ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆରୂପରେ ସଜେଇ ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ। ରାଜ୍ୟର ସବୁଠାରୁ ବଡ଼ ବସଷ୍ଟାଣ୍ଡର ନବୀକରଣ କରି ଏହାକୁ ଆନ୍ତରାଜ୍ୟ ବସ୍ ଟର୍ମିନାଲରେ ପରିଣତ କରିବାକୁ କାମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର।

ଗୁରୁବାର ରାଜ୍ୟ କ୍ୟାବିନେଟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାର ଏଥିପାଇଁ ଥିବା ଏକ ଟେଣ୍ଡରକୁ ମଞ୍ଜୁର ମଧ୍ୟ କରିଦେଇଛନ୍ତି। ଯୋଜନା ଅନୁସାରେ ବରମୁଣ୍ଡା ବସଷ୍ଟାଣ୍ଡରେ ଥିବା ଓଏସଆରଟିସି ଡିପୋକୁ ଖଣ୍ଡଗିରିକୁ ସ୍ଥାନାନ୍ତର କରିବା ପାଇଁ ସେଠାରେ ଏକ ବସ୍ ଟର୍ମିନାଲ ଗଠନ କରାଯିବ।

ବରମୁଣ୍ଡା ବସଷ୍ଟାଣ୍ଡର ଏହି ବିକାଶ ପାଇଁ ବିଡିଏକୁ ଦାୟିତ୍ୱ ଦିଆଯାଇଛି। ଏମ/ଏସ୍ ବ୍ରିଜ୍ ଓ ରୁଫ୍ ଇଣ୍ଡିଆ ଲିମିଟେଡ୍ ନାମକ ଭାରତୀୟ କମ୍ପାନି ୧୬୦ କୋଟିରୁ ଅଧିକ ଟଙ୍କାରେ ଏହି ପ୍ରକଳ୍ପର ନିର୍ମାଣ କରିବ। ଏହି ପ୍ରକଳ୍ପରେ ବସ୍‌ଷ୍ଟାଣ୍ଡରେ ୧୯୦ଟି ବସ ପାଇଁ ପାର୍କିଙ୍ଗ ବ୍ୟବସ୍ଥା ସହ ଚାରିଚକିଆ ଯାନ ପାଇଁ ୨୫୦ଟି ଓ ଦୁଇ ଚକିଆଯାନ ପାଇଁ ୧୭୫ଟି ପାର୍କିଂ ସ୍ଥଳ ନିର୍ମାଣ କରାଯିବ।

ବସ୍‌ଷ୍ଟାଣ୍ଡରେ କିଭଳି ବସଗୁଡ଼ିକ ସୁରକ୍ଷିତ ଭାବରେ ରଖାଯାଇପାରିବ ଏବଂ ଯାତ୍ରୀମାନେ କିଭଳି ସୁରକ୍ଷିତ ଯାତ୍ରା କରିପାରିବେ ସେଥିପାଇଁ ଏକ ଅତ୍ୟାଧୁନିକ ବସ ଟର୍ମିନାଲ ନିର୍ମାଣ କରାଯିବ। ଏହି ଆଧୁନିକ ପ୍ରକଳ୍ପ ହେବା ଦ୍ୱାରା ସହରରେ ପରିବହନ କ୍ଷେତ୍ରରେ ଅନେକ ସୁଧାର ଆସିପାରିବା ସହ ବିଭିନ୍ନ ରାଜ୍ୟର ରାଜଧାନୀ ଓ ବାଣିଜ୍ୟିକ ସହର ସହ ସଠିକ୍ ଯୋଗାଯୋଗ ସ୍ଥାପନ ହୋଇପାରିବ ବୋଲି କୁହାଯାଇଛି।

Comment