ଓଡ଼ିଶାଲାଇଭ୍ ବ୍ୟୁରୋ

ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ‘ମୋ’ ସରକାର’ ଯୋଜନା। ଏହି ଯୋଜନାର ପ୍ରଥମ ଦଫାରେ ଥାନା ଏବଂ ଡାକ୍ତରଖାନାରେ ଲୋକଙ୍କୁ କେମିତି ସେବା ମିଳୁଛି ତାହା ଜାଣିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ବିଭିନ୍ନ ଥାନା ଅଧିକାରୀଙ୍କୁ ‘ମୋ ସରକାର’ର ମୂଳ ଲକ୍ଷ୍ୟ ସମ୍ପର୍କରେ ଅବଗତ କରିବା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଡିଏମ୍‌ଓମାନଙ୍କୁ ମନ୍ତ୍ର ଫୁଙ୍କିଛନ୍ତି।

ରାଜ୍ୟର ସମସ୍ତ ସିଡିଏମ୍‌ଓମାନଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହୋଇ ମୁଖ୍ୟମନ୍ତ୍ରୀ ‘ମୋ ସରକାର’ର ମୂଳ ଲକ୍ଷ୍ୟ ଉପରେ ପରାମର୍ଶ ଦେଇଛନ୍ତି। ଏହାସହ ରୋଗୀମାନଙ୍କୁ ଡାକ୍ତରଖାନାରେ ଉନ୍ନତମାନର ସେବା ଯୋଗାଇ ଦେବାକୁ ସିଡିଏମ୍‌ଓମାନଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ।

ଡାକ୍ତରଖାନାକୁ ଆସୁଥିବା ରୋଗୀମାନଙ୍କୁ କିପରି ସେବା ମିଳୁଛି ଏବଂ ଡାକ୍ତରମାନେ କିପରି ବ୍ୟବହାର ପ୍ରଦର୍ଶନ କରୁଛନ୍ତି ତାହା ଜାଣିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଦିନ ୧୦ ଜଣ ରୋଗୀଙ୍କ ସହ କଥା ହେବେ। ରୋଗୀଙ୍କଠାରୁ ଡାକ୍ତରଖାନା ସମ୍ପର୍କରେ ଫିଡ୍‌ବ୍ୟାକ୍‌ ନେବେ ନିଜେ ମୁଖ୍ୟମନ୍ତ୍ରୀ।

ଏହାସହ ଡାକ୍ତରଖାନାକୁ ଦଲାଲ୍‌ମୁକ୍ତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଡାକ୍ତର ଏବଂ ରୋଗୀଙ୍କ ଭିତରେ ଯଦି ଦଲାଲ୍‌ କିଛି କାରବାର କରିବାର ଅଭିଯୋଗ ଆସେ ତାହାଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସିଡିଏମ୍‌ଓମାନଙ୍କୁ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ‘‘ଲୋକମାନେ ହେଉଛନ୍ତି ଡାକ୍ତରଖାନାର ପ୍ରକୃତ ମାଲିକ। ସେମାନଙ୍କୁ ଉତ୍ତମ ସ୍ୱସ୍ଥ୍ୟସେବା ଯୋଗାଇ ଦେବା ଡାକ୍ତରମାନଙ୍କ ଦାୟିତ୍ୱ। ୨୦୦୦ ମସିହାରେ ରାଜ୍ୟର ସ୍ୱାସ୍ଥ୍ୟ ବଜେଟ ଥିଲା ୫୧୪ କୋଟି। ଏବେ ଏହା ବଢ଼ି ୭ ହଜାର କୋଟି ଟଙ୍କାରେ ପହଞ୍ଚିଲାଣି। ଏହା କେବଳ ଲୋକଙ୍କ ପାଇଁ ସମ୍ଭବ ହୋଇଛି। ଏଣୁ ସେମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ହେଉଛି ଆମର ପ୍ରଥମ କର୍ତ୍ତବ୍ୟ।’’

LEAVE A REPLY

Please enter your comment!
Please enter your name here