ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ଆଉ ମାତ୍ର ଦିନ କେଇଟା ପରେ ଦୁର୍ଗାପୂଜା। ଧରାପୂଷ୍ଠରେ ମାଙ୍କ ଆଗମନକୁ ନେଇ ଚଳଚଞ୍ଚଳ ଗାଁ ଠୁ ସହର। କାରିଗରମାନେ ବିଭିନ୍ନ ପୂଜା ମଣ୍ଡପରେ ମାଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରିରେ ବ୍ୟସ୍ତ। ତେବେ ଜଣେ ମୁସଲମାନ ହୋଇ ମଧ୍ୟ ନିଜକୁ ମା ଦୁର୍ଗାଙ୍କ ପୂଜାରେ ସାମିଲ କରିଛନ୍ତି କଟକ ବାଙ୍କାବଜାରର ଜାହିର୍ ଖାନ୍।

ଦୀର୍ଘ ୨୦ ବର୍ଷଧରି ସେ ଦୁର୍ଗାପୂଜାରେ ମାଙ୍କ ପାଇଁ ତିଆରି କରିଥାନ୍ତି ଜରି ମେଢ଼। ପିଢ଼ି ପରେ ପିଢ଼ି ପରେ ସେ ଏହି କାମକରି ପେଟ ପୋଷୁଛନ୍ତି। ସୁନେଲି ରଙ୍ଗର ଜରି ସହ ବିଭିନ୍ନ ରଙ୍ଗର ଚୁମକି,ରଙ୍ଗୀନ ମୋତିରେ ତିଆରି କରୁଛନ୍ତି ମାଙ୍କ ଅଳଙ୍କାର। ଅତି ସୁନ୍ଦର ଭାବରେ ମାଙ୍କ ପାଇଁ ହାର, ମୁକୁଟ,ବାଜ,ଚୁଡି, କାନ ତଡ଼ପା ଆଦି ନିର୍ମାଣ କରୁଛନ୍ତି ଜାହିର୍ ଖାନ୍।

ଜାହିର ଖାନ୍ କୁହନ୍ତି, “ମୋ ପାଇଁ ଧର୍ମ ବୋଲି କୌଣସି ଶବ୍ଦ ନାହିଁ ମୋ ମନରେ ସବୁ ଭଗବାନଙ୍କ ପାଇଁ ଭକ୍ତିଭାବ ରହିଛି। ଦଶହରା କେବଳ ହିନ୍ଦୁ ଲୋକମାନଙ୍କର ଏକ ପର୍ବ ନୁହଁ। ସବୁ ଧର୍ମର ଲୋକ ମାଙ୍କର ପୂଜା କରିପାରିବେ।”

ତାଙ୍କ ପୂର୍ବରୁ ତାଙ୍କ ଜେଜେବାପା ରସିଦ୍ ଖାଁ ମଧ୍ୟ ଏହି କାମ କରୁଥିଲେ ଏହାପରେ ଜାହିରଙ୍କ ବାପା ଓ ବର୍ତ୍ତମାନ ନିଜେ ଜାହିର୍ ଏହି କାମରେ ନିଜକୁ ନିୟୋଜିତ କରିଛନ୍ତି। ଦିନକୁ ୧୦ଘଣ୍ଟାରୁ ଅଧିକ ସମୟ ଧରି ତାଙ୍କର ପରିବାର ଲୋକ ଏହି କାମରେ ନିୟୋଜିତ ହୋଇଛନ୍ତି। କେବଳ ଜାହିର ନୁହନ୍ତି ତାଙ୍କ ପରିବାରର ଅନ୍ୟମାନେ ମଧ୍ୟ ଏହି କାମରେ ନିୟୋଜିତ ହୋଇଛନ୍ତି।

ରାତି ଦିନ ଏକ କରି ପୁରା ପରିବାର ବର୍ତ୍ତମାନ ଏହି କାମରେ ନିଜକୁ ନିମଗ୍ନ କରି ରଖିଛନ୍ତି। ଜାହିରଙ୍କ ଦ୍ୱାରା ତିଆରି କରାଯାଇଥିବା ଏହି ଜରି କାମଗୁଡ଼ିକୁ ଦେଖିଲେ ଆପଣଙ୍କୁ ସୁନାର ପ୍ରଲେପ ଦେଲାଭଳି ଲାଗିବ। ଯାହା ତାଙ୍କର କାର୍ଯ୍ୟଦକ୍ଷତାକୁ ପ୍ରମାଣିତ କରୁଛି। ଚଳିତ ବର୍ଷ କଟକର ଫକିରପଡ଼ା, ବୟାଳିଶମୌଜୈ, ସିଡିଏ ୬ନମ୍ବର, ୧୦ ନମ୍ବର ଆଜି ମେଢ଼ ପାଇଁ ସେ କାମ କରିଛନ୍ତି। ତାଙ୍କ କାମପାଇ କେନ୍ଦ୍ରାପଡ଼ା,ଜଗତସିଂହପୁର ଆଦି ବହୁ ସ୍ଥାନରୁ ଲୋକ ଆସି ତାଙ୍କୁ ଅର୍ଡର ଦେଇଥାନ୍ତି।

ଚଳିତ ବର୍ଷ ପାଇଁ ସେ ୨୦ରୁ ଅଧିକ ମେଢ଼ ତିଆରି କରିସାରିଛନ୍ତି। ତେବେ ଗ୍ରାହକଙ୍କ ଆଗ୍ରହ ଓ ଚାହିଦା ଅଧିକ ଥିବା କାରଣରୁ ସେ ଆହୁରି ଅଧିକ ଜରି ମେଢ଼ ତିଆରି କରିବାରେ ବ୍ୟସ୍ତ।

Comment