ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ସାରା ଦେଶରେ ବିଜେପି ଗାନ୍ଧୀ ସଂକଳ୍ପ ପଦଯାତ୍ରା ଆରମ୍ଭ କରିଛି। ଏହି କ୍ରମରେ ଓଡ଼ିଶାରେ ପଦଯାତ୍ରା ଆରମ୍ଭ ହୋଇଛି। କଟକ ତେଲେଙ୍ଗାପେଣ୍ଠରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ତେଲେଙ୍ଗାପେଣ୍ଠରୁ ବାଲିସାହି ପର୍ଯ୍ୟନ୍ତ ପଦଯାତ୍ରା ଯାଇଥିଲା।

ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ‘‘ଦେଶ ତଥା ରାଜ୍ୟରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ବିଜେପି ପକ୍ଷରୁ ଐତିହାସିକ ସ୍ଥାନ ତେଲେଙ୍ଗାପେଣ୍ଠରୁ ଗାନ୍ଧୀ ସଂକଳ୍ପ ପଦଯାତ୍ରା ଆୟୋଜନ କରାଯାଇଛି।’’

‘‘ସତ୍ୟନିଷ୍ଠ, ସାଧୁତା ଓ ମାନବିକତାର ଅନନ୍ୟ ମୂର୍ତ୍ତିମନ୍ତ ପ୍ରତୀକ ହେଉଛନ୍ତି ମହାତ୍ମା ଗାନ୍ଧୀ। ଆହିଂସା ନୀତିରେ ତାଙ୍କର ଥିଲା ଅଖଣ୍ଡ ବିଶ୍ୱାସ। ଏହା ମାନବ ସମାଜ ଏବଂ ଦେଶର ସର୍ବାଙ୍ଗୀନ ବିକାଶ ପାଇଁ ଏକ ଅନିର୍ବାର୍ଯ୍ୟ ଆବଶ୍ୟକତା। ସମାଜର ତୃଣମୂଳ ସ୍ତରର ଲୋକଙ୍କ ପାଖରେ ଯୋଜନା ପହଞ୍ଚାଇବା ଥିଲା ବାପୁଙ୍କ ବିଚାରର ମୂଳମନ୍ତ୍ର। ଗାନ୍ଧୀ ବିଚାରର ଲକ୍ଷ୍ୟ ସର୍ବୋଦୟ। ଏହି ସର୍ବୋଦୟ ହିଁ ନରେନ୍ଦ୍ର ମୋଦିଙ୍କ ଶାସନ ବ୍ୟବସ୍ଥାର ମୂଳବିନ୍ଦୁ। ଗାନ୍ଧୀଙ୍କ ସ୍ୱପ୍ନକୁ ସାର୍ଥକ କରିବା ପାଇଁ ମୋଦୀ ସରକାର ଅଙ୍ଗୀକାରବଦ୍ଧ’’, କହିଛନ୍ତି ଧର୍ମେନ୍ଦ୍ର।

ଭାରତକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବା, ପ୍ଲାଷ୍ଟିକ୍ ବଦଳରେ କପଡ଼ା ଓ କାଗଜ ବ୍ୟାଗ୍‌ ବ୍ୟବହାର କରିବା, ଜଳ ସଂରକ୍ଷଣ ଓ ଜନସଂଖ୍ୟା ନିୟନ୍ତ୍ରଣର ବାର୍ତ୍ତା ପ୍ରଚାର କରିବା ପାଇଁ ଧର୍ମେନ୍ଦ୍ର ଶପଥପାଠ କରାଇଥିଲେ।

ଏହାସହ ରାଜ୍ୟର ଅନ୍ୟ ସଂସଦୀୟ କ୍ଷେତ୍ରରେ ବିଜେପିର ଅନ୍ୟ ବରିଷ୍ଠ ନେତାମାନେ ପଦଯାତ୍ରା ଶୁଭାରମ୍ଭ କରିଥିଲେ।

Comment