ଓଡ଼ିଶାଲାଇଭ ବ୍ୟୁରୋ

ଟ୍ରାଫିକରେ ସମସ୍ୟା କରୁଛନ୍ତି ଗାଈଗୋରୁ। ବୈପାରୀଗୁଡା ସହରରେ ଗାଈଗୋରୁ ଏବଂ ଗୃହ ପାଳିତ ପଶୁଙ୍କ ଲାଗି ବଢୁଛି ଟ୍ରାଫିକ ସମସ୍ୟା। ବ୍ଲକ ସଦର ମହକୁମା ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥର ମୁଖ୍ୟ ଚାରି ଛକ ସହ ବିଭିନ୍ନ ସ୍ଥାନରେ ପ୍ରତିଦିନ ଗୋରୁ ଗାଈଙ୍କ ଯୋଗୁଁ ଟ୍ରାଫିକ ସମସ୍ୟା ଦେଖାଯାଉଛି।

ଏହି ଚାରି ଛକ ଦେଇ ମାଲକାନଗିରିଠାରୁ ରାଜଧାନୀ ଭୁବନେଶ୍ୱର ଓ ବିଜୟନଗରମ୍‌କୁ ବସ ଚଳାଚଳ କରୁଥିବା ବେଳେ ବିପରୀତ ଦିଗରୁ ହାଇଦ୍ରାବାଦକୁ ମଧ୍ୟ ବସ ପ୍ରତିଦିନ ଚାଲୁଛି। ଏହାଛଡ଼ା ବ୍ଲକର ଆଖପାଖ ଗ୍ରାମାଞ୍ଚଳକୁ ଏହି ଛକ ସଂଯୋଗ କରୁଥିବାରୁ ଛୋଟ  ଯାନବାହାନ ଗହଳି ଦିନ ତମାମ ଲାଗି ରହିଥାଏ।

ସେହିପରି ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଗୁପ୍ତଶ୍ୱେରକୁ ମଧ୍ୟ ଭକ୍ତଙ୍କ ଯିବା ଆସିବା ଗହଳି ଲାଗି ରହୁଛି। ଏପରି ସ୍ଥିତିରେ ରାସ୍ତା ମଝିରେ ଗାଈ ଗୋରୁଙ୍କ ଲାଗି ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗୁଛି। ଏଥିରେ ସାଧାରଣ ବାସିନ୍ଦା ସହ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।

ବୈପାରୀଗୁଡ଼ା ଥାନା ସମ୍ମୁଖରେ ଏକ କାଞ୍ଜିଆଖାନା  ରହିଥିଲେ ମଧ୍ୟ ଏବେ ସେହି କାଞ୍ଜିଆଗୃହ ଅଚଳ ଅବସ୍ଥାରେ ପଡି ରହିଛି। ଏଣୁ ଆଗାମୀ ଦିନରେ କୌଣସି ଅପ୍ରିତୀକର ଦୁର୍ଘଟଣା  ନ ଘଟିବା ପୂର୍ବରୁ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ଗୃହ ପାଳିତ ପଶୁ ମାଲିକଙ୍କୁ ସଚେତନ ପାଇଁ ପଦକ୍ଷେପ ଜରୁରୀ ବୋଲି ସାଧାରଣରେ ଦାବି ହେଉଛି।

Comment