ଓଡ଼ିଶାଲାଇଭ ବ୍ୟୁରୋ

ଆ ଆ ..ଆ ଆ ରାଜା ଆଆ….ଡାକରେ ସକାଳ, ସଞ୍ଜରେ ପାହାଡ ଆଖ ପାଖ ଜଙ୍ଗଲରୁ ଚାଲିଆସୁଥିଲେ ଦଳ ଦଳ ହୋଇ ମୟୂର ପଲ। ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ମୟୂର ମଣିଷ ପାଣୁ ମଉସା। ଯିଏ ଶିଖାଇ ଦେଇଯାଇଛନ୍ତି  ନିଷ୍କପଟ ହୃଦୟରେ ଭଲ ପାଇବାର ଶକ୍ତି କେତେ। ଯାହା ଡାକରେ ଜଙ୍ଗଲରୁ ଦୌଡ଼ି ଆସୁଥିଲେ ମୟୂର। ହେଲେ ସେ ଏବେ ଏ ଦୁନିଆରେ ନାହାନ୍ତି। ୨୦୧୭ ମେ ୨୬ ତାଙ୍କର ମୃତ୍ୟୁ ହୋଇ ସାରିଛି।

ସିଦ୍ଧେଶ୍ଵର ପୋଲିସ ଫାୟାରିଂ ରେଜଂର ଦାୟିତ୍ଵରେ ଥିଲେ ପାଣୁ ମଉସା। ୧୯୯୯ ମସିହା ପରଠାରୁ ମୟୂରମାନଙ୍କ ସହିତ ବଢିଥିଲା ପାଣୁ ମଉସାଙ୍କ ସଂପର୍କ। ପାଣୁ ମଉସାଙ୍କ କଣ୍ଠ ସ୍ଵର ସହିତ ବେଶ ପରିଚିତ ଥିଲେ ଏହି ଜଙ୍ଗଲୀ ମୟୂରମାନେ। ନିୟମିତ ସକାଳ, ସନ୍ଧ୍ୟାରେ ତାଙ୍କରି ହାତରୁ ଖାଦ୍ୟ ପାଇବା ପାଇଁ ଧାଇଁ ଆସୁଥିଲେ ପଲପଲ ହୋଇ ମୟୂର।

ଏହି ଦୃଶ୍ୟକୁ ଦେଖିବା ପାଇଁ  ଦୂର ଦୂରାନ୍ତରୁ ଏଠାକୁ ଧାଇଁ ଆସୁଥିଲେ ଅନେକ ଲୋକ। ଏହି ଅଞ୍ଚଳରେ ଏତେ ପରିମାଣରେ ଜାତୀୟ ପକ୍ଷୀଙ୍କର ସମାଗମକୁ ଦେଖି ଆନନ୍ଦରେ ବିଭୋର ହେଉଥିଲେ ପଥଚାରୀ। ଗୃହରକ୍ଷୀ ଭାବରେ ଦାୟିତ୍ୱ ନିର୍ବାହ କରୁଥିଲେ ପାଣୁ ମଉସା। ଅବସର ଗ୍ରହଣ କରିବା ପରେ ମଧ୍ୟ ତାଙ୍କୁ ମିଳିଥିଲା ନରାଜ ପୋଲିସ ଫାୟାରିଂ ରେଜଂର ରକ୍ଷଣାବେକ୍ଷଣ ଦାୟିତ୍ଵ।

ନିଜ ବେତନରୁ ଦିନକୁ ୧୦୦ ଟଙ୍କାରୁ ଅଧିକ ପାଣୁ ମଉସା ଖର୍ଚ୍ଚ କରୁଥିଲେ ମୟୁରମାନଙ୍କ ଖାଦ୍ୟରେ। ନିୟମିତ ଚାଉଳ, ଧାନ, ଗହମ, ଭାତ ଓ ଗୁଲୁଗୁଲାର ବ୍ୟବସ୍ଥା ଦୁଇ ବେଳା କରନ୍ତି ପାଣୁ ମଉସା। କେବେବି ମୟୁରମାନଙ୍କ ପାଇଁ ସେମାନଙ୍କର ଅତି ପ୍ରିୟ ଖାଦ୍ୟ ଗୁଲୁଗୁଲା ଆଣିବା ଭୁଲୁ ନଥିଲେ ପାଣୁ ବେହେରା।

୧୯୯୯ ମହାବାତ୍ୟା ପରେ ପରେ ଏହି ସ୍ଥାନକୁ ଚନ୍ଦକା ଜଙ୍ଗଲରୁ ଚାଲି ଆସିଥିଲେ ଦୁଇ ତିନୋଟି ମୟୂର। ଯାହା ପଡିଥିଲା ପାଣୁ ମଉସାଙ୍କ ନଜରରେ। ଦୁଇ ତିନୋଟିରୁ ବଢି ବଢି ମୟୂରମାନଙ୍କର ସଂଖ୍ୟା ଏବେ ୭୦ ପାଖାପାଖି ପହଞ୍ଚିଲାଣି।

ମୃତ୍ୟୁ ପୂର୍ବରୁ ମୟୂରମାନଙ୍କର ଯେପରି କିଛି ଅସୁବିଧା ନହୁଏ ତା’ର ବ୍ୟବସ୍ଥା କରିବାକୁ ଚେଷ୍ଟା କରିଥିଲେ ପାଣୁ ମଉସା। ନିଜ ନାତି କାହ୍ନୁଚରଣ ବେହେରାଙ୍କ ସହିତ ପରିଚିତ କରାଇ ଦେଇଥିଲେ ମୟୂରମାନଙ୍କୁ। ସେଇଥିପାଇଁ ତ ଏବେ ବି ନରାଜର ସୌନ୍ଦର୍ଯ୍ୟ ବୃଦ୍ଧି କରୁଛି ପିକକ୍ ରେଜଂ।

ଏଥିପାଇଁ ଅନେକ ପୁରସ୍କାର ପାଇଛନ୍ତି ପାଣୁ ମଉସା। ନିଜ ନାତିକୁ ମୟୂରମାନଙ୍କ ସହିତ ଅଭ୍ୟସ୍ତ କରାଇବା ପୂର୍ବରୁ ଥରେ ପାଣୁ ମଉସା କିଛି ଦିନ ପାଇଁ ଅସୁସ୍ଥ ଥିଲେ। ଶୁଣିବାକୁ ମିଳେ ଏହି ସମୟ ଭିତରେ କୁଆଡେ ମୟୂରମାନେ ଆଉ କାହା ଡାକ ଉପରେ ବିଶ୍ଵାସ କରିପାରିଲେ ନାହିଁ। ଯେତେ ଖାଦ୍ୟ ନେଇ ପକାଇଲେ ମଧ୍ୟ ତାକୁ ବିଶ୍ୱାସକୁ ନେଲେ ନାହିଁ ମୟୂର ପଲ।

ନରାଜ ଫାୟାରିଂ ରେଜଂ ଭିତରେ ସମୟ ସମୟରେ ଆରକ୍ଷୀ ବାହିନୀଙ୍କ ଅଭ୍ୟାସ ବେଳେ ବନ୍ଧୁକ ଗର୍ଜିଥାଏ। ଏହା ମଧ୍ୟରେ ବି ମୟୂରମାନଙ୍କ ଭିତରେ ବିଶ୍ୱାସ ତିଆରି କରିପାରିଥିଲେ ପାଣୁ ମଉସା। ପରେ ପାଣୁ ମଉସାଙ୍କ ମୃତ୍ୟୁ ପରେ କିଛିଦିନ ମୟୂରମାନେ ଆସିବା ବନ୍ଦ କରିଦେଇଥିଲେ। ହେଲେ ଏବେ ପଣୁ ମଉସାଙ୍କ ନାତି କାହ୍ନୁ ସହ ଅଭ୍ୟସ୍ତ ହୋଇଯାଇଛନ୍ତି ମୟୂରମାନେ।

ନରାଜ ସିଦ୍ଧେଶ୍ଵରଠାରେ ଥିବା ପୋଲିସ ଫାୟାରିଂ ରେଂଜରେ ହଠାତ୍ ସୋମବାର ଆସି ପହଞ୍ଚିଥିଲେ ଭାରତର ଜଣେ ପରିଚିତ ଚେହେରା। ପଦ୍ମବିଭୂଷଣ ଆଶା ଭୋସଲେ। ଯାହାଙ୍କ କଣ୍ଠର ଯାଦୁ ମତୁଆଲା କରେ କୋଟି କୋଟି ଭାରତୀୟଙ୍କୁ। ନିକଟରେ ଥିବା ଏକ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ଅବସରରେ ଆଶା ଭୋସଲେ ଶୁଣିବାକୁ ପାଇଥିଲେ ଏଠାକାର ମୟୂର ଓ ମଣିଷ ଭିତରେ ଥିବା ଅଦ୍ଭୁତ କେମିଷ୍ଟ୍ରୀ ସଂପର୍କରେ।

ତେବେ ଏହାକୁ ଦେଖିବାକୁ ଫାୟାରି ରେଂଜରେ ପହଞ୍ଚିଥିଲେ ଆଶା ଭୋସଲେ। ଏବେ ମୟୂର ମାନଙ୍କ ବନ୍ଧୁ ପାଲଟିଥିବା କାହ୍ନୁଙ୍କ ସହିତ କିଛି ସମୟ ଧରି କଥା ମଧ୍ୟ ହୋଇଥିଲେ। ଏହାସହ ଢେର ପ୍ରଶଂସା କରିଥିଲେ କାହ୍ନୁଙ୍କର। ମୟୂରମାନେ ତାଙ୍କର ଏତେ ନିକଟତର କିପରି ହୋଇପାରିଲ? ଏମାନେ କ’ଣ ଖାନ୍ତି? ଏମାନଙ୍କ ପଛରେ କେତେ ଟଙ୍କା ଖର୍ଚ୍ଚ ହୁଏ? ଆଦି ଅନେକ କଥା ପଚାରିବୁଝିଲେ ଆଶା ଭୋସଲେ। ତେବେ ଏ ଘଟଣା ପୁଣି ମନେ ପକାଇ ଦେଇଛି ପାଣୁ ମଉସାଙ୍କ କଥା।

Comment