍ ପୂରଣ କରିଥିଲେ।

କେବଳ ୱେଷ୍ଟଇଣ୍ଡିଜ୍ ପାଇଁ ନୁହେଁ ବିଶ୍ୱରେ ଖେଳାଯାଉଥିବା ବହୁ ନାମୀଦାମୀ କ୍ରିକେଟ ଲିଗରେ ମଧ୍ୟ ଗେଲଙ୍କ ବ୍ୟାଟର କମାଲ ଦେଖିବାକୁ ପାଇଥାନ୍ତି ଦର୍ଶକ। ସେ ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍) ସହ ବିଗବାସ୍ ଲିଗ୍ ,କାରବିଆନ୍ ଲିଗ୍, ବାଂଲାଦେଶ ପ୍ରିମିୟର ଲିଗ୍ ଓ ପାକିସ୍ତାନ ପ୍ରିମିୟର ଲିଗରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି।

ସେ ଟି-୨୦ ଫର୍ମାଟରେ ବିଶ୍ୱରେ ସବୁଠାରୁ ଅଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍। ଏହାସହ ସେ  ଟି-୨୦ ଫର୍ମାଟରେ ମୋଟ ୧୨ ହଜାରରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି। ଆଇପିଏଲରେ ସେ ୬ ଥର ଶତକ ହାସଲ କରିଛନ୍ତି। ଯାହା ବର୍ତ୍ତମାନ ସୁଦ୍ଧା ଆଇପିଏଲ୍ ଇତିହାସରେ ଏକ ରେକର୍ଡ ହୋଇ ରହିଛି। ଏହାସହ ତାଙ୍କ ନାମରେ ଆଇପିଏଲରେ ୩୦୦ ଛକା ମାରିବାର ରେକର୍ଡ ମଧ୍ୟ ଅଛି।

କେବଳ ପଡ଼ିଆ ମଧ୍ୟରେ ଖେଳ ପାଇଁ ନୁହେଁ ନିଜର ସ୍ୱତନ୍ତ୍ର ଢଙ୍ଗର ନୃତ୍ୟ ପାଇଁ ମଧ୍ୟ ଦର୍ଶକ ମହଲରେ ବେଶ ପରିଚିତ ଗେଲ। ପଡ଼ିଆ ମଝିରେ ଗଙ୍ଗନମ୍ ଷ୍ଟାଇଲରେ ଡ୍ୟାନ୍ସ କରି ସେ ଖେଳର ମଜାକୁ ଦ୍ୱିଗୁଣିତ କରିଦେଇଥାନ୍ତି।

Comment