ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କଥା ରଖିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସରେ ଏଣିକି ‘ଲୋକଙ୍କ ସହ ସିଧା କଥା ହେବି’ କହିଥିବା ମୁଖ୍ୟମନ୍ତ୍ରୀ ବୁଧବାର ଦିନ କଥା ହୋଇଥିଲେ। ‘ମୋ ସରକାର’ କାର୍ଯ୍ୟକ୍ରମ ଶୁଭାରମ୍ଭ କରି ନବୀନ ୯ ଜଣଙ୍କ ସହ ଫୋନ୍‌ରେ କଥା ହୋଇଥିଲେ।

ଥାନା ଏବଂ ଡାକ୍ତରଖାନାରେ କେମିତି ସେବା ମିଳିଲା ତାହା ପଚାରି ବୁଝିଥିଲେ ନବୀନ।

ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାପିଟାଲ ହସ୍ପିଟାଲ ଏବଂ ସହିଦ ନଗର ଥାନା ପରିସରରେ ‘ମୋ ସରକାର’ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ରୁ ଯାଇଥିଲା ଫୋନ୍‌। କଥା ହୋଇଥିଲେ ନିଜେ ନବୀନ।

ବଲାଙ୍ଗିର, ସୁନ୍ଦରଗଡ଼, ମାଲକାନଗିରି, ଯାଜପୁର, ବାରିପଦା ଜିଲ୍ଲାର ଜଣେ ଲେଖାଏଁ ରୋଗୀଙ୍କୁ ଫୋନ୍‌ କରି ମତାମତ ନେଇଥିଲେ। ମେଡିକାଲରେ ଡାକ୍ତର ତାଙ୍କୁ କେମିତି ବ୍ୟବହାର କଲେ, ଔଷଧ ମିଳିଲା କି ନାହିଁ ଏସବୁ ପଚାରି ବୁଝିଥିଲେ ନିଜେ ନବୀନ।

ଏହାପରେ ନୟାଗଡ଼, ଗଞ୍ଜାମ, ବାଲେଶ୍ୱର ଏବଂ ଭବାନିପାଟଣାର ଜଣେ ଲେଖାଏଁ ଲୋକଙ୍କ ସହ କଥା ହୋଇଥିଲେ ନବୀନ। ଅଭିଯୋଗ ନେଇ ଥାନାକୁ ଯିବା ପରେ ଥାନା ବାବୁ କେମିତି ବ୍ୟବହାର ପ୍ରଦର୍ଶନ କଲେ ତାହା ପଚାରିଥିଲେ ମୁଖ୍ୟମନ୍ତ୍ରୀ।

ଜଣକ ପରେ ଜଣେ ଲୋକଙ୍କ ପାଖକୁ ଯାଇଥିଲା ଫୋନ୍‌। ‘ନମସ୍କାର! ମୁଁ ନବୀନ ପଟ୍ଟନାୟକ କହୁଛି’ରୁ ଆରମ୍ଭ ହେଉଥିଲା କଥାବାର୍ତ୍ତା। ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚାରୁଥିଲେ ମୁଖ୍ୟମନ୍ତ୍ରୀ ଏବଂ ଅପରପଟୁ ଲୋକେ ପ୍ରଶ୍ନର ଉତ୍ତର ଦେଉଥିଲେ।

ଆଜିଠୁ ରାଜ୍ୟର ସମସ୍ତ ଥାନା ଏବଂ ୨୧ଟି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସମେତ ୩ଟି ସରକାରୀ ମେଡିକାଲ କଲେଜରେ ମୋ ସରକାର ଆରମ୍ଭ ହୋଇଛି। ଅକ୍ଟୋବର ୩୦ ସୁଦ୍ଧା ସବୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏହା କାର୍ଯ୍ୟକାରୀ ହେବ। ୨୦୧୯ ମାର୍ଚ୍ଚ ୫ ତାରିଖ ସୁଦ୍ଧା ସବୁ ବିଭାଗରେ ମୋ ସରକାର କାର୍ଯ୍ୟକାରୀ ହେବ।

ମୋ’ ସରକାର କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ଟୋଲ ଫ୍ରି ନମ୍ବର ଜାରି କରିଛନ୍ତି। ୧୪୫୪୫ ନମ୍ବରରେ ଫୋନ୍‌ କରି ଲୋକେ ଥାନା ଓ ଡାକ୍ତରଖାନା ସମ୍ପର୍କରେ ଅଭିଯୋଗ ପଞ୍ଜିକରଣ କରିପାରିବେ।

ଥାନାକୁ ଅଭିଯୋଗ ନେଇ ଆସୁଥିବା ଲୋକଙ୍କର ଫୋନ ନମ୍ବର ପ୍ରଥମେ ପଞ୍ଜିକୃତ ହେବ। ମୋ’ ସରକାର ପୋର୍ଟାଲ ସହ ଏହାକୁ ସଂଯୋଗ କରାଯିବ। ପରେ ମୋ ସରକାର ପୋର୍ଟାଲରୁ ଅଭିଯୋଗକାରୀଙ୍କ ପାଖକୁ ୨୪ ଘଣ୍ଟା ଭିତରେ ଏକ ମେସେଜ ଯିବ। ଅଭିଯୋଗକାରୀଙ୍କ ଫୋନ ନମ୍ବର ପଞ୍ଜିକରଣ କରିବାରେ ଥାନା ଅଧିକାରୀ ଯଦି ଅବହେଳା କରନ୍ତି ତାହାଲେ ସେମାନେ ଟୋଲ ଫ୍ରି ନମ୍ବରକୁ ଫୋନ୍‌ କରିପାରିବେ। ଥାନାରେ ପଞ୍ଜିକୃତ ହୋଇଥିବା ମୋବାଇଲ ନମ୍ବର ମଧ୍ୟରୁ ୧୦ଟି ନମ୍ବରକୁ ଫୋନ୍ କରି ମତାମତ ନେବେ ମୁଖ୍ୟମନ୍ତ୍ରୀ।

Comment