ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରରେ ଉଦଘାଟିତ ହେଲା ଓଡ଼ିଶା ଟ୍ରାଭେଲ ବଜାରର ତୃତୀୟ ସଂସ୍କରଣ।

  • ୨୦ ତାରିଖ ଯାଏଁ ଚାଲିବ ଓଡ଼ିଶା ଟ୍ରାଭେଲ ବଜାର
  • ଭାଗ ନେଇଛନ୍ତି ୧୫ଟି ଦେଶରୁ ୨୫ ଜଣ ବିଦେଶୀ ଟୁର୍ ଅପରେଟର
  • ଭାରତର ୬୦ ଜଣ ଆଗଧାଡ଼ିର ଟୁର୍ ଅପରେଟର ବି ସାମିଲ
  • ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ବୁଲିବେ ଟୁର୍‌ ଅପରେଟର
  • ୨୪୦୦ ବି ଟୁ ବି ବୈଠକ ହେବ

‘‘ସାରା ବିଶ୍ୱରେ ପର୍ଯ୍ୟଟନ କ୍ଷେତ୍ରର ଦ୍ରୁତ ଅଭିବୃଦ୍ଧି ଘଟିଛି। ସେହି ତୁଳନାରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଆଗକୁ ନେବା ପାଇଁ ଆମ ସରକାର ଉଦ୍ୟମ ଜାରି ରଖିଛନ୍ତି। ସ୍ପୋର୍ଟସ୍‌ ଟୁରିଜିମ୍‌ ଓଡ଼ିଶାକୁ ନୂଆ ପରିଚୟ ଦେଇଛି’’, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଓଡ଼ିଶା ପର୍ଯ୍ୟଟନ ବିଭାଗ ଓ ଫିକିର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରରେ ସୋମବାରଠୁ ଆରମ୍ଭ ହୋଇଛି ଓଡ଼ିଶା ଟ୍ରାଭେଲ ବଜାରର ତୃତୀୟ ସଂସ୍କରଣ।ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଓଡ଼ିଶା ଟ୍ରାଭେଲ ବଜାରରେ ଦେଶ ବିଦେଶରୁ ଯୋଗ ଦେଇଥିବା ଟୁର୍‌ ଅପରେଟରମାନଙ୍କୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ।

‘‘ଇକୋ ଟୁରିଜିମ୍‌, ହେରିଟେଜ ଟୁରିଜିମ୍‌ ଏବଂ ଇଭେଣ୍ଟ ଟୁରିଜିମ୍‌ ଓଡ଼ିଶା ପର୍ଯ୍ୟଟନ ଶିଳ୍ପରେ ଯୋଡ଼ି ହୋଇଛି। ଏହାକୁ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଏହାସହ ଓଡ଼ିଶା ଇଭେଣ୍ଟ ଟୁରିଜିମ୍‌ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛି। ହକି ବିଶ୍ୱକପ୍‌ ସଫଳତାର ସହ ଆୟୋଜନ କରି ଓଡ଼ିଶା ପ୍ରଶଂସିତ ହୋଇଛି। ଆଗାମୀ ଦିନରେ ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯିବ। ଶାମୁକା ପ୍ରକଳ୍ପର ପୁନରୁଦ୍ଧାର କରାଯିବ’’, କହିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ଓଡ଼ିଶାର କଳା, ସଂସ୍କୃତି ସାରା ବିଶ୍ୱରେ ଆଦୃତ ଲାଭ କରିଛି। କୋଣାର୍କ ମହୋତ୍ସବ ଆୟୋଜନ କରି ଆମେ କଳା, ସଂସ୍କୃତିର ପ୍ରଚାର ପ୍ରସାର କରୁଛୁ। ଓଡ଼ିଶାର ଏହି ଅନନ୍ୟ କଳା, ସଂସ୍କୃତି ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି।

୨୦ ତାରିଖ ଯାଏଁ ଏହି କାର୍ଯ୍ୟକ୍ରମ ଚାଲିବ। ଏହି ଛଅ ଦିନର ମେଗା ଇଭେଣ୍ଟରେ ମୋଟ୍ ୧୫ଟି ଦେଶରୁ ୨୫ ଜଣ ବିଦେଶୀ ଟୁର୍ ଅପରେଟର ଏବଂ ଭାରତର ୬୦ ଜଣ ଆଗଧାଡ଼ିର ଟୁର୍ ଅପରେଟର ଯୋଗ ଦେଇଛନ୍ତି।

ଦେଶ ଓ ଦେଶ ବାହାରୁ ଆସିଥିବା ଟୁର୍‌ ଅପରେଟରମାନେ ଓଡ଼ିଶାର ହୋଟେଲିୟର ଏବଂ ଟୁର୍‌ ଅପରେଟରମାନଙ୍କ ସହ ବି ଟୁ ବି ଆଲୋଚନା କରିବେ।ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ କେମିତି ପ୍ରଚାର ପ୍ରସାର କରାଯିବ ଏବଂ ଅଧିକ ବିଦେଶୀ ପର୍ଯ୍ୟଟକ ଓଡ଼ିଶାକୁ କେମିତି ଆକର୍ଷିତ ହେବ ସେ ବିଷୟରେ ଆଲୋଚନା ହେବ। ୨୪୦୦ଟି ବି ଟୁ ବି ବୈଠକ ହେବ।

‘‘ଓଡ଼ିଶା ସବୁ କ୍ଷେତ୍ରରେ ଆଗରେ ରହିଛି। ସବୁ ବିଭାଗ ଭଲ ପ୍ରଦର୍ଶନ କରୁଛନ୍ତି। ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରକୁ ଆଗକୁ ନେବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଓଡ଼ିଶାର ପର୍ଯ୍ୟଟନ କେମିତି ଆଗକୁ ଯିବ ସେଥିପାଇଁ ଉଦ୍ୟମ ଜାରି ରହିଛି’’, କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ।

‘‘ଓଡ଼ିଶା ସବୁ କ୍ଷେତ୍ରରେ ଏବେ ଆଗକୁ ଯାଇଛି। ଓଡ଼ିଶାକୁ ଏବେ ଦେଶ ବିଦେଶର ପୁଞ୍ଜି ନିବେଶକାରୀମାନେ ଆକର୍ଷିତ ହେଉଛନ୍ତି। ଓଡ଼ିଶାରେ ବ୍ୟବସାୟ କରିବା ପାଇଁ ଅନେକ ପୁଞ୍ଜିପତି ଆଗେଇ ଆସିଛନ୍ତି। ସେହି ଅନୁସାରେ ପର୍ଯଟନ କ୍ଷେତ୍ରର ବିକାଶ ପ୍ରତି ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ପୁରୀ ଜଗନ୍ନାଥ ମନ୍ଦିରକୁ ନୂଆ ରୂପ ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ଏଥିପାଇଁ କାମ ଆରମ୍ଭ ହୋଇଛି। ଆଗାମୀ ଦୁଇ ତିନି ବର୍ଷରେ ଐତିହ୍ୟ ସହର ପୁରୀ  ନୂଆ ରୂପରେ ଦେଖିବାକୁ ମିଳିବ’’, କହିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ।

‘‘ତିନି ବର୍ଷ ହେଲା ଓଡ଼ିଶା ଟ୍ରାଭେଲ ବଜାର ଆୟୋଜନ କରାଯାଉଛି। ପ୍ରତିବର୍ଷ ଏଥିରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ବଢ଼ି ଚାଲିଛି। ଘରୋଇ ଟୁର୍‌ ଅପରେଟର ଏବଂ ବିଦେଶୀ ଟୁର୍‌ ଅପରେଟରଙ୍କ ଯୋଗଦାନ ସଂଖ୍ୟା ବଢ଼ି ଚାଲିଛି। ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି। ଫଳରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ି ଚାଲିଛି। ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି ସରକାର ପର୍ଯ୍ୟଟନ ଭିତ୍ତିଭୂମି ସୁଦୃଢ଼ ଉପରେ ଗୁରୁତ୍ୱ ଦେଉଛନ୍ତି’’, କହିଛନ୍ତି ପର୍ଯ୍ୟଟନ ବିଭାଗ ସଚିବ ବିଶାଳ ଦେବ।

‘‘ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବଂ ଫିକିର ମିଳିତ ଆନୁକୂଲ୍ୟରେ ଓଡ଼ିଶା ଟ୍ରାଭେଲ ବଜାର ଗତ ତିନି ବର୍ଷ ହେଲା ଆୟୋଜିତ ହୋଇ ଆସୁଛି। ଏହା ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ଏବଂ ହୋଟେଲ ଶିଳ୍ପ ପାଇଁ ଖୁସିର କଥା। ଫିକି ସହଯୋଗରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଦେଶରେ ରୋଡ ସୋ’ କରାଯାଇଛି। ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରର ପ୍ରଚାର ପ୍ରସାର କରାଯାଇଛି। ରାଜ୍ୟ ସରକାର ଓଡ଼ିଶାର ପର୍ଯ୍ୟଟନ ଏବଂ ହୋଟେଲ ଶିଳ୍ପ ପ୍ରତି ସହଯୋଗର ହାତ ବଢ଼ାଇ ଆସିଛନ୍ତି। ଓଡ଼ିଶାର ସଂସ୍କୃତି ଏବଂ ଐତିହ୍ୟ ସହ ଜଡ଼ିତ ଦେଶ ମାଲେସିଆ, ଥାଇଲାଣ୍ଡ, କାମ୍ବୋଡିଆ, ଶ୍ରୀଲଙ୍କା. ସିଙ୍ଗାପୁର ଏବଂ ଇଣ୍ଡୋନେସିଆରେ ରୋଡ ସୋ’ କରିବା ପାଇଁ ଲକ୍ଷ୍ୟ ରହିଛି’’, କହିଛନ୍ତି ଫିକି ପୂର୍ବାଞ୍ଚଳ ପର୍ଯ୍ୟଟନ କମିଟିର ଅଧ୍ୟକ୍ଷ ତଥା ମେ’ ଫେୟାର ହୋଟେଲ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୌଭାଗ୍ୟ ମହାପାତ୍ର।

‘‘ସ୍ପୋର୍ଟସ୍‌ ଟୁରିଜିମ୍‌ କ୍ଷେତ୍ରରେ ଓଡ଼ିଶା ନୂଆ ପରିଚୟ ପାଇଛି। ଭୁବନେଶ୍ୱର ଦେଶରେ କ୍ରୀଡ଼ା ରାଜଧାନୀ ଭାବେ ମାନ୍ୟତା ହାସଲ କରିଛି। ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରରେ କିପରି ଆଗକୁ ଯିବ ସେନେଇ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି। ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରର ଅଭାବ ନାହିଁ। ଏହାକୁ କିପରି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପ୍ରଚାର ପ୍ରସାର କରାଯିବ ସେନେଇ ଘରୋଇ ଟୁର୍‌ ଅପରେଟରମାନେ ପଦକ୍ଷେପ ନିଅନ୍ତୁ। ଓଡ଼ିଶା ପର୍ଯ୍ୟଟନକୁ ଆଗକୁ ନେବା ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି। ଏଭଳି ଉଦ୍ୟମ ଜାରି ରହିଲେ ଓଡ଼ିଶାକୁ ଅଧିକ ପର୍ଯ୍ୟଟକମାନେ ଆସିବେ’’, କହିଛନ୍ତି ଫିକି ଜାତୀୟ ପର୍ଯ୍ୟଟନ କମିଟିର ଯୁଗ୍ମ ଅଧ୍ୟକ୍ଷ ଜେ କେ ମହାନ୍ତି ତଥା ସ୍ୱସ୍ତି ଗ୍ରୁପ୍ ଅଫ୍‌ ହୋଟେଲର ସିଏମ୍‌ଡି ଜେ କେ ମହାନ୍ତି।

‘‘ଓଡ଼ିଶା ହେଉଛି ପର୍ଯ୍ୟଟନର ଗନ୍ତଘର। ଏଠି ବିଭିନ୍ନ ପ୍ରକାରର ପର୍ଯ୍ୟଟନ କ୍ଷେତ୍ର ରହିଛି। ଓଡ଼ିଶାର ସଂସ୍କୃତି ଏବଂ ଐତିହ୍ୟ ଯେମିତି ସମୃଦ୍ଧ ଏଠାକାର ପର୍ଯ୍ୟଟନସ୍ଥଳ ମଧ୍ୟ ସେତିକି ଆକର୍ଷଣୀୟ। ଓଡ଼ିଶାରେ ବିସ୍ତୀର୍ଣ୍ଣ ସମୁଦ୍ର ବେଳାଭୂମି ରହିଛି। ଏହାସହ ଜଙ୍ଗଲ, ଆଦିବାସୀ ସଂସ୍କୃତି ମଧ୍ୟ ରହିଛି। ବିଭିନ୍ନ ମନ୍ଦିର ଏବଂ ଧର୍ମସ୍ଥଳ ମଧ୍ୟ ଓଡ଼ିଶା ପର୍ଯ୍ୟଟନ ଶିଳ୍ପ ଅନନ୍ୟ ଆକର୍ଷଣ। ଦେଶ ଏବଂ ବିଦେଶରେ ଓଡ଼ିଶା ବ୍ରାଣ୍ଡର ପ୍ରଚାର ପ୍ରସାର କରିବାର ବେଳ ଆସିଛି। ଏଥିପାଇଁ ଘରୋଇ ଟୁର୍‌ ଅପରେଟରମାନେ ପଦକ୍ଷେପ ନେବା ଆବଶ୍ୟକ’’, କହିଛନ୍ତି ଲଳିତ ଗ୍ରୁପ୍‌ ଅଫ ହୋଟେଲ୍ସର ସିଏମ୍‌ଡି ଡକ୍ଟର ଜ୍ୟୋସ୍ନା ସୂରୀ।

ଅନ୍ୟମାନଙ୍କ ମଧ୍ୟରେ ଏହି ଉଦଘାଟନ ଉତ୍ସବରେ ପର୍ଯ୍ୟଟନ ବିଭାଗ ସଚିବ ବିଶାଳ ଦେବ, ଫିକି ପୂର୍ବାଞ୍ଚଳ ପର୍ଯ୍ୟଟନ କମିଟିର ଅଧ୍ୟକ୍ଷ ତଥା ମେ’ ଫେୟାର ହୋଟେଲ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୌଭାଗ୍ୟ ମହାପାତ୍ର, ଫିକି ଜାତୀୟ ପର୍ଯ୍ୟଟନ କମିଟିର ଯୁଗ୍ମ ଅଧ୍ୟକ୍ଷ ତଥା ସ୍ୱସ୍ତି ଗ୍ରୁପ୍ ଅଫ୍‌ ହୋଟେଲର ସିଏମ୍‌ଡି ଜେ କେ ମହାନ୍ତି, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ଯାଦବ, ଲଳିତ ଗ୍ରୁପ୍‌ ଅଫ ହୋଟେଲ୍ସର ସିଏମ୍‌ଡି ଡକ୍ଟର ଜ୍ୟୋସ୍ନା ସୂରୀ ପ୍ରମୁଖ ଉପସ୍ଥିତ ଥିଲେ।

Comment