ଓଡ଼ିଶାଲାଇଭ୍ ବ୍ୟୁରୋ

ଇଂଲିସ୍‌ ଖବରକାଗଜ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ ପକ୍ଷରୁ ହୋଇଥିବା ୨୦୧୯ର ସବୁଠାରୁ ପ୍ରଭାବଶାଳୀ ଭାରତୀୟ ୧୦୦ ତାଲିକାରେ ଧର୍ମେନ୍ଦ୍ର ଆଗରେ, ନବୀନ ପଛରେ!

୨୦୧୯ରେ ପାୱାରଫୁଲ ଭାରତୀୟ କିଏ? ଟପ୍‌-୧୦୦ ତାଲିକାରେ କେଉଁ ଭାରତୀୟ ଅଛନ୍ତି? ଏହାକୁ ନେଇ ଇଂରାଜୀ ଖବରକାଗଜ ‘ଇଣ୍ଡିଆନ୍‌ ଏକ୍ସପ୍ରେସ୍‌’ ପକ୍ଷରୁ ପାୱାରଫୁଲ୍‌ ଲିଷ୍ଟ-୨୦୧୯ ପ୍ରକାଶ ପାଇଛି। ଏହି ତାଲିକାରେ ୪ ଜଣ ଓଡ଼ିଆ ସ୍ଥାନ ପାଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପି କେ ମିଶ୍ର ଟପ୍‌-୧୦୦ ଭିତରେ ଅଛନ୍ତି।

୨୦୧୮ ପାୱାରଫୁଲ୍‌ ଭାରତୀୟ ତାଲିକାରେ ନବୀନ ଏବଂ ଧର୍ମେନ୍ଦ୍ର ରହିଥିଲେ। ଏଥର ବି ନବୀନ ଏବଂ ଧର୍ମେନ୍ଦ୍ର ଏହି ତାଲିକାରେ ନିଜର ସ୍ଥିତି ବଜାୟ ରଖିଛନ୍ତି। କେବଳ ରାଙ୍କିଂର ସ୍ଥାନ ବଦଳି ଯାଇଛି।

୨୦୧୮ରେ ୩୨ତମ ସ୍ଥାନରେ ଥିବା ଧର୍ମେନ୍ଦ୍ର ପ୍ରଧାନ ଏଥର ପାୱାରଫୁଲ୍‌ ଲିଷ୍ଟର ୧୪ତମ ସ୍ଥାନକୁ ଆସିଛନ୍ତି। ସେହିପରି ୨୦୧୮ରେ ୩୦ତମ ରାଙ୍କରେ ଥିବା ନବୀନ ଏଥର ୩୯ତମ ସ୍ଥାନରେ ରହିଛନ୍ତି। ନବୀନଙ୍କ ତୁଳନାରେ ଧର୍ମେନ୍ଦ୍ରଙ୍କୁ ସର୍ବଭାରତୀୟ ସ୍ତରରେ ପାୱାରଫୁଲ୍‌ ଭାବେ ଦର୍ଶାଇଛି ଏହି ଇଂରାଜୀ ଖବରକାଗଜ।

ଧର୍ମେନ୍ଦ୍ରଙ୍କୁ ଓଡ଼ିଶା ବିଜେପିର ପୋଷ୍ଟରବୟ ଭାବେ ଦର୍ଶାଇଛି ଏହି ଖବରକାଗଜ। ଓଡ଼ିଶାରେ ବିଜେପିକୁ ସୁଦୃଢ଼ କରିବାରେ ଧର୍ମେନ୍ଦ୍ରଙ୍କ ବଡ଼ ଭୂମିକା ରହିଥିବା ଦାବି କରାଯାଇଛି। ପୂର୍ବ ଥର ଭଳି ଏଥର ବି ସେ ମୋଦି ସରକାରରେ ଗୁରୁତ୍ୱପୂର୍ଣ୍ଣ ପେଟ୍ରୋଲିୟମ ଏବଂ ନାଚୁରାଲ ଗ୍ୟାସ ମନ୍ତ୍ରାଳୟର ମନ୍ତ୍ରୀ ରହିଛନ୍ତି।

ସେହିପରି ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଆଜି ପର୍ଯ୍ୟନ୍ତ କେବେ ନବୀନ ନିର୍ବାଚନରେ ପରାଜିତ ହୋଇ ନଥିବାରୁ ପାୱାରଫୁଲ୍‌ ଭାରତୀୟଙ୍କ ଭିତରେ ନବୀନଙ୍କୁ ସ୍ଥାନ ମିଳିଛି। ୨୦୦୦ ମସିହାରୁ ନବୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି।

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ୨୯ତମ ରାଙ୍କରେ ଥିବା ବେଳେ ୧୯ତମ ରାଙ୍କରେ ଅଛନ୍ତି ପି କେ ମିଶ୍ର।

ପାୱାରଫୁଲ୍‌ ଭାରତୀୟଙ୍କ ତାଲିକାରେ ୧ ନମ୍ବର ସ୍ଥାନରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେହିପରି ୨ ନମ୍ବର ସ୍ଥାନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରହିଥିବା ବେଳେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ୩ ନମ୍ବର ସ୍ଥାନରେ ରହିଛନ୍ତି।

ସବୁଠୁ ବଡ଼ କଥା ହେଉଛି ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ ପକ୍ଷରୁ ଯେଉଁ ପାୱାରଫୁଲ୍‌ ଭାରତୀୟଙ୍କ ତାଲିକା ପ୍ରକାଶ ପାଇଛି ତାହା କେଉଁ ଆଧାରରେ ହୋଇଛି ତାହା ଏହି ମିଡିଆ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ବିଶେଷକରି କେଉଁ କେଉଁ ଭିତ୍ତି କରି ଏହି ତାଲିକାର କ୍ରମ ସ୍ଥିର କରାଯାଇଛି ତାହା ସଂପୃକ୍ତ ସଂସ୍ଥାକୁ ହିଁ ଜଣା।

ସାଧାରଣ ନିର୍ବାଚନ ୫ ମାସ ତଳେ ଶେଷ ହୋଇଛି। ନିର୍ବାଚନ ପରେ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ ପକ୍ଷରୁ ପ୍ରଭାବଶାଳୀ ଭାରତୀୟଙ୍କ ତାଲିକା ପ୍ରକାଶ ପାଇବାକୁ ନେଇ ରାଜନୀତି କରିଡ଼ରରେ ଭିନ୍ନ ଚର୍ଚ୍ଚା ହେଉଛି।

Comment