ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ଆତଙ୍କବାଦ ବିରୋଧରେ ସାରା ବିଶ୍ୱ ଏକାଠି ହେବା ଦରକାର। ଆତଙ୍କବାଦ କେବଳ ଗୋଟିଏ ଦେଶ ପାଇଁ ନୁହେଁ, ସାରା ବିଶ୍ୱ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଛି। ଆତଙ୍କବାଦ ବିରୋଧରେ ଭାରତ ସବୁବେଳେ ସ୍ୱର ଉତ୍ତଳନ କରି ଆସୁଛି। ଏଣୁ ଆମେ ସାରା ବିଶ୍ୱକୁ ଯୁଦ୍ଧ ନୁହେଁ, ବୁଦ୍ଧ ଦେଇଛୁ’’, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଜାତିସଂଘର ୭୪ତମ ଅଧିବେଶନ ଆରମ୍ଭ ହୋଇଯାଇଛି। ଏହି ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ନିଜର ଅଭିଭାଷଣ ରଖିଛନ୍ତି।

ଆତଙ୍କବାଦ, ବିଶ୍ୱତାପନ, ସ୍ୱଚ୍ଛତା ଉପରେ ମୋଦୀ ଉଦବୋଧନ ଦେଇଥିଲେ। ଏସବୁ କ୍ଷେତ୍ରରେ ଭାରତ ନେଇଥିବା ପଦକ୍ଷେପ ସମ୍ପର୍କରେ ଜାତିସଂଘକୁ ଅବଗତ କରିଥିଲେ।

‘‘ଭାରତ ସବୁବେଳେ ଶାନ୍ତି ଓ ସଦ୍‌ଭାବାନାର କଥା କହି ଆସୁଛି। ଶହେ ବର୍ଷ ତଳେ ସ୍ୱାମୀ ବିବେକାନନ୍ଦ ଚିକାଗୋ ସହରରେ ସାରା ବିଶ୍ୱକୁ ଶାନ୍ତି ଏବଂ ସଦ୍‌ଭାବନାର ବାର୍ତ୍ତା ଦେଇଥିଲେ। ଆଜି ବି ଭାରତ ଅନ୍ୟ ଦେଶକୁ ବାର୍ତ୍ତା ଦେଉଛି। ବିଶ୍ୱର ସର୍ବୃବହତ ଲୋକତାନ୍ତ୍ରିକ ରାଷ୍ଟ୍ର ଭାରତ ଆଜି ବି ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇ ରହିଛି’’, କହିଛନ୍ତି ମୋଦୀ।

ମୋଦୀ କହିଥିଲେ, ‘‘ଭାରତ ସଫଳତାର ସହ ସ୍ୱଚ୍ଛତା ଅଭିଯାନ ଚଳାଇଛି। ଭାରତରେ ୫ ବର୍ଷରେ ୧୧ କୋଟିରୁ ଅଧିକ ଶୌଚାଳୟ ନିର୍ମାଣ ହୋଇଛି। ଏହାସହ ଲୋକଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ୩୭ କୋଟିରୁ ଅଧିକ ଗରିବ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲା ଯାଇଛି। ଭାରତକୁ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି। ଆଗାମୀ ୫ ବର୍ଷ ଭିତରେ ୧୫ କୋଟି ଘରକୁ ପାନୀୟ ଜଳ ସଂଯୋଗ କରିବାକୁ ଲକ୍ଷ୍ୟ ରହିଛି।’’

Comment