ଓଡ଼ିଶାଲାଇଭ୍ ବ୍ୟୁରୋ

ଚାନ୍ଦିନୀଚୌକ, ଖାନନଗର, ରାଣୀହାଟରେ ମୀନାବଜାର।

କଟକ: ସୁନା, ଚାନ୍ଦିର ଚମକ ସାଙ୍ଗକୁ ଆକର୍ଷଣୀୟ ତୋରଣ ଓ ଲାଇଟ୍‌ ଗେଟ୍‌ କଟକ ଦଶହରାରେ ଅଧିକ ଚମକ ଆଣିଥାଏ। ତୋରଣ, ରଙ୍ଗ ବେରଙ୍ଗର ଆଲୋକମାଳାରେ କଟକ ସହର ଝଲସି ଉଠେ। ଲୋକେ ରାତିରେ ବିଭିନ୍ନ ପୂଜାମଣ୍ଡପ ବୁଲି ଏସବୁର ମଜା ନେଇଥାନ୍ତି।

ତେବେ କଟକ ଦଶହରା ଦେଖିବାକୁ ଆସୁଥିବା ଲୋକଙ୍କୁ ଆଉ ଟିକେ ମଜା ଦେବା ପାଇଁ କିଛି ପୂଜାମଣ୍ଡପରେ ମୀନାବଜାର ପଡ଼ିଛି। ଲୋକେ ମେଢ଼ ଦେଖିବେ, ମୀନା ବଜାର ବୁଲି ଜିନିଷ କିଣି ଦୋଳିର ମଜା ନେଇପାରିବେ। ଚାନ୍ଦିନୀଚୌକ, ଖାନନଗର, ରାଣୀହାଟ ପୂଜା କମିଟି ପକ୍ଷରୁ ଏହା ଆୟୋଜନ କରାଯାଇଛି।

ଚାନ୍ଦିନୀଚୌକ ପୂଜା କମିଟି ଦୀର୍ଘ ବର୍ଷ ହେଲା ଏଠାରେ ମେଳା ଆୟୋଜନ କରି ଆସୁଛି। ପୂର୍ବରୁ ଚାନ୍ଦିନୀଚୌକ ମେଳା ପଡ଼ିଆରେ ମୀନା ବଜାର ପଡୁଥିଲା। ଦଶହରାରେ ଲୋକେ ଦୁର୍ଗାଙ୍କ ଦର୍ଶନ କରିବା ସହ ପାଖକୁ ଲାଗି ଥିବା ମେଳା ପଡ଼ିଆରେ ମୀନାବଜାରର ମଜା ନେଉଥିଲେ।

କିନ୍ତୁ ଗହଳି ବଢ଼ିବାରୁ ଏବଂ ୱାନ ୱେ ଟ୍ରାଫିକ୍ କଟକଣା ଯୋଗୁଁ ମୀନାବଜାର ଗୁରୁତ୍ୱ ହରାଉଥିଲା। ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ମୀନାବଜାରକୁ ସ୍ଥାନାନ୍ତର କରାଯାଇଛି। ବେଲିଭ୍ୟୁ ଛକ ପାର୍ଶ୍ୱରେ ଥିବା ଏକ ଖାଲି ସ୍ଥାନରେ ଏଥର ମୀନାବଜାର ପଡିଛି।

ପ୍ରାୟ ୩୦ରୁ ଅଧିକ ବ୍ୟବସାୟୀ ଏଠାକୁ ଆସିଛନ୍ତି। ଚାନ୍ଦିନୀଚୌକ ପୂଜା କମିଟି ତରଫରୁ ସେମାନଙ୍କ ପାଇଁ ସବୁ ପ୍ରକାରର ସୁବିଧା କରାଯାଇଛି। ଲାଇଟ୍ ଏବଂ ସେମାନଙ୍କୁ ଜାଗା ଯୋଗାଇ ଦିଆଯାଇଛି। ଜାଗା ଜନିତ ସମସ୍ୟା ଯୋଗୁଁ ଏଥର ମୀନାବଜାର ସ୍ଥାନାନ୍ତର କରାଯାଇଛି।

ବେଲଭ୍ୟୁ ଛକ ଖାଲି ସ୍ଥାନ ଥିବାରୁ ଲୋକେ ଆରାମରେ ସେଠାରେ ସମୟ ବିତାଇପାରିବେ ବୋଲି କମିଟି ସଭାପତି ପ୍ରତାପ ସିଂ କହିଛନ୍ତି।

ଚାନ୍ଦିନୀଚୌକ ପୂଜା କମିଟି ବ୍ୟତୀତ ଖାନନଗର-ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ମଧ୍ୟ ମୀନାବଜାର କ୍ଷେତ୍ରରେ ନିଜର ସ୍ୱତନ୍ତ୍ରତା ଦେଖାଇଛି। ଗତବର୍ଷଠାରୁ କମିଟି ତରଫରୁ ବୁରୁଜ ପାର୍କ କଡ଼ରେ ମୀନାବଜାର ପଡୁଛି। ଏଥିରେ ଯୁବକ ସଂଘର ପ୍ରମୁଖ ଭୂମିକା ରହି ଆସିଛି। ଚଳିତବର୍ଷ ମଧ୍ୟ ଏଠାରେ ମୀନାବଜାର ପଡିବ। ଏନେଇ ବ୍ୟବସାୟୀମାନେ ଏଠାରେ ପହଞ୍ଚିଛନ୍ତି।

ବୁରୁଜ ପାର୍କ ନିକଟରେ ୱାନ୍ ୱେ କଟକଣା ନଥିବାରୁ ଲୋକେ ସୁବିଧାରେ ସେଠାରେ ଗାଡ଼ି ପାର୍କିଂ କରି ମୀନାବଜାରର ମଜା ଉଠାଇପାରିବେ। ରାଣୀହାଟ ପୂଜା କମିଟି ମଧ୍ୟ ଏଥିରେ ପଛରେ ନାହିଁ। ପୂଜା କମିଟିକୁ ଲାଗି ଥିବା ପଡ଼ିଆରେ ମୀନାବଜାର ପଡିଛି।

କଟକରେ ଅନ୍ୟ ସ୍ଥାନରେ ଯଦିଓ ମୀନାବଜାର ପଡେନାହିଁ ତଥାପି ଛୋଟବଡ ପୂଜା ବଜାର ଜମିଥାଏ। ବିଶେଷକରି ଯୋବ୍ରା, ଚାଉଳିଆଗଞ୍ଜ, ଶିଖରପୁର-ଗଣ୍ଡରପୁର-ମହାନଦୀ ବିହାର ଭଳି ଅନେକ ମଣ୍ଡପ ନିକଟରେ ଖାନାପିନା ଏବଂ କିଣାବିକାର ବଜାର ଜମିଥାଏ।

ଦୋଳିଠାରୁ ଆରମ୍ଭ କରି ଖାନାପିନା ପର୍ଯ୍ୟନ୍ତ ସବୁ ଭେରାଇଟିର ଷ୍ଟଲ୍ ପଡିଥାଏ। ପୂଜା କମିଟି ତରଫରୁ ଏମାନଙ୍କୁ ନିର୍ଦ୍ଦିଷ୍ଟ ଜାଗା ଦିଆଯାଇଥାଏ। ଏମାନେ ଦଶମୀ ପର୍ଯ୍ୟନ୍ତ ବ୍ୟବସାୟ କରିଥାନ୍ତି। ଦଶହରା ସରିବା ପରେ ବ୍ୟବସାୟୀମାନେ ଏଠାରୁ ଅନୁଗୁଳ,ଢେଙ୍କାନାଳ ଓ କେନ୍ଦ୍ରାପଡା ଲକ୍ଷ୍ମୀ ପୂଜାରେ ସାମିଲ୍ ହୁଅନ୍ତି।

Comment