ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ଭାରତୀୟ ଜନତା ପାର୍ଟି ତରଫରୁ ଦେଶ ବ୍ୟାପୀ ଗାନ୍ଧୀ ସଂକଳ୍ପ ଯାତ୍ରା ଆରମ୍ଭ ହେବ। ରାଜ୍ୟରେ ସମସ୍ତ ସଂସଦୀୟ ଓ ବିଧାନସଭା କ୍ଷେତ୍ରରେ ଏହି ପଦଯାତ୍ରା ୧୫ ଦିନ ଧରି ଚାଲିବ। ଗାନ୍ଧୀଜୀଙ୍କ ବାର୍ତ୍ତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ବିଶ୍ୱରେ ଆଗେଇ ନେବା ସହ ସଚେତନତା ସୃଷ୍ଟି କରୁଛନ୍ତି।
ଏହି ପଦଯାତ୍ରା ଅବସରରେ ଗାନ୍ଧୀଜୀଙ୍କ ବାର୍ତ୍ତା ସ୍ୱଦେଶୀ, ସ୍ୱଚ୍ଛତା, ସ୍ୱରାଜ, ସ୍ୱାବଲମ୍ବୀ, ସାଧାରଣ ଓ ସରଳ ଜୀବନ ଯାପନ, ଜଳ ସଂରକ୍ଷଣ, ନିଶା ନିବାରଣ, ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବର୍ଜନ ସଂପର୍କରେ ସାଧାରଣ ଜନତାଙ୍କୁ ଅବଗତ ଓ ସଚେତନା କରାଯିବ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି।
ସିଦ୍ଧାନ୍ତ ବିହୀନ ରାଜନୀତି, ପରିଶ୍ରମ ବିହୀନ ଧନ ଉପାର୍ଜନ, ବିବେକ ବିହୀନ ସୁଖପ୍ରାପ୍ତି, ଚରିତ୍ର ବିହୀନ ଜ୍ଞାନ, ସଦାଚାର ବିହୀନ ବ୍ୟବସାୟ, ସମ୍ବେଦନା ବିହୀନ ବିଜ୍ଞାନ ଏବଂ ତ୍ୟାଗ ବିହୀନ ଉପସନା ଉପରେ ପଦଯାତ୍ରା ଅବସରରେ ସମାଜକୁ ଆହ୍ୱାନ ଦିଆଯିବ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ଅକ୍ଟୋବର ୨ ତାରିଖ ଦିନ କଟକ ଜିଲ୍ଲା ତେଲେଙ୍ଗାପେଣ୍ଠସ୍ଥିତ ଗାନ୍ଧୀ ସ୍ମୃତି ପୀଠରୁ ଏହି ପଦଯାତ୍ରା ଆରମ୍ଭ କରିବେ।
ପବିତ୍ର ଦୁର୍ଗା ପୂଜା କାରଣରୁ ଏହି ପଦଯାତ୍ରା ୨ ତାରିଖ ଦିନ ଆରମ୍ଭ ହୋଇ ସାମୟିକ ଭାବେ ସ୍ଥଗିତ ରଖାଯିବ। ପୁନଶ୍ଚ ଅକ୍ଟୋବର ୧୧ ତାରିଖରୁ ଏହି ପଦଯାତ୍ରା ସମଗ୍ର ରାଜ୍ୟରେ ଅନୁଷ୍ଠିତ ହେବ।


















