ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ : ‘‘ଦେଶର ଆର୍ଥିକ ସ୍ଥିତି ଦୁର୍ବଳ। ବଜାର ସ୍ଥିତି ଦେଖିଲେ ଯେ କେହି ବି ଏହାର ଅନୁମାନ କରିପାରେ। ଅର୍ଥନୀତି ପରିଚାଳନାରେ ମୋଦି ସରକାର ସମ୍ପୂର୍ଣ୍ଣ ଫେଲ୍ ମାରିଛନ୍ତି। ଏହାକୁ ଲୁଚାଇବାକୁ ଯାଇ କିଛି ମନ୍ତ୍ରୀ ବୁଲି ବୁଲି କହୁଛନ୍ତି ଦେଶର ଅର୍ଥନୈତିକ ମୌଳିକ ଅବସ୍ଥା ଠିକ୍ ଚାଲିଛି। ସେମାନଙ୍କୁ ଯେବେ ପଚରାଯାଉଛି ଅର୍ଥନୈତିକ ମୌଳିକ ଅବସ୍ଥାର ଅର୍ଥ କ’ଣ ? ସେତେବେଳେ ସେମାନେ ପ୍ରସଙ୍ଗରୁ ଦୂରେଇ ଯାଉଛନ୍ତି’’, ଦେଶର ଅର୍ଥନୈତିକ ସ୍ଥିତାବସ୍ଥାକୁ ନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ମହାସଚିବ ଡି.ରାଜା।

ରବିବାର ଓସିଏ କ୍ଲବ୍‌ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡି.ରାଜା କହିଛନ୍ତି, ‘‘ଭାରତ ଏଭଳି ଅର୍ଥନୈତିକ ମାନ୍ଦାବସ୍ଥାର ସମ୍ମୁଖୀନ ପୂର୍ବରୁ କେବେ ହେଲେ ହୋଇନଥିଲା। ସରକାର ଚଳାଇବାରେ ବ୍ୟାପକ ତ୍ରୁଟି ଯୋଗୁଁ ଆଜି ଏଭଳି ସ୍ଥିତି ଉପୁଜିଛି। ରିଜର୍ଭ ବ୍ୟାଙ୍କକୁ ହାତବାରିସ କରାଯାଇଛି। ମନଇଛା ରିଜର୍ଭ ବ୍ୟାଙ୍କରୁ ଟଙ୍କା ଆଣି ସରକାର ଖର୍ଚ୍ଚ କରୁଛନ୍ତି। ଅର୍ଥନୀତି ପ୍ରଭାବିତ ହୋଇଥିବା ଦର୍ଶାଇ କିଛି ବ୍ୟାଙ୍କଗୁଡ଼ିକୁ ନିକଟରେ ମିଶାଇ ଦିଆଯାଇଛି। ଫଳରେ ବଡ଼ ବଡ଼ କର୍ପୋରେଟ୍‌ ହାଉସ୍‌ଙ୍କୁ ସହଯୋଗ ମିଳିବ ତା’ ଛଡା ଆଉ କିଛି ନାହିଁ। ସରକାରଙ୍କ ଏ ନୀତି ଚାଷୀ, ଶ୍ରମିକ, ଛୋଟ ବ୍ୟବସାୟୀ ଆଦି ବିଭିନ୍ନ ବର୍ଗକୁ ଯଥେଷ୍ଟ ପ୍ରଭାବିତ କରିଛି।’’

ଏକ ଦେଶ, ଏକ ଭାବ, ଏକ ଧର୍ମ, ଏକ ରାଜନୈତିକ ଦଳ, ଏକ ନେତା ପରେ ଏବେ ଭାଷା ରାଜନୀତି ଆରମ୍ଭ ହୋଇଛି। ଗୋଟିଏ ରାଷ୍ଟ୍ର, ଗୋଟିଏ ଭାଷା’ ଆହ୍ଵାନ ଦେଶର ମହାନ ସଂସ୍କୃତି ଓ ବିବିଧତା ସହିତ ଏକତା ଉପରେ ଆକ୍ରମଣ କରୁଛନ୍ତି ବିଜେଡି ସରକାର। ଦେଶରେ ନୂଆ ନିଯୁକ୍ତି ନାହିଁ। ବରଂ ଲୋକେ ଦିନକୁ ଦିନ ବୃତ୍ତି ହରାଉଛନ୍ତି। ନୋଟ୍‌ବନ୍ଦୀର ଆରମ୍ଭରୁ ଏବେ ଯାଏଁ ଲୋକେ ମୁକୁଳି ପାରୁନାହାନ୍ତି। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ଗୋଟିଏ ପରେ ଗୋଟେ ଝଟ୍‌କା ଦେଇଚାଲିଛି। ଜମ୍ମୁ ଓ କାଶ୍ମୀରରୁ ୩୭୦ଓ ୩୫% ହଟାଇ ଗଣତନ୍ତ୍ରର ହତ୍ୟା କରାଯାଇଛି। କାଶ୍ମୀରରେ ସ୍ଥିତି ଏବେ ଯାଏଁ ସ୍ଵାଭାବିକ ହୋଇପାରୁନି ବୋଲି ରାଜା ଅଭିଯୋଗ ଆଣିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ବି ଟାର୍ଗେଟ୍ କରିଛନ୍ତି ରାଜା। ବିଜେପି ଓ ବିଜେଡି ଭିତରେ ଭିତରି ବୁଝାମଣା ହୋଇସାରିଛି। ନିର୍ବାଚନ ପରେ ଗୋଟିଏ ରୂପ ଏବଂ ନିର୍ବାଚନ ସରିବା ପରେ ଆଉ ଗୋଟିଏ ରୂପ ଦେଖିବାକୁ ମିଳୁଛି। ଲୋକଙ୍କୁ ଭଣ୍ଡାଇବା ଛଡ଼ା ଉଭୟ ରାଜନୈତିକ ଦଳର ଆଉ କିଛି କାମ ନାହିଁ ବୋଲି ରାଜା କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ଦେବାଶିଷ କାନୁନ୍‌ଗୋ, ସହକାରୀ ସମ୍ପାଦକ ପଶାନ୍ତ ମିଶ୍ର ଓ କେନ୍ଦ୍ର କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ରାମକୃଷ୍ଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Comment