ଭାସ୍କର ପରିଚ୍ଛା

 

ବିହାରର ଯେଉଁଭଳି ରାଜନୈତିକ ବ୍ୟବସ୍ଥା ଓ ମତଦାନ ପଦ୍ଧତି ରହିଛି, ସେଥିରେ କୌଣସି ନେତାଙ୍କ ପାଇଁ ଦଳ ବଦଳ କରିବା ନୂଆ କଥା ନୁହେଁ। ଏବେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଣି ଏନଡିଏରେ ସାମିଲ ହେବା ଦେଶର ରାଜନୀତିରେ ଚର୍ଚ୍ଚାରେ ରହିଛି।

ଗତ ୧୦ ବର୍ଷ ମଧ୍ୟରେ ନୀତୀଶ କୁମାର ୬ ଥର ଦଳ ଅଦଳ ବଦଳ କରିଛନ୍ତି। ୨୦୧୩ରେ ନୀତୀଶ କୁମାର ପ୍ରଥମ ଥର ପାଇଁ ପଲଟି ମାରିଥିଲେ। ଏହାପରେ ନୀତୀଶ ପ୍ରଥମେ ଭାରତୀୟ ଜନତା ପାର୍ଟି ସହ ମେଣ୍ଟ ଭାଙ୍ଗି ରାଷ୍ଟ୍ରୀୟ ଜନତା ଦଳ ସହ ଯାଇଥିଲେ।

ନୀତୀଶଙ୍କ ୟୁ-ଟର୍ଣ୍ଣ ରାଜନୀତି ଯୋଗୁଁ ଗତ ୧୦ ବର୍ଷ ମଧ୍ୟରେ ବିହାରରେ ୫୦ରୁ ଅଧିକ ବିଧାୟକ ମନ୍ତ୍ରୀ ହୋଇଛନ୍ତି। ଏହି ୧୦ ବର୍ଷ ମଧ୍ୟରେ ବିହାରକୁ ୪ ଜଣ ବିଧାନସଭା ବାଚସ୍ପତି ଓ ୩ ଜଣ ଉପମୁଖ୍ୟମନ୍ତ୍ରୀ ମଧ୍ୟ ମିଳିଛି।

ତେବେ ନୀତୀଶଙ୍କ ବ୍ୟତୀତ ବିହାରର ଅନେକ ନେତା ନିର୍ବାଚନୀ ଫାଇଦା ପାଇଁ ଦଳ ବଦଳାଇବାରେ ରେକର୍ଡ ସୃଷ୍ଟି କରିଛନ୍ତି।  

ରାମବିଳାସ ପାଶୱାନ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନ ମଧ୍ୟ ଦଳ ବଦଳ ରାଜନୀତିର ପୁରୁଖା ନେତା ଥିଲେ। ସମଗ୍ର ରାଜନୈତିକ ଜୀବନରେ ପାଶୱାନ ୬ ଥର ଦଳ ବଦଳାଇଥିଲେ। ପାଶୱାନଙ୍କୁ ବିହାର ଏବଂ ଦେଶର ରାଜନୀତିର ପାଣିପାଗ ବିଜ୍ଞାନୀ ମଧ୍ୟ କୁହାଯାଏ।

ପାଶୱାନ ୧୯୬୯ ମସିହାରେ ସଂଯୁକ୍ତ ସୋଶାଲିଷ୍ଟ ପାର୍ଟିରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ୧୯୭୪ରେ ସେ ଲୋକଦଳରେ ଯୋଗ ଦେଇଥିଲେ। ଏହାପରେ ସେ ଜନତା ଦଳ ଓ ଜନତା ଦଳ ୟୁନାଇଟେଡରେ, ଜନତା ପାର୍ଟିରେ ଯୋଗ ଦେଇଥିଲେ। ଶେଷରେ ୨୦୦୦ ମସିହାରେ ରାମ ବିଳାସ ନିଜର ଲୋକ ଜନଶକ୍ତି ପାର୍ଟି ଗଠନ କରିଥିଲେ।

ରାମବିଳାସ ପାଶୱାନ କେନ୍ଦ୍ରରେ ଭିପି ସିଂହ, ଏଚ୍ ଡି ଦେବଗୌଡ଼ା, ଆଇକେ ଗୁଜରାଲ, ଅଟଳ ବିହାରୀ ବାଜପେୟୀ, ମନମୋହନ ସିଂହ ଏବଂ ନରେନ୍ଦ୍ର ମୋଦୀଙ୍କ ସରକାରରେ ମନ୍ତ୍ରୀଭାବେ କାର୍ଯ୍ୟ କରିଥିଲେ। ୨୦୦୫ରେ ପାଶୱାନଙ୍କୁ ମଧ୍ୟ ବିହାରର ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ମିଳିଥିଲା, କିନ୍ତୁ ରାଜନୈତିକ କାରଣରୁ ସେ ଏଥିରେ ସାମିଲ ହୋଇପାରିନଥିଲେ।

ନିଜ ଜୀବନୀ ‘ପାଶୱାନ: ସଂକଳ୍ପ, ସାହସ ଓ ସଂଘର୍ଷ’ରେ ସେ ଲେଖିଛନ୍ତି- ଯଦି ଆପଣଙ୍କ ପାଖରେ କ୍ଷମତା ନାହିଁ, ତେବେ ଆପଣ ଲୋକଙ୍କ କାମ କରାଇପାରିବେ ନାହିଁ ଏବଂ ଧୀରେ ଧୀରେ ଆପଣଙ୍କ ରାଜନୀତି ତଳକୁ ଚାଲିଯିବ। ପାଶୱାନ ଅନେକ ସମୟରେ ଦଳିତଙ୍କ ଉନ୍ନତି ସହିତ ରାଜନୀତିକୁ ଯୋଡ଼ିଥିଲେ।

ଜିତନ ରାମ ମାଝୀ

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଝୀ ଗତ ୯ ବର୍ଷ ମଧ୍ୟରେ ୭ଥର ଦଳ ବଦଳ କରିଛନ୍ତି। ୨୦୧୫ରେ ଜେଡିୟୁ ସହ ସମ୍ପର୍କ ଛିନ୍ନ କରିବା ପରେ ମାଝୀ ନିଜର ଦଳ ‘ହିନ୍ଦୁସ୍ତାନ ଆୱାମି ମୋର୍ଚ୍ଚା’ (ଏଚ ଏଏମ) ଗଠନ କରି ଏନଡିଏରେ ଯୋଗ ଦେଇଥିଲେ। ୨୦୧୫ ବିହାର ବିଧାନସଭା ନିର୍ବାଚନରେ ମାଝୀ ୨୧ଟି ଆସନରେ ନିର୍ବାଚନ ଲଢ଼ିଥିଲେ ମଧ୍ୟ କେବଳ ନିଜ ଆସନ ବଜାୟ ରଖିପାରିଥିଲେ।

୨୦୧୭ରେ ମାଝୀଙ୍କ ଏନଡିଏରୁ ଅଲଗା ହୋଇ ୟୁପିଏରେ ଯୋଗ ଦେଇଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ମାଝୀଙ୍କ ଦଳକୁ ବିହାରର ୪୦ଟି ଆସନରୁ ୩ଟି ମିଳିଥିଲେ ମଧ୍ୟ ଗୋଟିଏ ବି ଆସନ ଜିତି ପାରିନଥିଲା। ଏହାପରେ ନୀତୀଶଙ୍କ ସହାୟତାରେ ମାଝୀ ପୁଣିଥରେ ଏନଡିଏରେ ପହଞ୍ଚିଥିଲେ।

୨୦୨୦ରେ ମାଝୀ ଏନଡିଏ ସହ ମେଣ୍ଟ କରି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ମାଝୀଙ୍କ ଦଳ ୭ଟି ଆସନରେ ଲଢ଼ିଥିବାବେଳେ ସେଥିରୁ ୪ଟି ଆସନରେ ବିଜୟୀ ହୋଇଛି। ମାଝୀ ମହାମେଣ୍ଟରେ ସାମିଲ ହୋଇ ନୀତୀଶଙ୍କ ସହ କେବେ ବି ଯିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ୧ ବର୍ଷରେ ସେ ଏହାକୁ ଭାଙ୍ଗି ଦେଇଥିଲେ।

୨୦୨୩ରେ ଏକ ରାଜନୈତିକ ନିଷ୍ପତ୍ତି ନେଇ ସେ ନୀତୀଶ କୁମାରଙ୍କ ମନ୍ତ୍ରିମଣ୍ଡଳରୁ ନିଜ ଦଳକୁ ଅଲଗା କରିଥିଲେ ଏବଂ ପରେ ମାଝୀ ବିଜେପି ସହ ଯାଇଥିଲେ। ଜିତନ ରାମ ମାଝୀ ବର୍ତ୍ତମାନ ବିହାର ବିଧାନସଭାର ସଦସ୍ୟ ଅଛନ୍ତି। ମାଝୀଙ୍କ ପରିବାରର ୩ ଜଣ ସଦସ୍ୟ ସକ୍ରିୟ ରାଜନୀତିରେ ଅଛନ୍ତି।

ନାଗମଣି କୁଶୱାହା 

ବରିଷ୍ଠ ସମାଜବାଦୀ ନେତା ଜଗଦେବ ପ୍ରସାଦଙ୍କ ପୁଅ ନାଗମଣି କୁଶୱାହା ମଧ୍ୟ ଦଳ ବଦଳେଇବାରେ ରେକର୍ଡ କରିଛନ୍ତି। ଗତ ୨୩ ବର୍ଷ ମଧ୍ୟରେ ନାଗମଣି ୧୧ ଥର ପଲଟି ମାରିଛନ୍ତି। ଦଳ ବଦଳ ରାଜନୀତି ଯୋଗୁଁ ନାଗମଣି ମଧ୍ୟ କେନ୍ଦ୍ରରେ ମନ୍ତ୍ରୀ ମଧ୍ୟ ହୋଇଥିଲେ।

୧୯୭୭ ମସିହାରେ ନାଗମଣି କୁର୍ଥା ଶୋଷିତ ସମାଜ ଦଳର ଚିହ୍ନରେ ବିହାର ବିଧାନସଭା ନିର୍ବାଚନରେ ବିଧାୟକ ହୋଇଥିଲେ। ୧୯୮୦ମସିହାରେ ସେ ସେହି ଆସନରୁ ଭାଗ୍ୟ ପରୀକ୍ଷା କରିଥିଲେ, କିନ୍ତୁ ନିର୍ବାଚନରେ ହାରିଯାଇଥିଲେ। ୧୯୮୫ରେ ନାଗମଣି କୁର୍ଥାରୁ ସ୍ୱାଧୀନ ପ୍ରାର୍ଥୀଭାବେ ଜିତିବାରେ ସଫଳ ହୋଇଥିଲେ।

୧୯୯୦ରେ ସେ କଂଗ୍ରେସରେ ଯୋଗ ଦେଇଥିଲେ, କିନ୍ତୁ କୁର୍ଥା ଆସନ ବଜାୟ ରଖିବାରେ ବିଫଳ ହୋଇଥିଲେ। ୧୯୯୧ରେ ସେ ବିହାରର ଚତରା ଆସନରୁ (ବର୍ତ୍ତମାନ ଝାଡ଼ଖଣ୍ଡ) କଂଗ୍ରେସ ଚିହ୍ନରେ ଲୋକସଭା ନିର୍ବାଚନ ଲଢ଼ିଥିଲେ, କିନ୍ତୁ ଏଥର ମଧ୍ୟ ଜିତି ପାରିନଥିଲେ। ଏହାପରେ ନାଗମଣି ରାଷ୍ଟ୍ରୀୟ ଜନତା ଦଳରେ ଯୋଗ ଦେଇଥିଲେ।

୧୯୯୯ରେ ନାଗମଣି ଆରଜେଡି ଚିହ୍ନରେ ଚତରାରୁ ନିର୍ବାଚନ ଜିତି ଲୋକସଭାରେ ପହଞ୍ଚିଥିଲେ, କିନ୍ତୁ ୨ ବର୍ଷ ମଧ୍ୟରେ ସେ ନିରାଶ ହୋଇଯାଇଥିଲେ। ସେ ୩ ଜଣ ସାଂସଦଙ୍କ ସହ ଆରଜେଡି ବିରୋଧରେ ବିଦ୍ରୋହ କରିଥିଲେ। ୨୦୦୧ମସିହାରେ ନାଗମଣି ଆରଜେଡି (ଡେମୋକ୍ରାଟିକ୍) ଗଠନ କରିଥିଲେ।

ତେବେ କିଛିମାସ ମଧ୍ୟରେ ଦଳ ବିଜେପିରେ ମିଶିଗଲା ଏବଂ ନାଗମଣି ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଯୋଗ ଦେଲେ। ହେଲେ ୨୦୦୪ରେ ବିଜେପି କେନ୍ଦ୍ରଠାରୁ ହାରିବା ପରେ ନାଗମଣି ଏଲଜେପିରେ ଯୋଗ ଦେଇଥିଲେ।

ଏହାପରେ ୨୦୦୫ରେ ସେ ଜେଡିୟୁରେ ଯୋଗ ଦେଇଥିଲେ। ନୀତୀଶ କୁମାର ମଧ୍ୟ ନାଗମଣିଙ୍କ ପତ୍ନୀ ସୁଚିତ୍ରାଙ୍କୁ କ୍ୟାବିନେଟରେ ମନ୍ତ୍ରୀ କରିଥିଲେ, କିନ୍ତୁ ୨୦୦୮ରେ ନାଗମଣି ପୁଣି ଆରଜେଡିକୁ ଯାଇଥିଲେ। ଏହାପରେ ନାଗମଣି କ୍ଷମତାକୁ ଆସି ପାରିନଥିଲେ ମଧ୍ୟ ସେ ନିଶ୍ଚିତଭାବେ ୪ ଥର ଦଳ ବଦଳାଇଥିଲେ। ନାଗମଣି ଏବେ ନିଜ ଦଳ ରାଷ୍ଟ୍ରୀୟ ଶୋଷିତ ସମାଜର ସଭାପତି ଅଛନ୍ତି।

ଉପେନ୍ଦ୍ର କୁଶୱାହା

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉପେନ୍ଦ୍ର କୁଶୱାହା ମଧ୍ୟ ଦଳ ବଦଳରେ ଜଣେ ବିଶେଷଜ୍ଞ। କୁଶୱାହା ଏପର୍ଯ୍ୟନ୍ତ ୭ ଥର ଦଳ ବଦଳାଇ ସାରିଛନ୍ତି। ୧୯୮୫ରେ ଜନତା ଦଳରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା କୁଶୱାହା ବର୍ତ୍ତମାନ ରାଷ୍ଟ୍ରୀୟ ଲୋକ ଜନତା ଦଳର ମୁଖ୍ୟ ଅଛନ୍ତି।

୨୦୦୦ ମସିହାରେ ଉପେନ୍ଦ୍ର କୁଶୱାହା ସମତା ପାର୍ଟିର ଚିହ୍ନରେ ବିହାରର ଜାଣ୍ଡାହା ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ। ନୀତୀଶ କୁମାର ତାଙ୍କୁ ବିରୋଧୀ ଦଳ ଉପନେତା ପଦ ପ୍ରଦାନ କରିଥିଲେ। କୁଶୱାହାଙ୍କୁ ବିରୋଧୀ ଦଳ ଉପନେତା କରିବା ପଛର କାରଣ ଥିଲା ଲବ-କୁଶ ସମୀକରଣକୁ ସୁଧାରିବା।

୨୦୦୫ରେ ନୀତୀଶ କ୍ଷମତାକୁ ଆସିବା ପରେ କୁଶୱାହା ବିଦ୍ରୋହ କରିଥିଲେ। ୨୦୦୭ରେ ସେ ନିଜର ରାଷ୍ଟ୍ରୀୟ ସମତା ପାର୍ଟି ଗଠନ କରିଥିଲେ। ତେବେ ୨୦୦୯ ନିର୍ବାଚନରେ କୁଶୱାହାଙ୍କ ଦଳ ପରାଜିତ ହୋଇଥିଲା। ୨୦୧୦ରେ କୁଶୱାହା ପୁଣି ନୀତୀଶ କୁମାରଙ୍କ ପାଖକୁ ଫେରିଥିଲେ। ଜେଡିୟୁ ତାଙ୍କୁ ପୁରସ୍କାର ସ୍ୱରୂପ ରାଜ୍ୟସଭାକୁ ପଠାଇଥିଲା।

୨୦୧୩ରେ କୁଶୱାହା ପୁଣିଥରେ ବିଦ୍ରୋହ କରି ଏନଡିଏକୁ ଯାଇଥିଲେ। ବିଜେପି କୁଶୱାହାଙ୍କୁ ମୋଦି ସରକାରରେ ମନ୍ତ୍ରୀ କରିଥିଲା, କିନ୍ତୁ କୁଶୱାହା ୨୦୧୮ରେ ପୁଣିଥରେ ବିଦ୍ରୋହ କରି ମହାମେଣ୍ଟକୁ ଯାଇଥିଲେ।

୨୦୧୯ ନିର୍ବାଚନରେ ସେ ମହାମେଣ୍ଟରେ ଲଢ଼ିଥିଲେ ମଧ୍ୟ ସଫଳତା ପାଇନଥିଲେ। ଏହାପରେ କୁଶୱାହା ୨୦୨୦ ବିହାର ବିଧାନସଭା ନିର୍ବାଚନରେ ଚତୁର୍ଥ ମୋର୍ଚ୍ଚା ଗଠନ କରିଥିଲେ। ହେଲେ ଗୋଟିଏ ବି ଆସନ ଜିତିବାରେ ସଫଳ ହୋଇନଥିଲେ। ୨୦୨୧ରେ କୁଶୱାହା ପୁଣିଥରେ ଜେଡିୟୁକୁ ଯାଇଥିଲେ, କିନ୍ତୁ ୨୦୨୩ରେ ପୁଣିଥରେ ବିଦ୍ରୋହ କରି ନିଜର ଦଳ ଗଠନ କରିଛନ୍ତି।

ସମ୍ରାଟ ଚୌଧୁରୀ

ବର୍ତ୍ତମାନର ବିହାର ବିଜେପି ରାଜ୍ୟ ସଭାପତି ସମ୍ରାଟ ଚୌଧୁରୀ ମଧ୍ୟ ଦଳ ବଦଳ ରାଜନୀତିର ଜଣେ ଧୁରନ୍ଧର ଖେଳାଳି। ବିହାରର ଓବିସି ନେତା ଶକୁନି ଚୌଧୁରୀଙ୍କ ପୁଅ ସମ୍ରାଟ ୧୯୯୦ ମସିହାରେ ଛାତ୍ର ରାଜନୀତିରୁ ରାଜନୀତି ଆରମ୍ଭ କରିଥିଲେ।୧୯୯୯ରେ ଏକ ରାଜନୈତିକ ବୁଝାମଣା ଅନୁଯାୟୀ ସମ୍ରାଟ ଚୌଧୁରୀଙ୍କୁ ରାବଡି ଦେବୀଙ୍କ ସରକାରରେ ମନ୍ତ୍ରୀ କରାଯାଇଥିଲା।

ସମ୍ରାଟ ଚୌଧୁରୀ ମନ୍ତ୍ରୀ ହେବାମାତ୍ରେ ବିରୋଧୀଙ୍କ ହଟ୍ଟଗୋଳ ଆରମ୍ଭ ହୋଇଯାଇଥିଲା। ବିରୋଧୀ ଅଭିଯୋଗ ହୋଇଥିଲା ଯେ ସମ୍ରାଟ ଚୌଧୁରୀଙ୍କୁ ଲାଲୁ ଯାଦବ କମ୍ ବୟସରେ ମନ୍ତ୍ରୀ କରିଥିଲେ। ହଙ୍ଗାମା ଦେଖି ରାବଡି ଦେବୀ ସମ୍ରାଟଙ୍କଠାରୁ ଇସ୍ତଫା ନେଇଥିଲେ।

୨୦୦୦ ମସିହାରେ ସମ୍ରାଟ ଚୌଧୁରୀ ପରବଟ୍ଟା ଆସନରୁ ବିଧାୟକଭାବେ ନିର୍ବାଚିତ ହୋଇଥିଲେ। ୨୦୧୦ରେ ଲାଲୁ ଯାଦବ ସମ୍ରାଟ ଚୌଧୁରୀଙ୍କୁ ବିଧାନସଭାରେ ବିରୋଧୀ ଦଳର ଉପନେତା କରିଥିଲେ, କିନ୍ତୁ ଚୌଧୁରୀ ୨୦୧୪ରେ ଆରଜେଡିର ୧୩ ଜଣ ବିଧାୟକଙ୍କ ସହ ଦଳ ଭାଙ୍ଗିବା ପରେ ଚର୍ଚ୍ଚାକୁ ଆସିଥିଲେ।

୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ଆରଜେଡି ପାଇଁ ଏହା ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଥିଲା। ଆରଜେଡି ଗଠନ ପରେ ଏହା ଥିଲା ସବୁଠାରୁ ବଡ ବିଭାଜନ। ସମ୍ରାଟ ଚୌଧୁରୀ ନୀତୀଶ କୁମାରଙ୍କ ପାଖକୁ ସମସ୍ତ ବିଧାୟକଙ୍କ ସହ ଯାଇଥିଲେ।

ବର୍ଷକ ମଧ୍ୟରେ ଜେଡିୟୁରେ ଫାଟ ସୃଷ୍ଟି ହୋଇଥିଲା ଏବଂ ନୀତୀଶ  ଜିତନ ରାମ ମାଝୀଙ୍କୁ ଇସ୍ତଫା ଦେବାକୁ କହିଥିଲେ, କିନ୍ତୁ ସେ ବିଦ୍ରୋହ କରିଥିଲେ। ସମ୍ରାଟ ଚୌଧୁରୀ ମଧ୍ୟ ମାଝୀଙ୍କ ବିଦ୍ରୋହକୁ ସମର୍ଥନ କରିଥିଲେ ଏବଂ ସେ ୨୦୧୫ରେ ଜେଡିୟୁ ଛାଡ଼ି ଏଚଏଏମରେ ଯୋଗ ଦେଇଥିଲେ।

୨୦୧୭ରେ ସେ ଜିତନ ରାମ ମାଝୀଙ୍କୁ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ସେବେଠାରୁ ସମ୍ରାଟ ବିଜେପିରେ ଅଛନ୍ତି। ୨୦୨୦ରେ ବିଜେପି ତାଙ୍କୁ ମନ୍ତ୍ରୀ କରିଥିଲା ଏବଂ ୨୦୨୨ରେ ତାଙ୍କୁ ବିଧାନ ପରିଷଦରେ ବିରୋଧୀ ଦଳ ନେତା ମଧ୍ୟ କରାଯାଇଥିଲା।

Tags: #Defection #PoliticsinBihar #Politicians #Politics #Bihar #India

Comment