ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପୁର ଉପ-ନିର୍ବାଚନ ପୂର୍ବରୁ ରାଜନୀତି ପୂରା ଗରମ ହୋଇଯାଇଛି। ପ୍ରାର୍ଥୀ ଘୋଷଣା କରି ତିନି ପ୍ରମୁଖ ଦଳ କ୍ଷେତ୍ର ପ୍ରସ୍ତୁତ କରୁଥିବା ବେଳେ ବରଗଡ଼ ସାଂସଦ ସୁରେଶ ପୂଜାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୫ ପ୍ରଶ୍ନ ପଚାରି ଘେରିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀଙ୍କଠାରୁ ଏସବୁ ପ୍ରଶ୍ନର ଉତ୍ତର ଚାହିଁଛନ୍ତି ଶ୍ରୀ ପୂଜାରୀ।

ପ୍ରଶ୍ନ ନମ୍ବର ୧ : ମୁଖ୍ୟମନ୍ତ୍ରୀ କାହିଁକି ବିଜେପୁରରେ ପ୍ରାର୍ଥୀ ହୋଇଥିଲେ ଏବଂ କାହିଁକି ଛାଡ଼ିକି ପଳାଇଲେ? ହିଞ୍ଜିଳି ନଛାଡ଼ି କାହିଁକି ବିଜେପୁର ଛାଡ଼ିଲେ? ହିଂଜିଳିରେ ହାରିବା ଭୟ ଯୋଗୁଁ ବିଜେପୁରରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢୁଥିଲେ କି?

ପ୍ରଶ୍ନ ନମ୍ବର ୨: ୨୦୧୮ ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ କି ବିଜେପୁର ବିକାଶର ଦାୟିତ୍ୱ ମୁଁ ମୋ ହାତକୁ ନେଉଛି। ଏକ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ବିଜେପୁରରେ କ’ଣ ବିକାଶ କରିଛନ୍ତି?

ପ୍ରଶ୍ନ ନମ୍ବର ୩ : ବିଜେପୁରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ସେଥିମଧ୍ୟରୁ ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପ କାର୍ଯ୍ୟ ଏଯାବତ ଆରମ୍ଭ ହେଲା ନାହିଁ କାହିଁକି?

ପ୍ରଶ୍ନ ନମ୍ବର ୪: ବରଗଡରେ ଚାଷୀମାନଙ୍କୁ ୧୦୦ ଟଙ୍କା ଦେବା ଲାଗି ବୋନସ ଘୋଷଣା ମୁଖ୍ୟମନ୍ତ୍ରୀ କରିଥିଲେ। କିନ୍ତୁ ଦେଲେ ନାହିଁ କାହିଁକି ?

ପ୍ରଶ୍ନ ନମ୍ବର ୫ : ୨୦୧୮ ଉପନିର୍ବାଚନ ଜିତିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଜେପୁରରେ ଡାକ୍ତର, ଶିକ୍ଷକ ଆଦି ବିଭିନ୍ନ ପଦବୀ ପୂରଣ କରାଗଲା। କିନ୍ତୁ ଭୋଟ ଗଣତି ପରେ ସେଠି କେହି ବି ରହିଲେ ନାହିଁ। ସାଧାରଣ ନିର୍ବାଚନରେ ବି ସମାନ ଢଙ୍ଗରେ ଅସ୍ଥାୟୀ ଭାବେ କିଛି ସରକାରୀ କର୍ମଚାରୀଙ୍କୁ ଆଣି ବିଭିନ୍ନ ପଦପଦବୀରେ ରଖି ପରେ ସେମାନଙ୍କୁ ଫେରାଇ ନେବା ବିଜେପୁରବାସୀଙ୍କ ସ୍ୱାର୍ଥ ପାଇଁ କେତେ ଶୁଭଙ୍କର?

ସୁରେଶ ପୂଜାରୀ କହିଛନ୍ତି, ‘‘ବିଜେପୁରବାସୀ ଏଥର ବିଜେଡିକୁ ଜବାବ ଦେବେ। ବିଜେପୁରର ବିକାଶ କଥା କହି ଭୋଟ ନେଇଥିବା ବିଜେଡି ବିଜେପୁର ପାଇଁ କ’ଣ କରିଛି ତାର ଉତ୍ତର ମାଗିବେ। ବିଜେପି ପଞ୍ଚାୟତ ନିର୍ବାଚନରେ ୯୨ ହଜାର ଭୋଟ ପାଇଥିଲା। ବୁଥ୍‌ କର୍ମକର୍ତ୍ତାମାନଙ୍କୁ ନେଇ ବିଜେପି ଏଥର ନିର୍ବାଚନରେ ଜୋରଦାର ଲଢ଼େଇ କରିବ।’’

Comment