ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ଭୁବନେଶ୍ୱରରେ ଦେଖିବାକୁ ମିଳିବ କଟକ ଭଳି ଚାନ୍ଦିମେଢ଼। ଦୁର୍ଗତୀନାଶିନୀଙ୍କ ଆଗମନରେ ଚାରିଆଡ଼େ ପ୍ରସ୍ତୁତି ଚାଲିଛି। ସେଥିପାଇଁ ସାଜସଜାରେ ମାତିଛନ୍ତି ସବୁ ପୂଜା କମିଟି। ବିଶାଳକାୟକୁ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସିବ ପୂଜା ମଣ୍ହପ। ଏଥର କଟକର ଚାନ୍ଦିମେଢ଼କୁ ବି ଭୁବନେଶ୍ୱରରେ ଆଣିବାକୁ ଚେଷ୍ଟା କରିଛନ୍ତି ପୁରୁଣା ଭୁବନେଶ୍ୱରର ବ୍ରାହ୍ମଣନିଯୋଗ ଦୁର୍ଗାପୂଜା କମିଟି।

ଚଳିତବର୍ଷ ପୁରୁଣା ଭୁବନେଶ୍ୱରରେ ପ୍ରଥମ କରି ନିର୍ମିତ ହେବ ଚାନ୍ଦିମେଢ଼। କମିଟି ପକ୍ଷରୁ ଏଥିପାଇଁ ପ୍ରାୟ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି।

୧୮ ଫୁଟ ଉଚ୍ଚ ଚାନ୍ଦିମେଢ଼

୧୮ ଫୁଟ ଉଚ୍ଚତା ବିଶିଷ୍ଟ ମେଢ଼ଟିକୁ ୨କୁଇଣ୍ଟାଲ ରୁପାରେ ଗଢ଼ାଯିବ। ମେହେନ୍ଦି ବଜାରର କାରିଗର ନିର୍ମାଣ କରୁଛନ୍ତି ଏହି ଆକର୍ଷଣୀୟ ଚାନ୍ଦିମେଢ଼କୁ। ତେବେ ପ୍ରତିବର୍ଷ ଭଳି ୩୦ କିଲୋଗ୍ରାମ ଓଜନର ଚାନ୍ଦି ଅଳଙ୍କାର ଧାରଣ କରିବେ ମା’ ଦୁର୍ଗା।

ପୂଜା ଓ ବଳି ବିଧି

୭୦ ବର୍ଷ ଧରି ତିନିମୁଣ୍ଡିଆ ଛକରେ ମହାପ୍ରଭୁ ଲିଙ୍ଗରାଜଙ୍କ ପାର୍ଶ୍ୱଦେବୀ ରୂପେ ପରିଚିତ ଅଷ୍ଟଚଣ୍ଡୀଙ୍କ ମଧ୍ୟରୁ ଦେବୀ ଚାମୁଣ୍ଡାଙ୍କ ମନ୍ଦିର ଭାବେ ପରିଚିତ ବୈତାଳ ମନ୍ଦିର ନିକଟସ୍ଥ ଛୁଲଣ ମଣ୍ଡପରେ ଆୟୋଜିତ ହେଉଛି ବ୍ରାହ୍ମଣନିଯୋଗ କମିଟିର ଏହି ପୂଜା।

ଏଠାରେ ୧୬ ଦିନ ଧରି ସମସ୍ତ ପୂଜାବିଧି କରାଯାଏ। ଅଷ୍ଟମୀ ଦିନ ଆମିଷ ଭୋଗ ଲାଗିବା ସହିତ ପାଣିକଖାରୁ ବଳି ଦେବାର ପ୍ରଥା ମଧ୍ୟ ରହିଛି।

ସୁରକ୍ଷା ବ୍ୟବସ୍ଥା

୧୬ ଦିନ ଏହି ପୂଜାକୁ ଦେଖିବାକୁ ଭକ୍ତଙ୍କ ବହୁତ ଭିଡ଼ ହୁଏ। ତେବେ ଭକ୍ତଙ୍କ ସୁରକ୍ଷା ପାଇଁ ୧୦ ସ୍ୱେଚ୍ଛାସେବୀ ମୁତୟନ କରାଯିବ। ଏହବ୍ୟତୀତ ଚାରିଦିଗରେ ୪ଟି ସିସି କ୍ୟାମେରା ବି ରହିବ।

ସେହିପରି ଟ୍ରାଫିକ୍ ନିୟନ୍ତ୍ରଣ ଉପରେ ବି ବିଶେଷ ଧ୍ୟାନ ଦିଆଯିବ। ପୂଜାମଣ୍ଡପରେ ସ୍ୱଚ୍ଛତା ପାଇଁ ପଲିଥିନ୍ ବ୍ୟାନ୍ କରାଯିବ। ଭୋଗ ନେବା ପାଇଁ ଡାଲା, ଚାଙ୍ଗୁଡ଼ି, ପିତ୍ତଳ ଥାଳି ଆଣିବା ଲାଗି ସଚେତନ କରାଯିବ ବୋଲି ସମିତି ସଭ୍ୟମାନେ କହିଛନ୍ତି।

ଭସାଣି

ଚଳିତ ବର୍ଷ ଭସାଣିକୁ ଅଧକି ବର୍ଣ୍ଣାଢ଼୍ୟ ଢ଼ଙ୍ଗରେ ପାଳନ କରାଯିବ। ସମ୍ବଲପୁରୀ, ପଞ୍ଜାବୀ, ସିଂହବାଜା, ଘଣ୍ଟଘଣ୍ଟା ଆଦି ବ୍ୟବହାର କରାଯିବ ଭସାଣି ଯାତ୍ରାରେ। ଏଥିପାଇଁ ବ୍ରାହ୍ମଣୀ ନିଯୋଗ ସମିତି ପକ୍ଷରୁ ଶ୍ରୀଲିଙ୍ଗରାଜ ଥାନା ଅଧିକାରୀଙ୍କୁ ଅବଗତ କରିବା ସହ କଟକଣା ଉଠାଇବା ପାଇଁ ନିବେଦନ କରିଛନ୍ତି।

Comment