ଓଡ଼ିଶାଲାଇଭ୍ ବ୍ୟୁରୋ

‘‘ମୁଁ ଜନ୍ମରୁ ଦୃଷ୍ଟିହୀନ। ଆଖି ଦେଖାଇବା ପାଇଁ ଡାକ୍ତରଙ୍କ ପାଖକୁ ଯାଇଥିଲି। ହେଲେ ଡାକ୍ତର ମନା କରିଦେଲେ। ମୋ’ ମାଆ ଏବଂ ବାପା ଗୋଟିଏ ଗୋଟିଏ ଆଖି ଦେବା ପାଇଁ କହିଥିଲେ। ହେଲେ ଡାକ୍ତର ଅପରେସନ୍‌ ହୋଇପାରିବ ନାହିଁ ବୋଲି ମନା କରିଦେଲେ।’’

‘‘ମୁଁ ବହୁତ ଅଭାବ ଅସୁବିଧାରେ ବଡ଼ ହୋଇଛି। ଛୋଟ ବେଳେ ଆମେ ଠିକ୍‌ରେ ଖାଇବାକୁ ପାଉ ନଥିଲୁ। ମତେ ଯେତେବେଳେ ଭୋକ ଲାଗୁଥିଲା ମୁଁ ଭାତରେ ଲୁଣ ମିଶାଇ ଖାଇ ଦେଉଥିଲି।’’

‘‘ବାପା ମହୁତ କଷ୍ଟ କରିଛନ୍ତି। ଆମ ଅଭାବ ଅସୁବିଧା ବାପାଙ୍କୁ ବହୁତ କଷ୍ଟ ଦେଇଥିଲା। ଏସବୁକୁ ଦେଖି ବାପାଙ୍କର ୨୦୦୧ରେ ହୃଦଘାତରେ ମୃତ୍ୟୁ ହୋଇଗଲା।’’

ଏ ହେଉଛି କଳାହାଣ୍ଡି ଜିଲ୍ଲା ଭବାନିପାଟଣାର ମେଘମାଳା ପଣ୍ଡାଙ୍କ କାହାଣୀ। ହେଲେ ତାଙ୍କ ଜୀବନ ଯେତିକି ସଂଘର୍ଷମୟ ତାଙ୍କ କଣ୍ଠ ସେତିକି ମଧୁର। ସଂଘର୍ଷ ତାଙ୍କ ଜୀବନ, ସଙ୍ଗୀତ ତାଙ୍କ ଜୀବନ। ଜୀବନର ସଂଘର୍ଷରେ ମେଘମାଳାଙ୍କ ପାଇଁ ଯେତିକି ଆହ୍ୱାନ ସୃଷ୍ଟି ହୋଇଛି ସଙ୍ଗୀତ ତାଙ୍କୁ ସେତିକି ଆନନ୍ଦ ଦେଇ ଆସିଛି। ବାସ୍ତବରେ ସଙ୍ଗୀତ ହିଁ ମେଘମାଳାଙ୍କୁ ଦେଇଛି ସଂଘର୍ଷ ଭିତରେ ସିଧା ହୋଇ ଠିଆ ହେବା ପାଇଁ ସାହସ।

ମେଘମାଳା ଜନ୍ମରୁ ଦୃଷ୍ଟିହୀନ। ହେଲେ ଦୃଢ ଇଛାଶକ୍ତି ଓ କଠିନ ଅଧ୍ୟବସାୟ ସେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଛନ୍ତି। ଗୀତ ଗାଇ ସେ ସମସ୍ତଙ୍କ ମନ ମୋହୁଛନ୍ତି। ଲକ୍ଷ୍ନୌ ସଂଗୀତ କଳା ପରିଷଦରୁ ମେଘମାଳା ହିନ୍ଦୁସ୍ତାନୀ ଭୋକାଲରେ ସ୍ନାତକ ଏବଂ ଚଣ୍ଡିଗଡ଼ ପ୍ରଚୀନ କଳାକେନ୍ଦ୍ରରୁ ଓଡ଼ିଶୀ ସଂଗୀତରେ ସ୍ନାତକ ହାସଲ କରିଥିବା ମେଘମାଳା ଏବେ ଭବାନୀପାଟଣା ରେଡକ୍ରସ୍‌ ବିଦ୍ୟାଳୟରେ ସଙ୍ଗୀତ ଶିକ୍ଷୟତ୍ରୀ ଅଛନ୍ତି।

ସେ ଯେତେବେଳେ ହାର୍‌ମୋନିୟମ ଧରି ବସନ୍ତି ସେତେବେଳେ ସେ ତାଙ୍କ ସଂଘର୍ଷମୟ ଜୀବନକୁ ଭୁଲି ଯାଆନ୍ତି। ସେ ସଙ୍ଗୀତ ଭିତରେ ଦୁନିଆ ଦେଖନ୍ତି। ସଙ୍ଗୀତରେ ସେ ନିଜେ ଭିଜନ୍ତି ଏବଂ ଅନ୍ୟକୁ ବି ଭିଜାନ୍ତି। ସଙ୍ଗୀତକୁ ନିଜ ଜୀବନର ସାଧନା କରିଥିବା ମେଘମାଳା ନିକଟରେ ଭୁବନେଶ୍ୱର ଆସିଥିଲେ। ଓଡ଼ିଶାଲାଇଭ୍ ଟିମ୍‌ ଆଗରେ ସେ ନିଜ ସଂଘର୍ଷମୟ କାହାଣୀ ବଖାଣିଥିଲେ।

‘‘୬ ବର୍ଷ ବୟସରେ ମୁଁ ସଙ୍ଗୀତ ଶିଖିଥିଲି। ସାନ୍ତ୍ୱନା ପୁରସ୍କାର ମଧ୍ୟ ପାଇଥିଲି। ମା’ ବାପା ଚାହୁଁଥିଲେ ମୁଁ ଗୀତ ଗାଇ ନାଁ କରେ। ଲତା ମଙ୍ଗେସ୍କରଙ୍କ ଗୀତ ମତେ ଭଲ ଲାଗେ। ତାଙ୍କ ଗୀତ ଶୁଣି ଶୁଣି ମୁଁ ସଙ୍ଗୀତକୁ ଆପଣାଇ ନେଲି’’, ଓଡ଼ିଶାଲାଇଭ୍‌କୁ କହିଛନ୍ତି ମେଘମାଳା।

ବାପାଙ୍କ ଦେହାନ୍ତ ପରେ ସଙ୍ଗୀତ ଶିକ୍ଷା ବନ୍ଦ ହୋଇଯିବ ବୋଲି ମେଘମାଳା ଭାବିଥିଲେ। ହେଲେ ବଡ଼ ଭାଇ, ବଡ଼ ଭଉଣୀ ଓ ସାନ ଭଉଣୀ ସଙ୍ଗୀତ ଶିକ୍ଷା ପାଇଁ ଉତ୍ସାହିତ କରିଥିଲେ ବୋଲି କହନ୍ତି ମେଘମାଳା। ପଞ୍ଚମ ଶ୍ରେଣୀ ଯାଏଁ ମେଘମାଳା ଘରେ ରହି ପାଠ ପଢ଼ିଥିଲେ। ଷଷ୍ଠ ଶ୍ରେଣୀରୁ ସେ ହଷ୍ଟେଲରେ ରହିଥିଲେ। ପରେ ଲକ୍ଷ୍ନୌ ସଂଗୀତ କଳା ପରିଷଦରୁ ମେଘମାଳା ହିନ୍ଦୁସ୍ତାନୀ ଭୋକାଲରେ ସ୍ନାତକ ହାସଲ କଲେ। ଏଥି ସହିତ ଚଣ୍ଡିଗଡ ପ୍ରଚୀନ କଳାକେନ୍ଦ୍ରରୁ ସେ ଓଡ଼ିଶୀ ସଂଗୀତରେ ସ୍ନାତକ ହାସଲ କଲେ। ଧୀରେ ଧୀରେ ମେଘମାଳା ହିନ୍ଦୁସ୍ତାନୀ କ୍ଲାସିକାଲ ଓ ତବଲା ବାଦନରେ ପାରଙ୍ଗମ ହୋଇଗଲେ।

ସନ୍ନ୍ୟାସୀ ସାର୍‌ ମୋ’ ଜୀବନରେ ଟର୍ଣ୍ଣିଂ ପଏଣ୍ଟ

‘‘ସନ୍ନ୍ୟାସୀ ସାର୍‌ଙ୍କ ନାଁ ମୁଁ ଶୁଣିଥିଲି। ସେ ସମସ୍ତଙ୍କୁ ସାହାଯ୍ୟ କରନ୍ତି ବୋଲି ଜାଣିଥିଲି। ହେଲେ ତାଙ୍କୁ କେବେ ଦେଖି ନଥିଲି। ସାର୍‌ଙ୍କ ନମ୍ବର ଆଣି ମୁଁ ତାଙ୍କୁ ଫୋନ୍‌ କରିଥିଲି। ସାର୍‌ଙ୍କ ସହିତ ମୋର ଭବାନୀପାଟଣାରେ ଦେଖା ହୋଇଥିଲା। ସାର୍‌ ମୋ ଗୀତ ଶୁଣି ଖୁସି ହୋଇଯାଇଥିଲେ’’, କହିଛନ୍ତି ମେଘମାଳା।

‘‘ମୁଁ ଠାକୁର ଅନୁକୁଳ ଚନ୍ଦ୍ରଙ୍କର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଭବାନୀପାଟଣା ଯାଇଥିଲି। ସେଠାରେ ମୁଁ ମେଘମାଳାଙ୍କୁ ଦେଖିଥିଲି। ସେ ମତେ ତାଙ୍କ ସଂଘର୍ଷ କାହାଣୀ ବିଷୟରେ କହିଥିଲେ। ସେ ନିଜ ଅଧ୍ୟବସାୟ ବଳରେ ଏତେବାଟ ଆସି ପାରିଛନ୍ତି। ବହୁ ଅଭାବ ଅସୁବିଧାରେ ବଢ଼ିଥିଲେ ମଧ୍ୟ ସଙ୍ଗୀତରେ ହାର୍ ମାନି ନାହାନ୍ତି’’, କହିଛନ୍ତି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସନ୍ନ୍ୟାସୀ କୁମାର ବେହେରା।

ମେଘମାଳାଙ୍କର ଇଚ୍ଛା ରହିଛି ସିନେମା ଓ ସିରିୟଲ୍‌ରେ ଗୀତ ଗାଇବା ପାଇଁ। ମେଘମାଳଙ୍କ କଣ୍ଠରୁ ଗୀତ ଶୁଣି ସାରିବା ପରେ ସମସ୍ତେ ତାଙ୍କର ଭୂରିଭୂରି ପ୍ରଶଂସା କରୁଛନ୍ତି। ମେଘମାଳା ଯେ ଆଗକୁ ବଢି ଚାଲନ୍ତୁ ଏହା ସମସ୍ତେ ଚାହୁଁଛନ୍ତି।

ତେବେ ମେଘମାଳାଙ୍କ ଆଗରେ ସମସ୍ୟା ହେଉଛି ତାଙ୍କର ଗୋଟିଏ ଭଲ ହାରମୋନିୟମ୍ ନାହିଁ। ଯେନତେନ ପ୍ରକାରେ ସେ ଏହି ପୁରୁଣା ହାରମୋନିୟମରେ ପିଲାଙ୍କୁ ଶିଖାଇବା ସହିତ ନିଜେ ଶିଖୁଛନ୍ତି। ସ୍ଥାୟୀ ଚାକିରି ନ ଥିବାରୁ ନୂଆ ହାରମନିୟମଟିଏ କିଣିପାରୁ ନାହାନ୍ତି। ତଥାପି ମେଘମାଳାଙ୍କର ଆଶା ସରକାର କେତେ କାହାକୁ ସାହାଯ୍ୟ କରୁଛନ୍ତି, ତାଙ୍କ କଥା ଶୁଣିବେ। ଫଳରେ ନିଜ ସାଧନା ସହିତ ସେ ପିଲାଙ୍କ ଶିକ୍ଷାକୁ ଆଗକୁ ନେଇ ପାରିବେ।

ଜୀବନସାରା ଦୁଃଖ ଓ କଷ୍ଟ ସହି ଆଗକୁ ବଢିଥିବା ମେଘମାଳା ସମସ୍ତଙ୍କ ପାଇଁ ଗୋଟିଏ ଛୋଟ ପରାମର୍ଶ ଦେଇଛନ୍ତି। ଯେତେ ବାଧାବିଘ୍ନ ଆସିଲେ ତାକୁ ସାହସର ସହ ସାମ୍ନା କଲେ ସଫଳତା ନିଶ୍ଚିତ ମିଳିବ ବୋଲି କହିଛନ୍ତି ମେଘାମାଳା।

Comment