ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପୁରରେ ରୀତା ସାହୁଙ୍କୁ ପ୍ରାର୍ଥୀ କରିଛି ବିଜେଡି। ପୂର୍ବରୁ କଂଗ୍ରେସ ଦିଲ୍ଲୀପ କୁମାର ପଣ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି ରୀତାଙ୍କୁ ବିଜେଡି ଟିକେଟ ଦେଇଛି। ଏହାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

‘‘ରୀତା ଥିଲେ ଆମ ଘରର ବୋହୂ। ଏବେ ସେ ତାଙ୍କ ଘରକୁ ଯାଉଛନ୍ତି। ତାଙ୍କ ବିଷୟରେ ମୁଁ କିଛି କହିବାକୁ ଚାହୁଁନି। ହେଲେ ନବୀନ ପଟ୍ଟନାୟକ ଅନୁକମ୍ପା ଭୋଟ ପାଇବାକୁ ରୀତାଙ୍କୁ ପୁଣି ପ୍ରାର୍ଥୀ କରିଛନ୍ତି। ହେଲେ ସବୁବେଳେ ଅନୁକମ୍ପା କାର୍ଡ କାମ କରେନି’’, କହିଛନ୍ତି ନିରଞ୍ଜନ।

ରୀତାଙ୍କ ସ୍ୱାମୀ ସୁବଳ ସାହୁ କଂଗ୍ରେସର ଜଣେ ସକ୍ରିୟ ସଦସ୍ୟ ଥିଲେ। କଂଗ୍ରେସ ଟିକେଟରେ ସେ ଲଗାତର ତିନି ଥର ବିଜେପୁରରୁ ନିର୍ବାଚିତ ହୋଇଥିଲେ।

୨୦୧୭ରେ ସୁବଳଙ୍କର ଦେହାନ୍ତ ହୋଇଯିବା ପରେ ଅନୁକମ୍ପା ଭୋଟ ପାଇବା ପାଇଁ ସୁବଳଙ୍କ ପରିବାରକୁ ବିଜେଡି ଆପଣାଇଥିଲା। ସୁବଳଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ପ୍ରାର୍ଥୀ କରିଥିଲା। ସ୍ୱାମୀ ସୁବଳ ସାହୁଙ୍କ ଅଧୁରା ସ୍ୱପ୍ନ ପୂରଣ କରିବାକୁ ମତେ ଆର୍ଶୀର୍ବାଦ କରନ୍ତୁ କହି ରୀତା ପ୍ରାର୍ଥୀ ହୋଇଥିଲେ। ରୀତା ଜିତି ବି ଯାଇଥିଲେ।

ହେଲେ ୨୦୧୯ ସାଧାରଣ ନିର୍ବାଚନରେ ରୀତାଙ୍କୁ ଟିକେଟ ଦେଇ ନଥିଲା ଦଳ। ନିଜେ ନବୀନ ପଟ୍ଟନାୟକ ପ୍ରାର୍ଥୀ ହେବାରୁ ରୀତା ନିର୍ବାଚନ ଲଢ଼ି ନଥିଲେ।

ନବୀନ ବିଜେପୁରରୁ ଇସ୍ତଫା ଦେଇଥିବାରୁ ଉପ-ନିର୍ବାଚନ ହେଉଛି। ରୀତାଙ୍କୁ ପୁଣି ଥରେ ବିଜେଡି ପ୍ରାର୍ଥୀ କରିଥିବାରୁ ନିରଞ୍ଜନ ତାଙ୍କୁ କଂଗ୍ରେସର ବୋହୂ ଥିଲେ ବୋଲି କହିଛନ୍ତି।

Comment