ଓଡ଼ିଶାଲାଇଭ ବ୍ୟୁରୋ
ଲଗାଣ ବର୍ଷା ଯୋଗୁଁ ବିହାର ଓ ଉତ୍ତରପ୍ରଦେଶରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ସ୍ଥାନ ଜଳମଗ୍ନ ଅବସ୍ଥାରେ ରହିବା ସହ ଗତ ୪ଦିନରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।
ବିହାର ଓ ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ପରିସ୍ଥିତି ଅଣାୟତ୍ତ ହୋଇଛି। ଗତ ୪ ଦିନ ମଧ୍ୟରେ ଦୁଇ ରାଜ୍ୟରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ଦୁଇ ରାଜ୍ୟର ଅନେକ ସ୍ଥାନ ମଧ୍ୟ ଜଳବନ୍ଦୀ ଅବସ୍ଥାରେ ରହିଛି।
ଅତ୍ୟଧିକ ବର୍ଷା ଯୋଗୁଁ ପାଟନାରେ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇଛି। ଏହାସହ ବିହାରର ୧୩ ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି। ପାଣଇ ଘେରରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଘଟଣାସ୍ଥଳରେ ଏନଡିଆରଏଫ ଓ ଏସଡିଆରଏଫ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ରବିବାର ପାଟନାରେ କାନ୍ଥ ଭୁଷୁଡ଼ିବା ଯୋଗୁଁ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଭଗଲପୁରରେ ୩ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ଗତ ୩ ଦିନ ମଧ୍ୟରେ ବିହାରରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ସେହିପରି ଉତ୍ତରପ୍ରଦେଶରେ ମଧ୍ୟ ବନ୍ୟା ଯୋଗୁଁ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି। ଗୁରୁବାର ଯାଏଁ ଏଠାରେ ୯୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରବିବାର ୧୪ଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ତେବେ ପରିସ୍ଥିତିର ମୁକାବିଲା କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକ ଉଚ୍ଚ ସ୍ତରୀୟ ବୈଠକ ଡକାଇ ସ୍ଥିତି ସମୀକ୍ଷା କରିଥିଲେ। ଏହାସହ ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ଜଳମଗ୍ନ ସ୍ଥାନ ବୁଲି ପରିସ୍ଥିତି ଦେଖିବା ସହ ଅଧିକ ୩ ଏନଡିଆରଏଫ ଟିମ୍ ମୁତୟନ କରିଛନ୍ତି।