ଓଡ଼ିଶାଲାଇଭ୍ ବ୍ୟୁରୋ

ଯେବେ ଶ୍ରୀରାମଚନ୍ଦ୍ର ପ୍ରବଳ ପ୍ରତାପି ରାବଣକୁ ନିଧନ କରିବାକୁ ବାହାରିଥିଲେ, ସେତେବେଳେ ସେ ଦୁର୍ଗା ଦେବୀଙ୍କ ଚରଣରେ ଅପରାଜିତା ପୂଜା କରିଥିଲେ। ଅପରାଜିତା ଲଟାରେ ମା’ଙ୍କୁ ପୂଜା କରି ଏହି ଅଭିମନ୍ତ୍ରିତ ଲଟାକୁ ହାତରେ ବାନ୍ଧିଲେ ସର୍ବ ରିଷ୍ଟ ଖଣ୍ଡନ ହେବାର ବିଶ୍ୱାସ ରହିଛି କାହିଁ କେଉଁ କାଳରୁ।

ଭକ୍ତମାନଙ୍କୁ ଆଶୀର୍ବାଦ ଦେଇ ମା’ଙ୍କର ବିଦାୟ ବେଳା ହୋଇଛି । ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମା’ । ଏହି ଦୁର୍ଗାପୂଜା ଅବସରରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହରର ବଙ୍ଗାଳିସାହିର ଦୁର୍ଗା ପୂଜା ମଣ୍ଡପର ଦୃଶ୍ୟ ବେଶ୍‌ ଅଲଗା। ଦେଶ ବିଦେଶରେ ରହୁଥିବା ପରିବାରର ସଦସ୍ୟମାନେ ଗାଁକୁ ଫେରି ଏକାଠି ହୋଇଥା’ନ୍ତି ଏହି ପବିତ୍ର ଦୁର୍ଗାପୂଜାରେ। ବର୍ଷକରେ ଥରେ ହୋଇଥାଏ ଏହି ଭେଟଘାଟ । ୯ ଦିନର ପୂଜା ପରେ ମା’ଙ୍କୁ ଶେଷ ଅର୍ଘ୍ୟ ଦିଅନ୍ତି ସାହିର ସମସ୍ତ ପୁରୁଷ ଓ ମହିଳା।

ଏଠାରେ ଦେବୀଙ୍କ ନିକଟରେ ଅପରାଜିତା ପୂଜାର ଏକ ନିଆରା ପରମ୍ପରା ରହିଛି । ଅପରାଜିତା ଗଛର ଡାଳକୁ ମା’ଙ୍କ ଚରଣରେ ସମର୍ପଣ କରାଯାଏ । ଅପରାଜିତା ଅର୍ଥାତ ପରାଜିତ ନହେବାର ସନ୍ଦେଶ ଦେଇଥାଏ ଏହି ଲତା । କୁହାଯାଏ ଯେ, ମହାପ୍ରଭୁ ଶ୍ରୀ ରାମଚନ୍ଦ୍ର ଯେତେବେଳେ ଲଙ୍କାକୁ ରାବଣକୁ ବଦ୍ଧ କରିବାକୁ ଯାଇଥିଲେ ସେତେବେଳେ ରାମଚନ୍ଦ୍ର ଦେବୀ ଦୁର୍ଗାଙ୍କ ନିକଟରେ ଅପରାଜିତା ପୂଜା କରିଥିଲେ। ଫଳରେ ଦୁଷ୍ଟ ଦାନବ ରାବଣକୁ ନିଧନ କରିବାକୁ ସମର୍ଥ ହୋଇଥିଲେ ରାମଚନ୍ଦ୍ର। ସେଥିପାଇଁ ସାହିର ସମସ୍ତ ଲୋକମାନଙ୍କର ରିଷ୍ଟ ଖଣ୍ଡନ ଓ ପାପ ହରଣ ପାଇଁ ଅପରାଜିତା ପୂଜା ହୋଇଥାଏ। ଏହି ଅପରାଜିତା ଲଟାକୁ ନୂଆ କପଡ଼ାରେ ଗୁଡ଼ାଇ ସମସ୍ତେ ହାତରେ ବାନ୍ଧିଥାନ୍ତି ।

ଏହାପରେ କରାଯାଏ ସିନ୍ଦୂର ଓ ଅବିର ଖେଳ । ମା’ଙ୍କ ଚରଣରେ ଅଭିମନ୍ତ୍ରିତ ସିନ୍ଦୂର ଓ ଅବିରର ଖେଳ କରାଯାଏ । ମହିଳାମାନେ ପରସ୍ପରକୁ ସିନ୍ଦୂର ବୋଳନ୍ତି ଓ ପୁରୁଷମାନେ ପରସ୍ପରକୁ ଅବିର ବୋଳିଥାନ୍ତି ।

ମା’ଙ୍କ ବିଦାୟ ଏଠାରେ କାନ୍ଦବୋବାଳି ପଡ଼େ।  ଝିଅ ଶାଶୁଘରକୁ ବିଦାୟ ହେବା ସମୟରେ ଯେମିତି ପରିବାରରେ କାନ୍ଦବୋବାଳି ହୁଏ, ସେତେବେଳେ ଝିଅର କାନିରେ କନକ ଅଞ୍ଜୁଳି ବାନ୍ଧି ଦେଇଥାନ୍ତି ମା’ । ସେମିତି ଏହି ବଙ୍ଗୀୟ ମହିଳାମାନେ ସେମାନଙ୍କର ଝିଅ ସଦୃଶ ଦୁର୍ଗା ଦେବୀଙ୍କୁ ବିଦାୟ ବେଳାରେ କନକ ଅଞ୍ଜୁଳି ପ୍ରଦାନ କରି ବିଦାୟ ଦେବାର ଆବେଗମୟ ମୁହୁର୍ତ୍ତ ଭକ୍ତମାନଙ୍କୁ ଆନମନା କରିଦେଇଛି ।

Comment