ଓଡ଼ିଶାଲାଇଭ୍ ବ୍ୟୁରୋ

ତାମିଲନାଡୁ କ୍ରିକେଟ ଆସୋସିଏସନର ସଭାପତି ଭାବରେ ରୁପା ଗୁରୁନାଥ ନିର୍ବାଚିତ ହୋଇଛନ୍ତି। କୌଣସି ରାଜ୍ୟ କ୍ରିକେଟ ସଂଘର ସେ ହେଉଛନ୍ତି ପ୍ରଥମ ମହିଳା ସଭାପତି। ରୁପା ଗୁରୁନାଥ ହେଉଛନ୍ତି ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ଏନ୍. ଶ୍ରୀନିବାସନଙ୍କ ଝିଅ ଏବଂ ଗୁରୁନାଥ୍ ମୟାପ୍ପାନଙ୍କ ପତ୍ନୀ।

ଗୁରୁନାଥ ମୟାପ୍ପାନ ୨୦୧୩ ମସିହା ଆଇପିଏଲ୍ ସ୍ପଷ୍ଟ ଫିକ୍ସିଙ୍ଗ୍ ମାମଲାରେ ଦୋଷୀ ହୋଇ ଆଜୀବନ ବାସନ୍ଦ ହୋଇଛନ୍ତି। ମୟାପ୍ପାନ ଆଇପିଏଲ୍ ଦଳ ଚେନ୍ନାଇ ସୁପର କିଙ୍ଗସର ଟିମ୍ ପ୍ରିନ୍ସିପାଲ ଭାବରେ କାର୍ଯ୍ୟ କରୁଥିଲେ। ତେଣୁ ସେ ଫିକ୍ସିଂରେ ଦୋଷୀ ସାବ୍ୟସ୍ତ ହେବାପରେ ଚେନ୍ନାଇ ଦଳକୁ ମଧ୍ୟ ୨ବର୍ଷ ପାଇଁ ଆଇପିଏଲରୁ ବ୍ୟାନ୍ କରାଯାଇଥିଲା।

ଗତ ବୁଧବାର ତାମିଲନାଡୁ କ୍ରିକେଟ ଆସୋସିଏସନ୍ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ଦିନ ଥିଲା। ରାଜ୍ୟର କ୍ରିକେଟ ଆସୋସିଏସନର ସଭାପତି ପଦ ପାଇଁ ରୁପା ଗୁରୁନାଥ ହିଁ କେବଳ ନାମାଙ୍କନ ଦାଖଲ କରିଥିଲେ। ତେଣୁ ରାଜ୍ୟର କ୍ରିକେଟ ଆସୋସିଏସନର ବାର୍ଷିକ ବୈଠକରେ ତାଙ୍କ ନାଁକୁ କମିଟି ଘୋଷଣା କରିଦେଇଛି।

ରୁପା ଗୁରୁନାଥଙ୍କ ସହ ତାଙ୍କର ଅନ୍ୟ ସହଯୋଗୀମାନେ ମଧ୍ୟ ନିର୍ବାଚନରେ ବିନା କୌଣସି ପ୍ରତିଦ୍ୱନ୍ଦିତାରେ ବିଜୟୀ ହୋଇଛନ୍ତି। ଏସ. ରାମାସ୍ୱାମୀ(ଉପସଭାପତି), କେ.ଏ.ଶଙ୍କର(ଜଏଣ୍ଟ ସେକ୍ରେଟାରୀ), ଜେ.ପାର୍ଥସାରଥୀ(କୋଷାଧ୍ୟକ୍ଷ) ଏବଂ ଏନ୍. ଭେଙ୍କଟରମଣ(ସହଯୋଗୀ କୋଷାଧ୍ୟକ୍ଷ) ଭାବରେ ବିନା କୌଣସି ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଛନ୍ତି।

ତାମିଲନାଡୁ କ୍ରିକେଟ ଆସୋସିଏସନର ନିର୍ବାଚନ ପାଇଁ ଅବସରପ୍ରାପ୍ତ ଆଇଏଏସ୍ ଡକ୍ଟର ଡ଼ି ଚନ୍ଦ୍ରଶେଖର ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହୋଇଥିଲେ। ସେ ନିଜେ ପ୍ରେସ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛନ୍ତି।

Comment