ଓଡ଼ିଶାଲାଇଭ୍ ବ୍ୟୁରୋ

ନିଜ ଅଞ୍ଚଳର ଲୋକଙ୍କ ପାଇଁ ଲକ୍ଷେ ଟଙ୍କିଆ ଚାକିରିକୁ ପଛ କରିଦେଲେ ନୌକ୍ଷମ ଚୌଧୁରୀ।
ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବିଗୁଲ୍ ବାଜିଛି। ଅଧିକାଂଶ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ହେଲେ ଏହି ତାଲିକା ଭିତରେ ଏମିତି ଜଣେ ପ୍ରାର୍ଥୀ ଅଛନ୍ତି, ଯାହାଙ୍କୁ ନେଇ ହରିୟାଣା ରାଜନୀତି କରିଡରରେ ଚର୍ଚ୍ଚା ଜୋର୍ ଧରିଛି। ସେ ପ୍ରାର୍ଥୀ ହେଉଛନ୍ତି ନୌକ୍ଷମ ଚୌଧୁରୀ।
ତାଙ୍କ ମା’ ଆଇଏଏସ୍ ଏବଂ ବାପା ଜଜ୍। ନିଜେ ନୌକ୍ଷମ ଲଣ୍ଡନରେ ଚାକିରି କରିଥିଲେ। ମାସକୁ ଲକ୍ଷେ ଟଙ୍କା ଦରମା ପାଉଥିଲେ। କିନ୍ତୁ ଚାକିରି ଛାଡ଼ି ନୌକ୍ଷମ ଲୋକଙ୍କ ସେବା କରିବାକୁ ଲଣ୍ଡନରୁ ହରିୟାଣା ଧାଇଁ ଆସିଛନ୍ତି। ବିଜେପି ତାଙ୍କୁ ଟିକେଟ ଦେଇଛି।
ନୌକ୍ଷମ ତିନୋଟି ବିଷୟରେ ଏମ୍ଏ କରିଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ସେ ଦୁଇଟି ବିଷୟରେ ଏମ୍ଏ କରି ଲଣ୍ଡନ ଯାଇଥିଲେ। ସେଠି ପାଠ ପଢ଼ିବା ସହ ଚାକିରି ମଧ୍ୟ କରିଥିଲେ। ଲଣ୍ଡନରେ ସେ ଆଉ ଗୋଟିଏ ବିଷୟରେ ଏମ୍ଏ ହାସଲ କରିଥିଲେ।
ହରିୟାଣାର ପୁହ୍ନାନା ବିଧାନସଭା ଆସନରୁ ବିଜେପି ତାଙ୍କୁ ପ୍ରାର୍ଥୀ କରିଛି। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ମିରାଣ୍ଡା ହାଉସ୍ କଲେଜରେ ପାଠ ପଢ଼ିବା ବେଳେ ଛାତ୍ର ରାଜନୀତିରେ ସକ୍ରିୟ ଥିଲେ ନୌକ୍ଷମ। ଏହାପରେ ସେ ହରିୟାଣା ରାଜନୀତିରେ ପ୍ରବେଶ କରିଥିଲେ। ବିଭିନ୍ନ ପ୍ରସଙ୍ଗକୁ ନେଇ ନୌକ୍ଷମ ରାଜରାସ୍ତାକୁ ଆସିଥିଲେ। ଲୋକମାନେ ତାଙ୍କୁ ସମର୍ଥନ ବି ଦେଇଥିଲେ।
ଏହାପରେ ନୌକ୍ଷମ ଲଣ୍ଡନ ଚାଲି ଯାଇଥିଲେ। ଲଣ୍ଡନରେ ତିନି ବର୍ଷ ରହିବା ଭିତରେ ନିଜ ରାଜ୍ୟ, ପରିବାର ଏବଂ ସାଧାରଣ ଲୋକଙ୍କ କଥା ମନେପଡ଼ିଲା। ଏଣୁ ସେ ଲକ୍ଷେ ଟଙ୍କିଆ ଚାକିରି ଛାଡ଼ି ହରିୟାଣା ଚାଲି ଆସିଲେ।
ଗତ ଅଗଷ୍ଟ ମାସରେ ସେ ବିଜେପିରେ ଯୋଗ ଦେଇଥିଲେ। ସେହିଦିନଠାରୁ ସେ ପୁହ୍ନାନା ଆସନରେ ଲୋକଙ୍କ ସହ ଯୋଡ଼ି ହୋଇ ରହିଥିଲେ। କୁହାଯାଉଛି ନୌକ୍ଷମ ୧୦ଟି ଭାଷା ଜାଣିଛନ୍ତି।
ନୂଆକରି ବିଧାନସଭା ଆସନରେ ପ୍ରାର୍ଥୀ ହୋଇଥିବା ନୌକ୍ଷମଙ୍କ ପାଇଁ ଅନେକ ଚାଲେଞ୍ଜ ରହିଛି। ତାଙ୍କ ଆଗରେ ଅନ୍ୟ ଦଳର ବହୁ ହେଭିୱେଟ୍ ନିର୍ବାଚନ ଲଢୁଛନ୍ତି। ସେମାନଙ୍କୁ ସାମ୍ନା କରି ନୌକ୍ଷମ କେମିତି ବିଧାନସଭାକୁ ନିର୍ବାଚିତ ହେଉଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି।


















