ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

 ସୌରଭ ଗାଙ୍ଗୁଲିଙ୍କୁ ବିସିସିଆଇ ସଭାପତି ପଦ। ଲାଗିଲା ରାଜନୀତିର ରଙ୍ଗ।

୧୮ ହଜାରରୁ ଅଧିକ ରନ୍‌ ଏବଂ ୩୮ଟି ଅନ୍ତର୍ଜାତୀୟ ଶତକ ହାସଲ କରିଥିବା ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ହେବେ ବିସିସିଆଇ ସଭାପତି। ଏହାସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହ ଏବଂ ଅନୁରାଗ ଠାକୁରଙ୍କ ଭାଇ ଅରୁଣ ଧୂମାଲ ବିସିସିଆଇ କୋଷାଧ୍ୟକ୍ଷ ହେବା ଏକ ପ୍ରକାର ଥୟ ହୋଇଯାଇଛି।

କାରଣ ଏମାନଙ୍କ ବିପକ୍ଷରେ କେହି ପ୍ରାର୍ଥିପତ୍ର ଦାଖଲ କରି ନାହାନ୍ତି। ଏଣୁ ଏମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ସ୍ପଷ୍ଟ ହୋଇ ଯାଇଛି। ତେବେ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇ ନଥିବା ବେଳେ ଏବେ ସୌରଭ ଗାଙ୍ଗୁଲିଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

କୁହାଯାଉଛି ଯେ ଗାଙ୍ଗୁଲି ମାତ୍ର ୧୦ ମାସ ବିସିସିଆଇର ସଭାପତି ରହିବେ। ଲୋଧା କମିଟିର ନିୟମ ଅନୁଯାୟୀ ଗାଙ୍ଗୁଲି ଅଳ୍ପ ସମୟ ପାଇଁ ସଭାପତି ରହିବେ। ତାଛଡ଼ା ଗାଙ୍ଗୁଲି ଏହି ପଦବୀ ପାଇଁ କୌଣସି ଦରମା ମଧ୍ୟ ନେବେ ନାହିଁ ସର୍ତ୍ତ ରଖିଛନ୍ତି। ତେବେ ପ୍ରଶ୍ନ ଉଠୁଛି ଗାଙ୍ଗୁଲି କାହିଁକି ଏହି ପଦବୀ ନେବାକୁ ଆଗ୍ରହୀ ହେଲେ ଏବଂ କିଏ ତାଙ୍କୁ ଏହି ବଡ଼ ଦାୟିତ୍ୱ ଦେବାକୁ ଅପିଲ୍‌ କଲା? ଏଣୁ ଏହା ପଛରେ ରାଜନୀତି ରହିଥିବା ଏବେ ଚର୍ଚ୍ଚା ହେଉଛି।

୨୦୨୧ରେ ପଶ୍ଚିମବଙ୍ଗ ବିଧାନସଭା ଭୋଟ। ଗାଙ୍ଗୁଲି ହେଉଛନ୍ତି ପଶ୍ଚିମବଙ୍ଗର ଅଧିବାସୀ। ଜଣେ ଅନ୍ତର୍ଜାତୀୟ କ୍ରିକେଟର ଭାବେ ପଶ୍ଚିମବଙ୍ଗରେ ତାଙ୍କର ଭଲ କ୍ରେଜ ରହିଛି। ‘ଦାଦା’ ନାଁରେ ଗାଙ୍ଗୁଲି ପଶ୍ଚିମବଙ୍ଗରେ ଭଲଭାବରେ ପରିଚିତ। ଏହାସହ ସେ ପଶ୍ଚିମବଙ୍ଗ କ୍ରିକେଟ ଆସୋସିଏସନର ସଭାପତି ବି ଅଛନ୍ତି। ଏଣୁ ବିଧାନସଭା ନିର୍ବାଚନ ପୂର୍ବରୁ ଗାଙ୍ଗୁଲିଙ୍କୁ ବିସିସିଆଇ ସଭାପତି ପଦ ଦେଇ ବିଜେପି ଏବେଠୁ ପଶ୍ଚିମବଙ୍ଗ ଦଖଲ କରିବା ପାଇଁ ନକ୍ସା ପ୍ରସ୍ତୁତ କରୁଥିବା କୁହାଯାଉଛି।

ପଶ୍ଚିମବଙ୍ଗରେ ବାମପନ୍ଥୀ ଶାସନର ଅନ୍ତ ଘଟାଇ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଲଗାତର ଦ୍ୱିତୀୟ ଥର ପାଇଁ ମମତା ମୁଖ୍ୟମନ୍ତ୍ରୀ ଭାବେ ପଶ୍ଚିମବଙ୍ଗରେ ଶାସନ କରୁଛନ୍ତି। ହେଲେ ଯେବେଠୁ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ସରକାର ଆସିଲାଣି ସେବେଠୁ ଦିଦି ଓ ମୋଦୀଙ୍କ ଭିତରେ ତେରୀମେରୀ ଚାଲିଛି। ଏହାର ପ୍ରମାଣ ଗତ ୨୦୧୯ ନିର୍ବାଚନ ବେଳେ ଦେଖିବାକୁ ମିଳିଥିଲା।

ପଶ୍ଚିମବଙ୍ଗରେ ବିଜେପି ଏବଂ ତୃଣମୂଳ କଂଗ୍ରେସ କର୍ମୀଙ୍କ ଭିତରେ କଥା କଟାକଟି ଓ ହାତାହାତି ରଜନୀତି ବଜାରରେ ନିଆଁ ଲଗାଇଥିଲା। ପଶ୍ଚିମବଙ୍ଗରୁ ମମତା ଶାସନ ହଟାଇବାକୁ ବିଜେପି ଚାହୁଁଛି। ହେଲେ ଦିଦିଙ୍କ ବିକଳ୍ପ ହେବା ପାଇଁ ବିଜେପିରେ ସେମିତି କେହି ଚେହେରା ନାହାନ୍ତି। ଏଣୁ ବିଜେପି ୨୦୨୧ ନିର୍ବାଚନ ପୂର୍ବରୁ ଗାଙ୍ଗୁଲିଙ୍କୁ ବିସିସିଆଇ ସଭାପତି ପଦ ଦେଇ ମନାଇବାକୁ ଉଦ୍ୟମ କରୁଛି। ଦିଦିଙ୍କୁ ଚେକ୍‌ ଦେବା ପାଇଁ ବିଜେପି ଗାଙ୍ଗୁଲିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି।

ବିସିସିଆଇ ସଭାପତି ପଦ ପାଇଁ ଗାଙ୍ଗୁଲିଙ୍କ ନାଁ କାହିଁକି ଉଠିଲା?

ଅନୁରାଗ ଠାକୁର ଥିଲେ ବିସିସିଆଇ ସଭାପତି। ତାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଲୋଧା କମିଟି ନିୟମ ଆସିବାରୁ ଆଉ ନିର୍ବାଚନ ହୋଇ ନଥିଲା। ଫଳରେ ସି କେ ଖାନ୍ନାଙ୍କୁ ଅନ୍ତରୀଣ ଅଧ୍ୟକ୍ଷ କରାଯାଇଥିଲା। ଏବେ ଲୋଧା କମିଟିର ନିୟମ ଅନୁଯାୟୀ ବିସିସିଆଇ ନିର୍ବାଚନ ହେଉଛି।

ବିସିସିଆଇ ସଭାପତି ପଦ ପାଇଁ ବ୍ରିଜେଶ ପଟେଲଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିଲା। ସେ ବିସିସିଆଇର ପୂର୍ବତନ ସଭାପତି ଏନ୍‌ ଶ୍ରୀନିବାସନଙ୍କ ଘନିଷ୍ଠ ଥିବାରୁ ବ୍ରିଜେଶଙ୍କ ନାଁ ରେସ୍‌ରେ ରହିଥିଲା। ହେଲେ ରାତିରାତି ସବୁକିଛି ବଦଳି ଯାଇଥିଲା। ଗତ ରବିବାର ରାତିରେ ସୌରଭ ଗାଙ୍ଗୁଲିଙ୍କ ପାଖକୁ ଯାଇଥିଲା ଫୋନ। ବିସିସିଆଇ ସଭାପତି ପଦ ପାଇଁ ପ୍ରସ୍ତାବ ଦିଆଯାଇଥିଲା।

ଏଥିରେ ଗାଙ୍ଗୁଲି ରାଜି ହୋଇଥିଲେ ଏବଂ ସୋମବାର ସେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। କିନ୍ତୁ ତାଙ୍କ ବିପକ୍ଷରେ କେହି ପ୍ରାର୍ଥିପତ୍ର ଦାଖଲ କରି ନାହାନ୍ତି। ଏଣୁ ଗାଙ୍ଗୁଲି ସଭାପତି ହେବା ସ୍ପଷ୍ଟ ହୋଇଛି। ତେବେ ବିସିସିଆଇ ସଭାପତି ପଦ ପାଇଁ ରେସ୍‌ରେ ନଥିବା ଗାଙ୍ଗୁଲିଙ୍କୁ ହଠାତ୍‌ କାହିଁକି ଏଭଳି ଅଫର୍‌ ଦିଆଗଲା ତାକୁ ନେଇ କାରଣ ଖୋଜା ଚାଲିଲା।

ବିସିସିଆଇ ସମ୍ପାଦକ ପଦବୀରେ ଅମିତ ଶାହଙ୍କ ପୁଅ ଜୟ ଶାହ ଏବଂ କୋଷାଧ୍ୟକ୍ଷ ପଦବୀରେ ଅନୁରାଗ ଠାକୁରଙ୍କ ଭାଇ ଅରୁଣ ଧୂମାଲ ପ୍ରାର୍ଥିପତ୍ର ଦାଖଲ କରିଥିବାରୁ ବିଜେପି ହିଁ ଏଦିଗରେ ଗୋଟି ଚାଳନା କରୁଥିବା କାହାକୁ ଅଛପା ନାହିଁ। ଗାଙ୍ଗୁଲିଙ୍କୁ ବିସିସିଆଇ ସଭାପତି କରି ପଶ୍ଚିମବଙ୍ଗ ହାତେଇବାକୁ ବିଜେପି ଲକ୍ଷ୍ୟ ରଖିଥିବା ଏବେ ଆଲୋଚନା ହେଉଛି।

Comment