ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୨୦୦୯ରୁ ୨୦୧୯। ୧୦ ବର୍ଷ ଭିତରେ ବିଜେପୁରରେ ହୋଇଥିବା ନିର୍ବାଚନରେ ପ୍ରାର୍ଥୀ ବଦଳାଇଥିବା ବିଜେପି ଏଥର କ’ଣ କରିବ?

ବିଜେପୁର ଉପ-ନିର୍ବାଚନ ପାଇଁ ବିଗୁଲ ବାଜିଛି। ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ଗୋଟିଏ ପାଦ ଆଗରେ ରହିଥିବା ବେଳେ ବିଜେପି ଗୋଟିଏ ପାଦ ପଛରେ ରହିଛି। ଏଥର ବିଜେପି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଅଙ୍କ ଛିଣ୍ଡୁ ନଥିବା କୁହାଯାଉଛି। ପ୍ରତି ନିର୍ବାଚନରେ ପ୍ରାର୍ଥୀ ବଦଳାଉଥିବା ବିଜେପି ଏଥର ପ୍ରାର୍ଥୀ ବଦଳାଇବ କି ବୋଲି ରାଜନୀତି କରିଡରରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

୨୦୦୦ରୁ ୨୦୦୯ ଯାଏଁ ବିଜେପି-ବିଜେଡି ଭିତରେ ଆସନ ବୁଝାମଣା ହୋଇଥିଲା। ବିଜେପୁର ଆସନ ବିଜେଡି ଭାଗରେ ପଡ଼ିଥିଲା। ୨୦୦୦ରେ ବିଜେଡି-ବିଜେପି ପ୍ରାର୍ଥୀ ହୋଇଥିଲେ ଅଶୋକ ପାଣିଗ୍ରାହୀ। ସେ ବିପୁଳ ଭୋଟରେ ଜିତିଥିଲେ। କଂଗ୍ରେସର ରିପୁନାଥ ସେଠ୍‌ଙ୍କୁ ଅଶୋକ ପରାଜିତ କରିଥିଲେ।

୨୦୦୪ରେ କିନ୍ତୁ ଗଣିତ ବଦଳି ଯାଇଥିଲା। କଂଗ୍ରେସ ନୂଆ ପ୍ରାର୍ଥୀ ଦେଇଥିଲା। ବିଜେଡି-ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ କଂଗ୍ରେସର ସୁବଳ ସାହୁ ଟକ୍କର ଦେଇଥିଲେ। ଅଶୋକଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା।

୨୦୦୯ରେ ବିଜେପି-ବିଜେଡି ମେଣ୍ଟ ଭାଙ୍ଗିଥିଲା। ବିଜେଡି ଏବଂ ବିଜେପି ଅଲଗା ଅଲଗା ନିର୍ବାଚନ ଲଢ଼ିଥିଲେ। ବିଜେପୁରରେ ବିଜେପି ୨୦୦୯ରେ ପ୍ରଥମ ଥର ପାଇଁ ଏକାକୀ ପ୍ରାର୍ଥୀ ଦେଇଥିଲା। ୨୦୦୯ରେ ବିଜେପି ମହମ୍ମଦ ରଫିକଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ପ୍ରଭାତ ଆଦିତ୍ୟ ମିଶ୍ର ଏବଂ କଂଗ୍ରେସ ସୁବଳ ସାହୁଙ୍କୁ ପ୍ରାର୍ଥୀ କରିଥିଲା।

ବିଜେପି ଓ ବିଜେଡି ଅଲଗା ଅଲଗା ନିର୍ବାଚନ ଲଢ଼ି ଫେଲ୍ ମାରିଥିଲେ। ବିଜେପୁରରେ କଂଗ୍ରେସର ବିଜୟ ରଥ ଗଡ଼ିଥିଲା। ବିଜେପି ପ୍ରାର୍ଥୀ ମହମ୍ମଦ ରଫିକ୍ ୧୯ ହଜାର ୪୯୩ ଭୋଟ ପାଇଥିଲେ।

୨୦୧୪ରେ ବି ସମାନ ଅବସ୍ଥା ହୋଇଥିଲା। ବିଜେପି ଏଥର ପ୍ରାର୍ଥୀ ବଦଳାଇଥିଲା। ମହମ୍ମଦ ରଫିକଙ୍କୁ ବଦଳାଇ ଜୟଶଙ୍କର ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା ଦଳ। ୨୦୦୯ ତୁଳନାରେ ବିଜେପି ୨୦୧୪ରେ ଭଲ ଭୋଟ ପାଇଥିଲା। ଜୟଶଙ୍କର ୩୦ ହଜାର ୧ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ କଂଗ୍ରେସର ସୁବଳ ସାହୁ ବିଜୟୀ ହୋଇଥିଲେ।

୨୦୧୭ରେ ସୁବଳ ସାହୁଙ୍କ ଦେହାନ୍ତ ପରେ ୨୦୧୮ ଫେବ୍ରୁଆରି ୨୪ରେ ହୋଇଥିଲା ଉପ-ନିର୍ବାଚନ। ଏହି ଉପ-ନିର୍ବାଚନରେ ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀ ବଦଳାଇଥିଲେ।

ବିଜେଡି ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁଙ୍କ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ପ୍ରଣୟ ସାହୁ ଏବଂ ବିଜେପି ଅଶୋକ ପ୍ରାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଥିଲା। ଅଶୋକଙ୍କୁ ପ୍ରାର୍ଥୀ କରି ବିଜେପୁର ଦଖଲ କରିବାକୁ ବିଜେପି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ହେଲେ ତାହା ସଫଳ ହେଲାନି। ଅଶୋକ ପରାଜିତ ହୋଇଥିଲେ।

ଏହାର ବର୍ଷକ ପରେ ଅର୍ଥାତ୍‌ ୨୦୧୯ ଏପ୍ରିଲରେ ବିଜେପୁରରେ ହୋଇଥିଲା ସାଧାରଣ ନିର୍ବାଚନ। ଏହି ନିର୍ବାଚନରେ ବିଜେପି ପୁଣି ପ୍ରାର୍ଥୀ ବଦଳାଇଥିଲା। ଅଶୋକଙ୍କୁ ପ୍ରାର୍ଥୀ ନକରି ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ କରିଥିଲା। ସନତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇ ୫୩ ହଜାର ଭୋଟ ପାଇ ପରାଜିତ ହୋଇଥିଲେ।

ନବୀନ ଇସ୍ତଫା ଦେବା ପରେ ବିଜେପୁରରେ ଆଉ ଏକ ଉପ-ନିର୍ବାଚନ ହେବାକୁ ଯାଉଛି। ତେବେ ବିଜେପି ଏଥର କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଗଣିତ ଛିଣ୍ଡି ପାରୁନି। ୨୦୦୯, ୨୦୧୪, ୨୦୧୮ (ଉପ-ନିର୍ବାଚନ), ୨୦୧୯ରେ ବାରମ୍ବାର ପ୍ରାର୍ଥୀ ବଦଳାଇଥିବା ବିଜେପି ଏଥର କ’ଣ କରିବ ତା’ ଉପରେ ସମସ୍ତଙ୍କ ନଜର ରହିଛି।

Comment