ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୁଷ ପୁରୁଷ ଧରି ଜରି ମେଢ଼ ତିଆରି କରି ଆସୁଛନ୍ତି ମୁସଲମାନ କାରିଗର।

(କଟକରୁ ଜୟ ମହାନ୍ତି): ସମୟ ବଦଳିଛି। ତା’ ସହ ତାଳ ଦେଇ କଟକର ଦୁର୍ଗା ପୂଜା ପାଳନର ଷ୍ଟାଇଲ୍‌ ବି ବଦଳିଛି। ଏବେ ଅଧିକାଂଶ ପୂଜା ମଣ୍ଡପରେ ଚାନ୍ଦି ମେଢ଼ ଶୋଭା ପାଉଥିବା ବେଳେ ଆଉ କିଛି ପୂଜା ମଣ୍ଡପରେ ମା’ଙ୍କୁ ସୁନା ଅଳକଙ୍କାର ଲାଗି କରାଯାଉଛି। ଚାନ୍ଦି ଓ ସୁନା ଭିତରେ ଜରି ମେଢ଼ର ଚମକ ହଜିନି। ଏବେ ବି କଟକର ବହୁ ପୂଜା ମଣ୍ଡପରେ ଜରି ମେଢ଼ ଆକର୍ଷଣ ପାଲଟିଛି। ଏହି ଜରି ମେଢ଼ ତିଆରିରେ ମୁସଲମାନ କାରିଗରଙ୍କ ପ୍ରମୁଖ ଅବଦାନ ରହିଛି। ଦୁର୍ଗା ପୂଜାରେ ମୁସଲମାନ ସଂପ୍ରଦାୟଙ୍କ ଅବଦାନ ଭାଇଚାରା ପରମ୍ପରାକୁ ଆହୁରି ମଜଭୁତ କରିପାରିଛି।

ଦୁର୍ଗା ପୂଜା ସମୟରେ ଭାଇଚାରାର ସହର କଟକରେ ମୁସଲମାନ ସଂପ୍ରଦାୟର କାରିଗରମାନଙ୍କର ଅବଦାନକୁ ଭୁଲି ହେବ ନାହିଁ। ଜରିମେଢ ନିର୍ମାଣରେ ପୁରୁଷ ପୁରୁଷ ଧରି ମୁସଲମାନ କାରିଗରମାନନଙ୍କର ପ୍ରମୁଖ ଅବଦାନ ରହି ଆସିଛି।

ଚାନ୍ଦି ମେଢ଼ ପୂର୍ବରୁ ପ୍ରାୟ ସବୁ ମଣ୍ଡପରେ ଜରି ମେଢ଼ ଶୋଭା ପାଉଥିଲା। ତେବେ ଏହି ଜରିମେଢ଼ କେମିତି ତିଆରି ହୁଏ ଜାଣନ୍ତୁ।

ପ୍ରଥମେ ବାଉଁଶ କଣିରେ ବନ୍ଧାଯାଏ ମେଢ। ଏହାପରେ ତିଆରି କରାଯାଏ ଛାଞ୍ଚ। ଏହା ଉପରେ ଜରି, କାଗଜ ପ୍ଲେଟ ଆଦିରେ ତିଆରି କରାଯାଏ ସୁନ୍ଦର ସୁନ୍ଦର ଡିଜାଇନ। ଜରିମେଢ, କାଗଜ ମେଢ ହେଉ କିମ୍ବା ପ୍ଲେଟମେଢ, ଭାରି ଯତ୍ନର ସହିତ କରିବାକୁ ପଡେ ଏହି କାମ। ଡିଜାଇନ୍ ପ୍ରସ୍ତୁତ ହୋଇଯିବା ପରେ ତା ଉପରେ ଚୁମକି ସଜାଇ ଦିଆଯାଏ।

ଜରି, କାଗଜ, ଭେଲଭେଟ, ଜମ୍ବୁରା, କାର୍ଡ ବୋର୍ଡ ପେପର, ସୋଲ ଆଦିକୁ କାଟିବା ପରେ ତାଉପରେ ଆଙ୍କିବାକୁ ପଡେ ଭିନ୍ନ ଭିନ୍ନ ଡିଜାଇ। ତା’ ଉପରେ ସଜାଯାଏ ବୁଲିଏନ, ଚୁମକି, ଭେଲଭେଟ ଆଦି ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିବା ଚିକମିକ ସାମଗ୍ରୀ।

ମେଢ଼ ସାଜସଜା କ୍ଷେତ୍ରରେ ଜରି ମେଢ ଯେତିକି ପୁରୁଣା ସେତିକି ଆକର୍ଷଣୀୟ ମଧ୍ୟ। ଚାନ୍ଦିମେଢ ଗୋଟିଏ ଡିଜାଇନରେ ପ୍ରତି ବର୍ଷ ଶୋଭାପାଉ ଥିବା ବେଳେ, ନୂଆ ନୂଆ ଡିଜାଇନ ଦେଖିବାକୁ ମିଳେ ଜରିମେଢ, ପ୍ଲେଟ ମେଢ ଗୁଡିକରେ। ସବୁଠାରୁ ବଡ କଥା ହେଉଛି ଏହି ମେଢ ପ୍ରସ୍ତୁତି କ୍ଷେତ୍ରରେ କଟକ ସହରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି ମୁସଲମାନ କାରିଗରମାନେ।

ପୁରୁଷ ପୁରୁଷ ଧରି ଏମାନେ ନିଜକୁ ନିୟୋଜିତ କରିଛନ୍ତି ମା ଦୁର୍ଗାଙ୍କର ଏହି ମେଢ ତିଆରି କାମରେ। ଏପରିକି ମୁସଲମାନ ପରିବାରର ମହିଳାମାନେ ମଧ୍ୟ ଲାଗିପଡନ୍ତି ମା’ ଙ୍କ ଆଗମନ ପାଇଁ ମେଢ ପ୍ରସ୍ତୁତିରେ। ଦୁର୍ଗା ପୂଜାର ଦୁଇ ତିନି ମାସ ଆଗରୁ କାମ ଆରମ୍ଭ କରି ଦିଅନ୍ତି ମୁସଲିମ୍ କାରିଗରମାନେ। କେବଳ କଟକ ସହର ନୁହେଁ,  ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ବେଶ ପ୍ରସିଦ୍ଧି ରହିଛି ଏହି କାରିଗରମାନଙ୍କର।

ଏବେ ଜରି ମେଢ ପରମ୍ପରା ବଞ୍ଚି ରହିଥିବା ବେଳେ ଏଥିରେ ପରିଲକ୍ଷିତ ହୋଇଛି ସାମାନ୍ୟ ଭିନ୍ନତା। ଡିମାଣ୍ଡ ଅନୁଯାୟୀ ଯୋଡା ଯାଉଛି କିଛି ନୂଆ ନୂଆ ମେଟେରିଆଲ। ସରିଫ୍ ଖାନ୍, ଆବିଦ୍ ଅଲ୍ଲୀ, ରେହେମତ୍ ଖାନ୍, ସୟଦ୍ ଅସଲମ୍ ଅଲ୍ଲୀ ଆଦି ଖ୍ୟାତନାମା କାରିଗର ଓ ତାଙ୍କ ପରିବାରବର୍ଗଙ୍କ ସମେତ କଟକ ସହରରେ ଅନେକ ମୁସଲମାନ ପରିବାର ଅଛନ୍ତି ଯେଉଁମାନେ ଦୁର୍ଗାପୂଜା ଆସିଲେ ହୋଇ ଯାଆନ୍ତି ଚଳଚଞ୍ଚଳ। ଉଭୟ ଚାନ୍ଦି ମେଢ ତଥା ଜରି-ବୁଲିଆନ୍-ପ୍ଲେଟ ମେଢ ଗୁଡିକର ଅଲଗା ଅଲଗା ସ୍ୱତନ୍ତ୍ରତା ଓ ଆକର୍ଷଣ ରହିଥିବା ମତ ଦିଅନ୍ତି କଟକବାସୀ।

ମୁସଲମାନ ଭାଇ ଭଉଣୀମାନେ ମା’ ଦୁର୍ଗାଙ୍କର ମେଢ ତିଆରିରେ ବିଗତ ଅନେକ ବର୍ଷ ଧରି ସାମିଲ ହୋଇ ଆସୁଛନ୍ତି। ପବିତ୍ର ରମଜାନ୍ ମାସରେ ଯେତେବେଳେ ମୁସଲମାନ ଭାଇଭଉଣୀମାନେ ନିଷ୍ଠାର ସହିତ ରୋଜା ବ୍ରତ ପାଳନ କରନ୍ତି ସେତେବେଳେ ହିନ୍ଦୁ ଘରୁ ମଧ୍ୟ ମସଜିଦକୁ ଆସିଥାଏ ଇଫତାର୍ ଥାଳି।

୮୦ ପୂଜା ମଣ୍ଡପରେ ମା’ ଦୁର୍ଗା

ବିଡାନାସୀଠାରୁ କହ୍ନେଇପୁର ଏପଟେ ଜଗତପୁରଠାରୁ ଫୁଲନଖରା ପର୍ଯ୍ୟନ୍ତ ଅଞ୍ଚଳ ଏବେ ଉଠୁଛି ପଡୁଛି। କାରଣ ପାର୍ବଣ ପାଇଁ ଏସବୁ ଅଞ୍ଚଳ ଉତ୍ସବମୁଖର ହୋଇ ଉଠିଛି।

ଏହି ଅଞ୍ଚଳଗୁଡ଼ିକରେ ଚଳିତ ବର୍ଷ ପ୍ରାୟ ୧୬୭ଟି ପୂଜା ମଣ୍ଡପରେ କରାଯାଉଛି। କେବଳ କଟକ ସହର ଭିତରେ ୧୪୦ଟି ପୂଜା ମଣ୍ଡପରେ ଚାଲିଛି ଦୁର୍ଗାପୂଜା। ଏହା ଭିତରୁ ୮୦ ପାଖାପାଖି ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କର ପୂଜା ରୀତିନୀତି ଅନୁଯାୟୀ ମହାଷଷ୍ଠୀଠାରୁ ଆରମ୍ଭ ହୋଇଯାଇଛି। ଅନ୍ୟ ମଣ୍ଡପଗୁଡ଼ିକରେ କେଉଁଠି ହରପାର୍ବତୀ ପୂଜା ପାଉଛନ୍ତି ତ ଅନ୍ୟ ଦେବାଦେବୀଙ୍କର ଆରାଧନା କରାଯାଉଛି।

କେଉଁଠି ପ୍ରଭୁ ଚୈତନ୍ୟଙ୍କର ପୂଜା କରାଯାଉଛି ତ ଆଉ କେଉଁଠି ପୂଜା ପାଉଛନ୍ତି ଭାରତ ମାତା। ପୁଣି କେଉଁଠାରେ କାଳୀୟଦଳନ ମୂଦ୍ରାରେ ପୂଜା ପାଉଛନ୍ତି ଶ୍ରୀକୃଷ୍ଣ।

ଏଥର ୨୭ ଚାନ୍ଦି ମେଢ଼

ଗତବର୍ଷ ସିଲଭର୍ ସିଟି କଟକରେ ଚାନ୍ଦୀ ମେଢ ସଂଖ୍ୟା ୨୪ ରହିଥିବା ବେଳେ, ଚଳିତ ବର୍ଷ ଏହି ସଂଖ୍ୟା ବୃଦ୍ଧି ପାଇ୨୭ରେ ପହଞ୍ଚିଛି। ସାଂସ୍କୃତିକ ପ୍ରାଣକେନ୍ଦ୍ର ତଥା ଐତିହାସିକ କଟକ ସହରର ଦୁର୍ଗାପୂଜାକୁ ନେଇ ଏକ ସ୍ୱତନ୍ତ୍ର ପରିଚୟ ରହିଆସିଛି।  ଦୁର୍ଗାପୂଜା ମେଢକୁ ନେଇ କଟକ ସହରର ଏକ ବିଶେଷ ଖ୍ୟାତି ରହିଥିବା ବେଳେ, ମେଢ଼ ନିର୍ମାଣରେ ମଧ୍ୟ ବିଶେଷ ଧ୍ୟାନ ଦିଅନ୍ତି ପୂଜା କମିଟିଗୁଡିକ। ଚାନ୍ଦି ମେଢ଼ ସଂଖ୍ୟା ସିନା ଏଥର ୨୭ରେ ପହଞ୍ଚିଗଲା ହେଲେ ଏବେ ମଧ୍ୟ ଅତୁଟ ରହିଛି ଜରିମେଢର ପରମ୍ପରା। ଦୁର୍ଗାପୂଜା ପରମ୍ପରାରେ ସାଜସଜା କ୍ଷେତ୍ରରେ ଜରି ମେଢ ଯେତିକି ପୁରୁଣା ସେତିକି ଆକର୍ଷଣୀୟ ମଧ୍ୟ।

Comment