ଓଡ଼ିଶାଲାଇଭ ବ୍ୟୁରୋ

ଆଜିଠୁ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା। ଏଥିପାଇଁ ସଜେଇ ହେଉଛି ଢେଙ୍କାନାଳ ସହର। ଏଥର ଢେଙ୍କାନାଳର ମିଳିତ ବଜାର ପୂଜା କମିଟିରେ ୩୧ଟି ପୂଜା ମଣ୍ଡପରେ ମା’ ଲକ୍ଷ୍ମୀ ପୂଜା ପାଇବେ। ଏନେଇ ପ୍ରସ୍ତୁତି ଶେଷ ହୋଇଛି। ଝିଲମିଲ ଆଲୋକ ସାଙ୍କକୁ ସୁଉଚ୍ଚ ତୋରଣରେ ସୁସଜ୍ଜିତ ହୋଇଛି ଢେଙ୍କାନାଳ ସହର।

ଢେଙ୍କାନାଳରେ ଏହି ଉତ୍ସବ ଏଥର ୧୧ ଦିନ ପରିବର୍ତ୍ତେ ୧୩ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବେଳେ ଅକ୍ଟୋବର ୨୫ରେ ମା’ଙ୍କର ଭସାଣ ଉତ୍ସବ ହେବ। ଚଳିତବର୍ଷ ଏଠାରେ ୪ଟି ଚାନ୍ଦି ହେଉଛି। ଗଣେଶ ବଜାର ଓ ଗୋଲଡେନ୍‌ ଷ୍ଟ୍ରିଟ୍‌ରେ ଚାନ୍ଦି ମେଢ଼ ହେଉଥିବା ବେଳେ ମୀନା ବଜାର ଓ କୈବଲ୍ୟ ବଜାରରେ ଚାନ୍ଦି ମେଢ଼ ଓ ସୁନା ମୁକୁଟରେ ଶୋଭା ପାଇବେ ମା।

ଏହାସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ଏଥର ମୀନା ବଜାର ହେଉଥିବା ଜାଗାରେ ପ୍ରଥମ ଥର ପାଇଁ ସରସ ମେଳା ଆୟୋଜନ ହେବ। ଯାହାକି ଲୋକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ଓ ଏହାସହ ବିଭିନ୍ନ ପ୍ରକାର ଦୋଳିର ମଧ୍ୟ ମଜା ନେବେ ଲୋକମାନେ।

ତେବେ ୧୩ଦିନର ଏହି ଉତ୍ସବକୁ ଶାନ୍ତି ଶୃଙ୍ଖଳାରେ କରିବାକୁ ଅଣ୍ଟା ଭିଡ଼ିଛି ପୋଲିସ ପ୍ରଶାସନ। ଉତ୍ସବ ସମୟରେ ଟ୍ରାଫିକ ନିୟମ କଡ଼ାକଡ଼ି କରିବା ସହ ବିଭିନ୍ନ ସ୍ଥାନରେ ପୋଲିସ ଏଡପୋଷ୍ଟ ମଧ୍ୟ ତିଆରି ହୋଇଛି।

Comment