ଓଡ଼ିଶାଲାଇଭ୍ ବ୍ୟୁରୋ

ଧରାପୃଷ୍ଠରେ ଅବତରଣ କରିଛନ୍ତି ମା’ ଦୁର୍ଗା। ଷଷ୍ଠୀ ରାତିରୁ ପୂଜା ଆରମ୍ଭ ହୋଇଛି। ସମସ୍ତ ପୂଜା ମଣ୍ଡପରେ ମା’ଙ୍କ ଆରାଧନା କରାଯାଉଛି। ମା’ ଦୁର୍ଗାଙ୍କ ମନ୍ତ୍ର ଉଚ୍ଚାରଣରେ କମ୍ପି ଉଠୁଛି ସମଗ୍ର ପୁରପଲ୍ଲୀ।

ଶନିବାର ସମସ୍ତ ମଣ୍ଡପରେ ମହାମୟୀ ମା’ ଦୁର୍ଗାଙ୍କ ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି। ମହିଷମର୍ଦିନୀ ଦୁର୍ଗାଙ୍କ ପାରମ୍ପାରିକ ରୀତି ନୀତି ଆରମ୍ଭ ହୋଇଛି। ସମସ୍ତ ପୂଜାମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମା’।

ଅନ୍ୟପଟେ ଦେବୀ ପୀଠରେ ମା’ ଦୁର୍ଗାଙ୍କ ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ପୀଠରେ ହେଉଛି ମା’ଙ୍କ ଷୋଡ଼ଶ ପୂଜା ଉପଚାର।

ସକାଳୁ ପୂଜା ମଣ୍ଡପରେ ଘଟ ପୂଜା କରାଯାଇଛି। ଜଳାଶୟରୁ ନବପତ୍ରିକା ଘଟ ପୂଜା ମଣ୍ଡପକୁ ଅଣାଯାଇ ମା’ଙ୍କର ଚକ୍ଷୁଦାନ ନୀତି ଅନୁଷ୍ଠିତ ହୋଇଛି। ଏହାପରେ ପ୍ରାଣ ପ୍ରତିଷ୍ଠା ନୀତି କରାଯିବ। ପ୍ରତ୍ୟେକ କର୍ମ ପରେ ଚଣ୍ଡୀଙ୍କ ଆହୁତି ଓ ହୋମ କାର୍ଯ୍ୟ ଆରମ୍ଭ କରାଯିବ। ମହାସପ୍ତମୀ ଉପଲକ୍ଷେ ପୂଜା ମଣ୍ଡପମାନଙ୍କରେ ଶ୍ରଦ୍ଧାଳୁମାନେ ଭୋଗ ଓ ପୂଜା ସାମଗ୍ରୀ ଧରି ଲମ୍ବା ଧାଡ଼ି ଲଗାଇଛନ୍ତି।

ବିଶେଷକରି ସହିଦନଗର, ବମିଖାଲ, ରସୁଲଗଡ଼, ପଳାଶୁଣୀ ଅଞ୍ଚଳରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ମଣ୍ଡପରେ ଶୋଭା ପାଉଛନ୍ତି।

କେବଳ ପୂଜା ମଣ୍ଡପରେ ନୁହେଁ, ଦେବୀ ପୀଠମାନଙ୍କରେ ମଧ୍ୟ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିଛି। ମା’ଙ୍କ ପୂଜାର୍ଚ୍ଚନା ପାଇଁ ପୁଷ୍ପ, ଧୂପ, ଦୀପ, ନୈବେଦ୍ୟ, ମନ୍ତ୍ର ଉଚ୍ଚାରଣ, ଘଣ୍ଟ ଧ୍ୱନି ଏବଂ ହୋମରେ ପୀଠଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି। ଦର୍ଶକଙ୍କ ଭିଡ଼କୁ ଆଖି ଆଗରେ ରଖି ପୂଜା କମିଟିର ସଦସ୍ୟମାନେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରିଛନ୍ତି।

Comment