ଓଡ଼ିଶାଲାଇଭ୍ ବ୍ୟୁରୋ

‘‘କେବଳ ହିନ୍ଦୁ ସମାଜକୁ ସଂଗଠିତ କରିବା ଆମର କାମ ନୁହେଁ। ଆମେ ରାଷ୍ଟ୍ର ଏବଂ ଜାତିକୁ ସମାନ ଭାବେ ଦେଖିଥାଉ। ପୂରା ସମାଜକୁ ସଙ୍ଗଠିତ କରିବା ହେଉଛି ଆର୍‌ଏସ୍‌ଏସ୍‌ର କାମ’’, ଏହା କହିଛନ୍ତି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ।

ଭୁବନେଶ୍ୱରରେ ଆରମ୍ଭ ହୋଇଛି ଆର୍‌ଏସ୍‌ଏସ୍‌ର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକ। ଏହାକୁ ଉଦଘାଟନ କରିଛନ୍ତି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ। ସେ ୯ ଦିନ ଧରି ଓଡ଼ିଶାରେ ରହିବେ।

ମୋହନ ଭାଗବତ କହିଥିଲେ, ‘‘କେଉଁ ସରକାର କିମ୍ବା ନେତା ଦେଶର ଭାଗ୍ୟ ବଦଳାଇ ପାରିବେ ନାହିଁ। କେବଳ ସମାଜ ହିଁ ଦେଶର ଭାଗ୍ୟ ବଦଳାଇ ପାରିବ। ସାଧାରଣ ଲୋକ ଯେତେବେଳେ ନିଜ ସ୍ୱାର୍ଥ ଭୁଲି ସମାଜ ପାଇଁ କାମ କରିବାକୁ ଆଗେଇ ଆସିବେ ସେତେବେଳେ ହିଁ ବୃହତ୍ତର ସ୍ୱାର୍ଥ ସାଧନ ହୋଇପାରିବ।’’

ସେ ଆହୁରି କହିଥିଲେ ଯେ ଆମର ଭାଷା, ଖାଦ୍ୟ ଓ ବେଶ ପୋଷାକ ଅଲଗା। ତଥାପି ଆମେ ଏକତା ସୂତ୍ରରେ ବାନ୍ଧି ହୋଇ ରହିଛେ। ଇହୁଦି ଏବଂ ପାର୍ସୀମାନଙ୍କୁ ଭାରତ ହିଁ ଆଶ୍ରୟ ଦେଇଛି। ଭାରତରେ ମୁସଲମାନ ସମାଜ ଖୁସିରେ ରହୁଛନ୍ତି। ଭାରତର ବିଚାର ହେଉଛି ବିଶ୍ୱର ସର୍ବଶ୍ରେଷ୍ଠ ବିଚାର।

ପ୍ରଥମ ଥର ପାଇଁ ଆର୍‌ଏସ୍‌ଏସ୍‌ ପକ୍ଷରୁ ଓଡ଼ିଶାରେ ଏହି ବୈଠକ ଆୟୋଜନ କରାଯାଇଛି। ୯ ଦିନ ଧରି କାର୍ଯ୍ୟକ୍ରମ ଚାଲିବ। ଏହି କାର୍ଯ୍ୟକ୍ରମରେ ସଂଘର ସର କାର୍ଯ୍ୟବାହ ଭୈୟାଜୀ ଯୋଶୀ, ପ୍ରାନ୍ତ ସଂଘ ଚାଳକ, ପ୍ରାନ୍ତ କାର୍ଯ୍ୟବାହ ଏବଂ ପ୍ରଚାରକଙ୍କ ସମେତ ୪୦୦ ପ୍ରତିନିଧି ଯୋଗ ଦେଇଛନ୍ତି।

ଆଜିର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

Comment