ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାର ବିଧାନସଭାରେ ସୋମବାର ଅନୁଷ୍ଠିତ ହୋଇଥିବା ଆସ୍ଥାଭୋଟରେ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଏଥିରେ ବିଜେପି-ଜେଡିୟୁ ସମର୍ଥିତ ଏନଡିଏ ସରକାର ସପକ୍ଷରେ ୧୨୯ଟି ଭୋଟ ପଡ଼ିଛି। ତେବେ ଆସ୍ଥାଭୋଟ ବେଳେ କଂଗ୍ରେସ ଓ ଆରଜେଡି ଭଳି ବିରୋଧୀ ଦଳ କକ୍ଷ ତ୍ୟାଗ କରିବାରୁ ନୀତୀଶ କୁମାରଙ୍କ ବିପକ୍ଷରେ କୌଣସି ଭୋଟ ପଡ଼ିନଥିଲା।

ବିଧାନସଭାରେ ଆସ୍ଥାଭୋଟ ସମୟରେ ନୀତୀଶ କୁମାର ନିଜର ବକ୍ତବ୍ୟ ରଖି କଂଗ୍ରେସ ଓ ଆରଜେଡିର ସମାଲୋଚନା କରିଥିଲେ। ବିହାରର ବିକାଶରେ ଉଭୟ ଦଳ କଣ୍ଟା ହୋଇ ଠିଆ ହୋଇଛନ୍ତି ବୋଲି ସେ କହିଥିଲେ।     

“ଆମେ ବିହାରର ବିକାଶ ଏବଂ ଲୋକଙ୍କ ହିତ ପାଇଁ କାମ ଜାରି ରଖିବୁ। ସମାଜର ପ୍ରତି ବର୍ଗଙ୍କ ପ୍ରତି ଆମେ ଧ୍ୟାନ ଦେବୁ”, କହିଥିଲେ ନୀତୀଶ କୁମାର।

ବିହାର ବିଧାନସଭାରେ ମୋଟ ୨୪୩ ଆସନ ରହିଛି। ଏଠାରେ ବହୁମତ ପାଇଁ ୧୨୨ଟି ଆସନର ଆବଶ୍ୟକତା ରହିଥିଲା। ତେବେ ଆସ୍ଥା ଭୋଟରେ ଏନଡିଏକୁ ମିଳିଥିବା ୧୨୯ଟି ଭୋଟ ମଧ୍ୟରେ ୩ ଜଣ ଆରଜେଡି ବିଧାୟକଙ୍କ ଭୋଟ ମଧ୍ୟ ସାମିଲ ଥିବା ସୂଚନା ମିଳିଛି।

ତେବେ ବିହାର ବିଧାନସଭାରେ ଏନଡିଏ ପାଖରେ ୧୨୮ଟି ଆସନ ରହିଛି। ସେଥି ମଧ୍ୟରେ ବିଜେପି ପାଖରେ ୭୮ଟି ଓ ଜେଡିୟୁ ପାଖରେ ୪୫ଟି ଆସନ ରହିଛି। ସେହିପରି ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା (ଏଚଏଏମ) ପାଖରେ ୪ଟି ଆସନ ରହିଥିବା ବେଳେ ଜଣେ ସ୍ୱାଧୀନ ବିଧାୟକ ସୁମିତ ସିଂହ ମଧ୍ୟ ଏନଡିଏରେ ସାମିଲ ହୋଇଛନ୍ତି।

ଜାନୁଆରି ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିହାରରେ ଚାଲିଥିବା ରାଜନୈତିକ ଅନିଶ୍ଚିତତାର ଅନ୍ତ ଘଟାଇଥିଲେ। ଆରଜେଡି, କଂଗ୍ରେସ ଓ ଅନ୍ୟ ଦଳଗୁଡ଼ିକୁ ନେଇ ଗଠିତ ମହାମେଣ୍ଟ ଛାଡ଼ି ସେ ପୁଣି ବିଜେପି ସମର୍ଥିତ ଏନଡିଏରେ ସାମିଲ ହୋଇଥିଲେ।

ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ବିଜେପି ସମର୍ଥନରେ ପୁଣି ବିହାରରେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଜଣାଇଥିଲେ। ଏହାପରେ ସେ ଜାନୁଆରି ୨୭ ତାରିଖରେ ନବମ ଥର ଲାଗି ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। 

ତେବେ ନୀତୀଶ କୁମାରଙ୍କ ନୂଆ ସରକାରକୁ ଲାଲୁ ପ୍ରସାଦ ଯାଦବଙ୍କ ନେତୃତ୍ଵାଧୀନ ଆରଜେଡି ପକ୍ଷରୁ ବିରୋଧ କରାଯାଇଥିଲା। ଦଳ ପକ୍ଷରୁ ଏହି ସରକାର ବିରୋଧରେ ବିହାର ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଅଣାଯାଇଥିଲା, ଯେଉଁଥିରେ ସୋମବାର ନୀତୀଶ କୁମାର ବିଜୟୀ ହୋଇଛନ୍ତି।

Tags: #NitishKumar #CMofBihar #JDU #NDA #BJP #FloorTest #Politics #Bihar

Comment