ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧୦ ଟି ପ୍ରସ୍ତାବ ଉପରେ ମୋହର ବାଜିଛି।

ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ସେ କହିଛନ୍ତି, ‘‘ଚଳିତବର୍ଷ ପାଇଁ ଖରିଫ ଧାନ ସଂଗ୍ରହ ଲକ୍ଷ୍ୟକୁ ଅନୁମୋଦନ କରାଯାଇଛି। ଚଳିତବର୍ଷ ୬୦ ଲକ୍ଷ ଟନ୍‌ ଧାନ ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହାସହ ୪୭ ଘଣ୍ଟା ମଧ୍ୟରେ ଚାଷୀ ଧାନ ବିକ୍ରି ଟଙ୍କା ପାଇପାରିବେ।’’

ବରମୁଣ୍ଡା ବସ୍‌ଷ୍ଟାଣ୍ଡର ନବୀକରଣ ପାଇଁ କ୍ୟାବିନେଟ୍‌ରେ ମଞ୍ଜୁରି ମିଳିଛି। ବସ୍‌ଷ୍ଟାଣ୍ଡର ନବୀକରଣ ପାଇଁ ୧୬୦ କୋଟି ଟଙ୍କାର ଅନୁମାଦନ ମିଳିଛି। ୨ ବର୍ଷରେ ବସ୍‌ଷ୍ଟାଣ୍ଡ ନବୀକରଣ କାର୍ଯ୍ୟ ଶେଷ ହେବା ନେଇ ମଞ୍ଜୁରି ହୋଇଛି।

ଟମ୍‌କା ଓ ମଙ୍ଗଳପୁରର ୨୬ କିଲୋମିଟର ରାସ୍ତା ୪ ଲେନ୍‌ ହେବା ନେଇ କ୍ୟାବିନେଟ୍‌ରେ ମୋହର ବାଜିଛି।

ଖୋର୍ଦ୍ଧାର ବାଙ୍କୁଆଳରେ ଆଞ୍ଚଳିକ ପ୍ରତିଷ୍ଠାନ ପାଇଁ ଜମି ମଞ୍ଜୁର କରାଯିବାକୁ ନିଷ୍ପତ୍ତି ହୋଇଛି। ପୂର୍ତ୍ତ ବିଭାଗର ୩ଟି ଟେଣ୍ଡରକୁ କ୍ୟାବିନେଟ୍‌ ମଞ୍ଜୁରି ମିଳିଛି।

ଏହାସହ ବାଲେଶ୍ୱର ମେଡିକାଲ କଲେଜ୍‌ ପାଇଁ ୧୪୪.୯୮ କୋଟି ଟଙ୍କା ଓ ବଲାଙ୍ଗିର ମେଡିକାଲ କଲେଜ ପାଇଁ ୧୪୨.୪୬ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ମଞ୍ଜୁରି ମିଳିଛି।

Comment