ଓଡ଼ିଶାଲାଇଭ ବ୍ୟୁରୋ  

ସରକାର ଚାଷ କ୍ଷେତ୍ରରେ ଉନ୍ନତି ନିମନ୍ତେ କରିଛନ୍ତି ଅନେକ ଯୋଜନା। ଚାଷୀ କିଭଳି ସୁଲଭ ମୂଲ୍ୟରେ ଉଚିତ ରାସାୟନିକ ସାରଠାରୁ ଆରମ୍ଭ କରି ବିହନ ପାଇପାରିବେ ସେଥିପାଇଁ ବିଶେଷ ଧ୍ୟାନ ଦେଇଥିବା କହିଛନ୍ତି। ହେଲେ ଚକଡ଼ା ପୋକ ବିନାଶ ପାଇଁ ଚାଷୀଙ୍କୁ ସରକାର ପକ୍ଷରୁ ଯେଉଁ ଔଷଧ ଦିଆଯାଇଛି ସେଥିରେ ପୋକ ନଷ୍ଟ ହେଉନଥିବା ଅଭିଯୋଗ କରିଛନ୍ତି କୋରାପୁଟ ଜିଲ୍ଲା ଜୟପୁର ଉପଖଣ୍ଡର ଚାଷୀ।

କୋରାପୁଟ ଜିଲ୍ଲାରେ ପ୍ରାୟ ଲୋକେ ଚାଷ ଉପରେ ନିର୍ଭର କରିଥାନ୍ତି। ବର୍ଷା ସାରା ମୁଣ୍ଡର ଝାଳ ତୁଣ୍ଡରେ ମାରି ଯାହା ଅମଳ କରନ୍ତି ସେଥିରେ ପରିବାର ଗୁଜରାଣ କରିଥାନ୍ତି। ଏଭଳି ସ୍ଥିତିରେ ଜୟପୁର ଉପଖଣ୍ଡ  ଅଞ୍ଚଳରେ କୋଟପାଡ଼, ବୈପାରିଗୁଡ଼ା, ବୋରିଗୁମା, କୁନ୍ଦୁରା ଓ ଜୟପୁର ବ୍ଲକରେ ଚକଡ଼ା ପୋକର ଆତଙ୍କ ସୃଷ୍ଟି ହୋଇଛି। ଏହାକୁ ନେଇ ବର୍ତ୍ତମାନ ଚିନ୍ତାରେ ଚାଷୀକୂଳ।

କୋରାପୁଟ ଜିଲ୍ଲାରେ ୯୯ ହଜାର ହେକ୍ଟର ଜମିରେ ଧାନ ଫସଲ କରାଯାଉଛି। ସେଥିମଧ୍ୟରୁ ଜୟପୁର ଉପଖଣ୍ଡରେ ହଜାର ହଜାର ହେକ୍ଟର ଜମିରେ ଚକଡ଼ା ପୋକ ଲାଗିଥିବା ଜଣାଯାଇଛି। ଚାଷୀମାନଙ୍କୁ ଠିକ ସମୟରେ ଚକଡ଼ା ପୋକ ପ୍ରତିକାର ପାଇଁ ଔଷଧ ଦିଆଯାଇ ନଥିବା ଅଭିଯୋଗ କରିଛନ୍ତି ଚାଷୀ। ଯେଉଁ ଔଷଧ ସରକାର ପକ୍ଷରୁ ମିଳିଛି ତାହା କାମ ଦେଉ ନଥିବା ଚାଷୀ କହିଛନ୍ତି।

ତେବେ ଏହାର ଉପକାର ପାଇଁ ଚାଷୀମାନେ ବାଧ୍ୟ ହୋଇ ଗ୍ରାମଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରୁଛନ୍ତି। ଚାଷ ଜମିରେ ଔଷଧ ପ୍ରୟୋଗ କରିବାର ୨୪ଘଣ୍ଟା ମଧ୍ୟରେ ପୁଣି ଚକଡ଼ା ପୋକ ଜୀବିତ ହୋଇ ଯାଉଥିବା କହିଛନ୍ତି ଚାଷୀ। ଏଭଳି ସ୍ଥିତିରେ ଚାଷୀମାନେ ବାଧ୍ୟ ହୋଇ ବେସରକାରୀ ଔଷଧ ଚଢା ଦରରେ କିଣୁଛନ୍ତି। ସେହି ଔଷଧର ଦାମ କିଲୋ ପ୍ରତି ୯ହଜାର ଟଙ୍କା ହୋଇଥିବା ବେଳେ ଗରିବ ଚାଷୀ କିଣିବା ପାଇଁ ସକ୍ଷମ ହୁଅନ୍ତି ନାହିଁ।

Comment