ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣ ମଣିଷଟିଏ ସିଏ କିନ୍ତୁ ତାଙ୍କ କାମ ଅସାଧାରଣ। ଭାରତର ମହାକାଶ ଯାତ୍ରାରେ ସେ ଥିଲେ ପ୍ରମୁଖ ସୂତ୍ରଧର। ବିଶ୍ୱରେ ଡକ୍ଟର ଏପିଜେ ଅବଦୁଲ କଲାମ ନାମରେ ପରିଚିତ ଏହି ବୈଜ୍ଞାନିକ ଭାରତରେ ମିସାଇଲ୍ ମ୍ୟାନ ଭାବେ ବେଶ ଜଣାଶୁଣା।

ଆଜିର ଦିନରେ ଅର୍ଥାତ ୧୯୩୧ ମସିହା ଅକ୍ଟୋବର ୧୫ ତାରିଖରେ ତାମିଲନାଡୁର ରାମେଶ୍ୱରମରେ ଜନ୍ମଗ୍ରହଣ କରିଥିଲେ ଅବଦୁଲ୍ କଲାମ।ତାଙ୍କର ପରିବାରର ଆର୍ଥିକ ପରିସ୍ଥିତି ସେ ସମୟରେ ବହୁତ ଖରାପ ଥିଲା। ତେଣୁ ସେ ପିଲାଟି ବେଳୁ ନିଜକୁ ବିଭିନ୍ନ କାମରେ ନିୟୋଜିତ କରିଥିଲେ। ଏମିତିକି ସେ ଘର ଘର ବୁଲି ଖବରକାଗଜ ମଧ୍ୟ ବିକୁଥିଲେ।

ଏହାରି ମଧ୍ୟରେ ସେ ତିରୁଚିରପଲ୍ଲୀର ସେଣ୍ଟ ଜୋସେଫ୍ କଲେଜରୁ ପଦାର୍ଥ ବିଜ୍ଞାନ ଓ ଚେନ୍ନାଇର ମାଦ୍ରାସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଅନ୍ତରୀକ୍ଷ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ।

୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ସେ ଭାରତର ୧୧ତମ ରାଷ୍ଟ୍ରପତି ରହିଥିଲେ। ଦେଶର ରାଷ୍ଟ୍ରପତି ହେବା ପୂର୍ବରୁ ସେ ଡି.ଆର୍.ଡି.ଓ ଏବଂ ଇସ୍ରୋରେ ଅନ୍ତରୀକ୍ଷ ଇଂଜିନିୟର ଥିଲେ।

ବାଲିଷ୍ଟିକ ମିଶାଇଲ୍ ଓ ଲଞ୍ଚ ଭେହିକିଲ୍ ପ୍ରଯୁକ୍ତିବିଦ୍ୟାର ଆବିଷ୍କାର ପାଇଁ କଲାମଙ୍କୁ ଭାରତର ମିସାଇଲ୍ ମ୍ୟାନର ଆଖ୍ୟା ଦିଆଯାଇଥିଲା। କାଲାମ ତାଙ୍କ ଜୀବନ କାଳରେ ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି। ମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୧୯୯୭ ମସିହାରେ ଦେଶର ସର୍ବୋଚ୍ଚ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନିତ କରାଯାଇଥିଲା।

୧୯୮୧ରେ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ। ୧୯୯୦ରେ ତାଙ୍କୁ  ପଦ୍ମ ବିଭୂଷଣ ପ୍ରଦାନ କରାଯାଇଥିଲା। ୨୭ ଜୁଲାଇ ୨୦୧୫ ମେଘାଳୟର ଶିଲଂରେ ଏକ ସଭାରେ ଭାଷଣ ଦେବା ସମୟରେ ହୃଦଘାତ ଯୋଗୁଁ କଲାମଙ୍କ ନିଧନ ହୋଇଥିଲା।

Comment