ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ୨ ବର୍ଷ ପରେ ଚଳିତ ବର୍ଷ ଖୁବ୍ ଧୁମଧାମରେ ଦଶହରା ପର୍ବ ପାଳନ ହେବାକୁ ଯାଉଛି। ଏଥିପାଇଁ ରାଜଧାନୀ ଭୁବନେଶ୍ୱର ଚଳଚଞ୍ଚଳ ହୋଇପଡ଼ିଛି। ସହରର ୧୭୮ଟି ପୂଜା ମଣ୍ଡପରେ ମା’ ଦୁର୍ଗା ପୂଜା ପାଇବେ। ଏହି କ୍ରମରେ ନୟାପଲ୍ଲୀ ଦୁର୍ଗାପୂଜା ସମିତି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ନୟାପଲ୍ଲୀ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ପୂଜା ମହୋତ୍ସବ ୩୫ବର୍ଷରେ ପହଞ୍ଚିଛି। ଚଳିତବର୍ଷ ପୂଜା ତୋରଣର ଥିମ୍ ‘ମାତୃଭକ୍ତି’ ରହିଛି। ତୋରଣରେ ସନ୍ତାନ ପ୍ରତି ମା’ର ସ୍ନେହ ତଥା ମା’ ପ୍ରତି ସନ୍ତାନର ଭକ୍ତିଭାବକୁ ଚିତ୍ରଣ କରାଯିବ। ସମୟ ପୂର୍ବରୁ ତୋରଣ ପ୍ରସ୍ତୁତି ଶେଷ କରିବା ପାଇଁ କାରିଗର ମାନେ ଲକ୍ଷ୍ୟ ରଖିଛନ୍ତି।

ପ୍ରାୟ ୧ ଏକର ଜାଗାରେ ମା’ଙ୍କ ପୂଜା ଆୟୋଜନ ଆରମ୍ଭ ହୋଇଛି। ୧୨୦ ଫୁଟ୍ ପ୍ରଶସ୍ତ ଓ ୭୫ଫୁଟ୍ ଉଚ୍ଚ ତୋରଣରେ ବିରାଜିବେ ମାଆ। ପଶ୍ଚିମବଙ୍ଗର କାରିଗରମାନେ ଆସି ଏହି ତୋରଣ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ଜାତୀୟ ରାଜପଥର ଗୋଟିଏ ପାର୍ଶ୍ଵରେ ମା’ ଦଶଭୂଜାଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇବାକୁ ଥିବାବେଳେ ବିପରୀତ ପାର୍ଶ୍ଵ ବିଜୟା ଦଶମୀରେ ରାବଣପୋଡ଼ି ମୁଖ୍ୟ ଆକର୍ଷଣ ରହିବ। ୮୦ରୁ ୮୫ଫୁଟ୍ ଉଚ୍ଚତା ବିଶିଷ୍ଟ ରାବଣ ପ୍ରତିକୃତିକୁ ଆତସବାଜି ସହ ଜଳାଯିବ। ପୂର୍ବ ବର୍ଷଗୁଡ଼ିକ ଭଳି ରାମଲୀଳା ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ।

ଜନ୍ମାଷ୍ଟମୀରେ କୁଆଖାଇ ନଦୀପଠାରେ ମୃତ୍ତିକା ଅନୁକୂଳ କରାଯିବା ସହ ମା’ଙ୍କ ମୂର୍ତ୍ତି ଗଢ଼ିବା ଆରମ୍ଭ ହୋଇଛି। ୨୦ଫୁଟ୍ ଉଚ୍ଚତା ବିଶିଷ୍ଟ ମା’ଙ୍କ ମୂର୍ତ୍ତିରେ ସୁନ୍ଦର ଅଳଙ୍କାର ଶୋଭା ପାଇବ। ସେପ୍ଟେମ୍ବର ୨୦ରୁ ପୀଠରେ ଷୋହଳ ପୂଜା ଓ ସେପ୍ଟେମ୍ବର ୨୬ରୁ ନବରାତ୍ରୀ ପୂଜା ଯଥାରୀତି ଅନୁଷ୍ଠିତ ହେବ।

ଅକ୍ଟୋ­ବର ୧ରେ ମହାଷଷ୍ଠୀ ଅବସରରେ ମା’ଙ୍କର ଆବାହନ କରାଯିବ। ତେବେ ଏହିପୀଠ ବୈଷ୍ଣବଦେବୀଙ୍କ ପୀଠ ହୋଇଥିବାରୁ ଏଠାରେ ଆମିଷ ଭୋଗ କରାଯିବାର ବିଧାନ ନାହିଁ। ତେଣୁ ପାଣି କଖାରୁ ବଳିଦାନ ଦିଆଯିବ।

ଚଳିତ ବର୍ଷ କୋଭିଡ୍ କଟକଣା ନଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନ ହେବ ବୋଲି ଆଶା କରାଯାଉଛି। ଏଥିପାଇଁ ପୂଜା କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଗତ ୨ବର୍ଷ ଧରି ମୀନା ବଜାର ଆୟୋଜିତ ହେଉନଥିବାରୁ ବ୍ୟବସାୟୀମାନେ ନିରାଶ ହୋଇଥିଲେ। ତେବେ ଚଳିତବର୍ଷ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟି ରଖି ବ୍ୟବସାୟୀମାନେ ବେଶ୍ ଲାଭବାନ ହୋଇପାରିବେ ବୋଲି ଆଶା ରଖିଛନ୍ତି।

Tags: #dassera2022 #Dasahara2022 #durgapujaBhubaneswar #NayapalliDurgaPuja #vijayadasami #Ravanpodi #Navaratri

Comment