ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ଦୁର୍ଗାପୂଜାର ସବୁଠୁ ବଡ଼ ଆକର୍ଷଣ ହେଉଛି ଚାନ୍ଦିମେଢ଼। ଆଉ ଏଠାରେ ଚାନ୍ଦିମେଢ଼ର ପରମ୍ପରା ଆରମ୍ଭ କରିଥିବା ପୂଜା କମିଟି ହେଉଛି ଚୌଧୁରୀ ବଜାର ଦୁର୍ଗା ପଞ୍ଚାୟତ କମିଟି। କେବଳ ଚାନ୍ଦି ନୁହେଁ ବରଂ ସୁନା କାରୁକାର୍ଯ୍ୟରେ ମଧ୍ୟ ଏହି କମିଟି ପ୍ରଥମ। ସୁନା ଓ ରୂପା ମେଢ଼ର ସୌନ୍ଦର୍ଯ୍ୟ ସାଙ୍ଗକୁ ଏଠାରେ ଆଉ ଏମିତି କିଛି ସ୍ୱତନ୍ତ୍ରତା ଦେଖିବାକୁ ମିଳେ, ଯାହା ବେଶ୍ ନିଆରା।

ବିଶେଷ କରି ଦୁର୍ଗାପୂଜାରେ ଏଠାରେ ଯେଉଁ ଭୋଗ ଲଗାଯାଏ ତାହା ଅନ୍ୟତ୍ର ପ୍ରାୟ ଦେଖିବାକୁ ମିଳେ ନାହିଁ। ୧୮୭୨ ମସିହାରେ ଦୁର୍ଗାମଣ୍ଡପରେ ପ୍ରଥମେ ବଙ୍ଗୀୟ ରୀତିନୀତିରେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା। ୧୯୫୬ରେ କମିଟି ପକ୍ଷରୁ ଅଢ଼େଇ କୁଇଣ୍ଟାଲ ଚାନ୍ଦିରେ ମେଢ଼ ଓ ସିଂହାସନ ତିଆରି କରାଯାଇଥିଲା। ୧୯୯୩ରେ ମା’ଙ୍କ ପାଇଁ ସାଢ଼େ ୩ କିଲୋ ଓଜନର ସୁନା ମୁକୁଟ ତିଆରି ହୋଇଥିଲା।

୨୦୦୨ରେ ପାର୍ଶ୍ୱ ଦେବଦେବୀଙ୍କର ମୁକୁଟ ଓ ଗହଣା ସୁନାରେ ତିଆରି ହୋଇଥିଲା। ଏହି ବର୍ଷ ଗୋଟିଏ ସୁନା କଲିକା ତିଆରି ହୋଇଥିଲା। ୨୦୦୫ରେ ମା’ଙ୍କର ସୁନାର ଚମ୍ପାହାର ଓ ଚାନ୍ଦି ମେଢ଼ରେ ଲାଗିଥିବା ୪ଟି କଲିକା ସୁନାରେ ତିଆରି ହୋଇଥିଲା। ୨୦୦୮ରେ ଲକ୍ଷ୍ମୀ ଓ ସରସ୍ୱତୀଙ୍କ ପାଇଁ ସୁନାର ହାର ନିର୍ମାଣ ହୋଇଥିଲା।

୨୦୧୩ରେ ଚାନ୍ଦି ମେଢ଼ରେ ଏକ ସୁନାର ଓଁ ତିଆରି କରାଯାଇଥିଲା। ୨୦୧୮ରେ ମେଢ଼ରେ ଆଉ ଦୁଇଟି ସୁନା କଲିକା ଖଞ୍ଜାଯାଇଥିଲା। ଧୀରେ ଧୀରେ ଏଠାରେ ପୂଜା ବଜେଟରେ ବୃଦ୍ଧି ହୁଏ ଏବଂ ମା’ଙ୍କ ପାଇଁ ଅଳଙ୍କାର ମଧ୍ୟ ଗଢ଼ାଯାଏ।

ଏଠାରେ ହେଉଥିବା ଦୁର୍ଗାପୂଜା ଅନ୍ୟ ସ୍ଥାନ ତୁଳନାରେ ଟିକେ ନିଆରା। ଦଶମୀ ତିଥିରେ ଲୋକଙ୍କ ପାଇଁ ଦହି ପଖାଳ ବ୍ୟବସ୍ଥା କରାଯାଇଥାଏ। ଏହା ସହ ପ୍ରତିବର୍ଷ ପରିବା ଚୋପାରୁ ପ୍ରସ୍ତୁତ ସ୍ୱତନ୍ତ୍ର ବ୍ୟଞ୍ଜନ ‘ଚୋପି’ ଏବଂ ଜହ୍ନିପୋଡ଼ା ମା’ଙ୍କ ନିକଟରେ ଭୋଗ ଲାଗି ହୋଇଥାଏ। ପରେ ଏହି ଭୋଗକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବଣ୍ଟନ କରାଯାଇଥାଏ।

Tags: #ChoudhuryBazar #CuttackDurgaMedha #DurgaMedha #DurgaPooja #DurgaPujaMedha #MaaDurga

Comment