ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

‘‘ଦେଶ ପାଇଁ ପ୍ରତ୍ୟେକ ବ୍ୟକ୍ତି ସଂକଳ୍ପ ନେବା ଦରକାର। ଦେଶ ପ୍ରତି ନିଜର ଦାୟିତ୍ୱ କ’ଣ ରହିଛି ସେ ବିଷୟରେ ମଧ୍ୟ ସମସ୍ତେ ସଚେତନ ହେବା ଦରକାର। ଗାନ୍ଧୀ ଜୟନ୍ତୀରେ ସମସ୍ତେ କିଛି ନା କିଛି ସଂକଳ୍ପ ନେଇ କାମ କରନ୍ତୁ। ଆଗାମୀ ବର୍ଷକୁ ଅପେକ୍ଷା କରନ୍ତୁ। ନିଶ୍ଚିତ ସଂକଳ୍ପ ସାକାର ହେବ’’, ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ସମାରୋହକୁ ସାରା ଦେଶରେ ପାଳନ କରାଯାଉଛି। ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାପୁଙ୍କ ସ୍ୱପ୍ନର ଭାରତକୁ ସାକାର କରିବା ପାଇଁ ଆହ୍ୱାନ ଦେଇଛନ୍ତି।

‘‘ବାପୁଙ୍କ ସ୍ୱପ୍ନର ଭାରତ ଏବେ ନୂଆ ଭାରତର ରୂପ ନେଉଛି। ଯେଉଁଦିନ ପରିବେଶ ପ୍ରଦୂଷଣମୁକ୍ତ ହେବ, ଯେଉଁଦିନ ଚାରିଆଡ଼େ ସ୍ୱଚ୍ଛତା ଆସିବ, ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ଏବଂ ଫିଟ୍‌ ରହିବେ, ଯେଉଁଦିନ ସମସ୍ତ ନାଗରିକମାନେ ସୁରକ୍ଷିତ ରହିବେ ସେହିଦିନ ବାପୁଙ୍କ ସ୍ୱପ୍ନର ଭାରତ ସାକାର ହେବ’’, କହିଛନ୍ତି ପ୍ରଧାନମନ୍ତ୍ରୀ।

ମୋଦୀ ଆହୁରି କହିଥିଲେ ଯେ ପ୍ରତି ଗାଁକୁ ସ୍ୱାବଳମ୍ବୀ କରିବା ପାଇଁ ଗାନ୍ଧୀଜୀ ଚାହୁଁଥିଲେ। ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଯୋଜନା ଜରିଆରେ ଗାନ୍ଧୀଜୀଙ୍କ ଏହି ସ୍ୱପ୍ନ ସାକାର କରିବା ପାଇଁ ଆମେ ପ୍ରୟାସ କରୁଛୁ। ଆମ ସରକାର ଉଜ୍ଜ୍ୱଳା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜନଧନ ଯୋଜନା, ସୌଭାଗ୍ୟ ଯୋଜନା, ସ୍ୱଚ୍ଛ ଭାରତ ଯୋଜନା ମାଧ୍ୟମରେ ଗାନ୍ଧୀଜୀଙ୍କ ସ୍ୱପ୍ନ ପୂରଣ କରିବାକୁ ଉଦ୍ୟମ ଜାରି ରହିଛି।

ବାପୁ ସତ୍ୟ ଓ ଅହିଂସା ମାର୍ଗ ଦେଖାଇଥିଲେ। ଆଜି ଆମେ ସେହି ରାସ୍ତାରେ ଚାଲୁଛୁ। ସମୃଦ୍ଧ ଏବଂ ସଶକ୍ତ ଭାରତ ନିର୍ମାଣ କରିବାକୁ ପ୍ରୟାସ ଜାରି ରହିଥିବା ମୋଦୀ କହିଥିଲେ।

Comment