ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କେଉଁ ଦଳ କେତେ ଲୋକଙ୍କ ସହ ଯୋଡ଼ି ହେଉଛନ୍ତି? ଲୋକଙ୍କ ନିକଟରେ କିଏ ପହଞ୍ଚି ପାରୁଛି? ଏହାକୁ ନେଇ ଗାନ୍ଧୀ ଜୟନ୍ତୀରେ ତିନି ପ୍ରମୁଖ ଦଳ ଭିତରେ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ଲୋକଙ୍କ ସହ ଯୋଡ଼ି ହେବା ପାଇଁ ତିନି ଦଳ ଆରମ୍ଭ କରିଥିଲେ ପଦଯାତ୍ରା।

ଗାନ୍ଧୀ ଜୟନ୍ତୀରୁ ବିଜେଡି, ବିଜେପି ଏବଂ କଂଗ୍ରେସର ପଦଯାତ୍ରା ଆୟୋଜନକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ।

ଭୁବନେଶ୍ୱରରୁ ବିଜେଡି ଆରମ୍ଭ କଲା ପଦଯାତ୍ରା

ପ୍ରତିବର୍ଷ ଭଳି ଏଥର ମଧ୍ୟ ବିଜୁ ଜନତା ଦଳ ପଦଯାତ୍ରା ଆରମ୍ଭ କରିଛି। ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ପଦଯାତ୍ରା ଅକ୍ଟୋବର ୧୧ ଯାଏଁ ଚାଲିବ। ଏହି ପଦଯାତ୍ରାକୁ ଆଜି ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକାମ୍ର ନିର୍ବାଚନମଣ୍ଡଳୀର ୭୨ ନମ୍ବର ଓ୍ୱାର୍ଡରୁ ଆରମ୍ଭ ହୋଇଥିଲା ପଦଯାତ୍ରା।

ଏହି ପଦଯାତ୍ରାରେ ନବୀନ ଦଳୀୟ କର୍ମୀ ଏବଂ ନେତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ଲୋକଙ୍କ ସହ ଯୋଡ଼ି ହୋଇ ରହିବା ସହ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଲୋକଙ୍କ ସେବା କରିବାକୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ନବୀନ ବିଜେଡିର ସୋସିଆଲ ସର୍ଭିସ ଉଇଙ୍ଗ ଘୋଷଣା କରିଥିଲେ। ଏହି ୱିଙ୍ଗ ସମାଜସେବା କରିବ ବୋଲି ବୋଲି ନବୀନ କହିଥିଲେ।

ଭୁବନେଶ୍ୱରରୁ ଆରମ୍ଭ ହୋଇଥିବା ପଦଯାତ୍ରା ଜିଲ୍ଲା ଏବଂ ବ୍ଲକ ସ୍ତରରେ ଆୟୋଜନ କରାଯିବ। ନେତାମାନେ ଲୋକଙ୍କ ପାଖକୁ ଯିବେ। ରାଜ୍ୟ ସରକାରଙ୍କ ଲୋକପ୍ରିୟ ଯୋଜନା ସମ୍ପର୍କରେ ଅବଗତ କରିବେ।

ବିଜେପିର ଗାନ୍ଧୀ ସଂକଳ୍ପ ଯାତ୍ରା

ବିଜେଡିର ଜନସମ୍ପର୍କ ପଦଯାତ୍ରା ଭଳି ବିଜେପି ଏଥର ଗାନ୍ଧୀ ସଂକଳ୍ପ ଯାତ୍ରା ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ସାରା ଦେଶରେ ଆରମ୍ଭ ହୋଇଥିବା ଏହି ଯାତ୍ରା ଓଡ଼ିଶାରେ ବି ଶୁଭାରମ୍ଭ ହୋଇଛି। କଟକ ତେଲେଙ୍ଗାପେଣ୍ଠରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପଦଯାତ୍ରା ଶୁଭାରମ୍ଭ କରିଥିଲେ। ପଦଯାତ୍ରା କରି ଗାନ୍ଧୀ ବାର୍ତ୍ତା ପ୍ରଚାର କରିଥିଲେ।

ସିଙ୍ଗଲ ୟୁଜଡ୍‌ ପ୍ଲାଷ୍ଟିକ ବର୍ଜନ କରିବା, ଜଳ ସଂରକ୍ଷଣ କରିବା, ବୃକ୍ଷ ରୋପଣ କରିବା ଏବଂ ଗାନ୍ଧୀଙ୍କ ମାର୍ଗରେ ଚାଲିବାକୁ ନେଇ ଧର୍ମେନ୍ଦ୍ର ଶପଥପାଠ କରାଇଥିଲେ।

ଅନ୍ୟପଟେ ବାଲେଶ୍ୱରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡା ଏବଂ ବିଜୟ ମହାପାତ୍ର ମଧ୍ୟ ପଦଯାତ୍ରା ଶୁଭାରମ୍ଭ କରି ଗାନ୍ଧୀଙ୍କ ବାର୍ତ୍ତା ପ୍ରଚାର କରିଥିଲେ।

କଂଗ୍ରେସର ଅହିଂସା ପଦଯାତ୍ରା

ଗାନ୍ଧୀ ଜୟନ୍ତୀରୁ ରାଜନୀତିକ ଫାଇଦା ନେବା ପାଇଁ କଂଗ୍ରେସ ବି ପଛରେ ପଡ଼ି ନଥିଲା। ଭୁବନେଶ୍ୱର ଗାନ୍ଧୀ ପାର୍କରୁ କଂଗ୍ରେସ ଭବନ ପର୍ଯ୍ୟନ୍ତ ପଦଯାତ୍ରା ଆୟୋଜନ କରାଯାଇଥିଲା। ଏହାର ନାଁ ରଖାଯାଇଥିଲା ଅହିଂସା ପଦଯାତ୍ରା। ଏଥିରେ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ସମେତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ସୁର ରାଉତରାୟ, ଇଂ ମହମ୍ମଦ ମୋକିମଙ୍କ ସମେତ ଅନ୍ୟ ନେତାମାନେ ସାମିଲ ହୋଇଥିଲେ।

ତିନି ଦଳ ଗାନ୍ଧୀ ଜୟନ୍ତୀରେ ପଦଯାତ୍ରା କରି ରାଜ୍ୟ ରାଜନୀତିକୁ ସରଗରମ କରିଛନ୍ତି। ଏହି ପଦଯାତ୍ରା ମାଧ୍ୟମରେ କେଉଁ ଦଳ କେତେ ଲୋକଙ୍କ ନିକଟତର ହେଉଛନ୍ତି ଏବଂ କେଉଁ ଦଳ ପ୍ରତି ଲୋକେ ଭରସା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Comment