ଓଡ଼ିଶାଲାଇଭ ବ୍ୟୁରୋ

ଓଡ଼ିଶାରେ କୁମାର ପୂର୍ଣ୍ଣିମାକୁ କୁମାରୀ କନ୍ୟାମାନ‌ଙ୍କର ପର୍ବ ରୂପେ ପାଳନ କରାଯାଏ। ଏହି ଦିନ କୁମାରୀମାନେ ସୁନ୍ଦର ବର ପାଇବା ପାଇଁ ଚନ୍ଦ୍ର ପୂଜା କରିଥାନ୍ତି।

ରବିବାର ସକାଳୁ ସବୁ କୁଆଁରୀମାନେ ସଜେଇ ହୋଇ ପାଳିଛନ୍ତି କୁମାର ପୂର୍ଣ୍ଣିମା। କୁମାରୀମାନଙ୍କ ପାଇଁ ଏହା ଏକ ବଡ଼ ପର୍ବ। ଭାଦ୍ରବ ପୂର୍ଣ୍ଣିମା ବା ଇନ୍ଦୁ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥିବା ଜହ୍ନି ଓଷା ଆଜି ଉଦ୍‌ଯାପିତ ହେବ। ଏହି ଦିନ କୁମାରୀମାନେ ସକାଳୁ ଗାଧୋଇ ନୂଆ ଲୁଗା ପିନ୍ଧନ୍ତି। ଗୁଆ, ଖଇ, ଫଳ, ପୁଷ୍ପ ଆଦିରେ ଆଞ୍ଜୁଳି ଟେକି ସୂର୍ଯ୍ୟଙ୍କୁ ପୂଜା କରନ୍ତି।

ସଞ୍ଜ ହେଲେ ତୁଳସୀ ଚଉରା ମୂଳରେ ଜହ୍ନି ଫୁଲରେ କୋଠି ଚାଉଳ ପିଠଉରେ ଜହ୍ନ ତିଆରି କରନ୍ତି ଏବଂ କଳସ ସ୍ଥାପନ କରି ପୂଜା କରନ୍ତି। ଜହ୍ନ ଉଇଁଲେ ଜହ୍ନିଫୁଲ, ଫଳ, ଖଇ ଆଦି ଆଞ୍ଜୁଳି ଟେକନ୍ତି। ଏହାପରେ କୁମାରପୂର୍ଣ୍ଣିମା ଗୀତ ଗାଇ ପୂଜାର୍ଚ୍ଚନା କରିଥାନ୍ତି।

ଶେଷରେ ଗୁରୁଜନମାନଙ୍କ ଆର୍ଶୀବାଦ ନେଇ ଚାନ୍ଦ ଭୋଗ ଖାଆନ୍ତି। ଏହି ପର୍ବଟି ହେଉଛି କୁମାର-କୁମାରୀମାନଙ୍କ ପାଇଁ ନାଚଗୀତ ଓ ଖେଳକୁଦର ପର୍ବ। କୁମାରମାନେ ବିଶେଷକରି କବାଡ଼ି, ପଶାଖେଳ ଓ ତାସ୍‌ ଖେଳରେ ମଜି ରୁହନ୍ତି। କୁମାରୀମାନେ ଲୁଚକାଳି, ପୁଚି ଆଦି ଖେଳ ଖେଳି ଥା’ନ୍ତି। କୁମାରୀମାନଙ୍କ ‘କୁଆଁର ପୁନେଇଁ ଜହ୍ନ ଲୋ’ ଗୀତରେ ସମଗ୍ର ପୁରପଲ୍ଲୀ କମ୍ପି ଉଠେ।

ଏହାଛଡ଼ା ଆଜିଠାରୁ ମା’ ଗଜଲକ୍ଷ୍ମୀଙ୍କ ପୂଜା ମଧ୍ୟ ଆରମ୍ଭ ହୋଇଛି। ମା’ ଲକ୍ଷ୍ମୀ ହେଉଛନ୍ତି ସୌଭାଗ୍ୟ, ସୌନ୍ଦର୍ଯ୍ୟ ଓ ସମ୍ପଦର ଅଧିଷ୍ଠାତ୍ରୀ ଦେବୀ। ତେବେ ସାରା ରାଜ୍ୟ ମା’ଙ୍କ ପୂଜାର୍ଚ୍ଚନା ପାଇଁ ଉତ୍ସବ ମୁଖର ହୋଇ ଉଠୁଛି।

ଗଜଲକ୍ଷ୍ମୀ ପୂଜା ଢେଙ୍କାନାଳ, ଅନୁଗୁଳ, ତାଳଚେର ଓ କେନ୍ଦ୍ରାପଡ଼ା ସ୍ଥାନରେ ବଡ଼ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। ଏଥିସହ ସେଠାରେ ତିଆରି ହୋଇଥିବା ଆକର୍ଷଣୀୟ ତୋରଣମାନ ସହରର ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରୁଛି।

Comment