ଓଡ଼ିଶାଲାଇଭ୍ ବ୍ୟୁରୋ

ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଧରିବେ ଭାରତୀୟ କ୍ରିକେଟର ମଙ୍ଗ। ଗାଙ୍ଗୁଲି ହେବେ ପରବର୍ତ୍ତୀ ବିସିସିଆଇ ସଭାପତି। ସଭାପତି ପଦ ପାଇଁ ଗାଙ୍ଗୁଲିଙ୍କ ବିପକ୍ଷରେ କେହି ପ୍ରାର୍ଥୀ ନଥିବାରୁ ଦାଦା ହିଁ ସଭାପତି ହେବା ଏକପ୍ରକାର ଥୟ ହୋଇଯାଇଛି।

କେବଳ ସଭାପତି ପଦ ନୁହେଁ, ବିସିସିଆଇର ଅନ୍ୟ ପଦବୀ ପାଇଁ ମଧ୍ୟ ଜଣେ ଲେଖାଏଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ମୋଟ ୮ ଜଣ ପାର୍ଥୀ ବିଭିନ୍ନ ପଦ ପାଇଁ ପାର୍ଥିପତ୍ର ଦାଖଲ କରିଛନ୍ତି। ଏଣୁ ବିସିସିଆଇରେ ଏଥର ନିର୍ବାଚନ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି।

ସୋମବାର ବିସିସିଆଇର ସଭାପତି ପଦ ପାଇଁ କେବଳ ସୌରଭ ଗାଙ୍ଗୁଲି ହିଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତେଣୁ ସେ ବିସିସିଆଇର ନୂଆ ସଭାପତି ହେବା ନିଶ୍ଚିତ ହୋଇଯାଇଛି। ସେ ଚଳିତ ଥର ବେଙ୍ଗଲ କ୍ରିକେଟ ଆସୋସିଏସନର ସଭାପତି ଭାବେ ନିର୍ବାଚିତ ହୋଇଥିଲେ।

ଆଇପିଏଲ ଗଭର୍ଣ୍ଣିଂ କାଉନିସଲର ଦୁଇଟି ପଦବୀ ପାଇଁ କର୍ଣ୍ଣାଟକର ବ୍ରିଜେଶ ପଟେଲ ଓ ମିଜୋରାମର ଏମ୍.ଖୈରୁଲ ଜୁମାଲ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତେଣୁ ଏହି ଦୁଇଜଣ ନିର୍ଦ୍ୱନ୍ଦ୍ୱରେ ଆଇପିଏଲ ଗଭର୍ଣ୍ଣିଂ କାଉନସିଲର ସଦସ୍ୟ ହେବେ।

ବିସିସିଆଇର ସମ୍ପାଦକ ପଦବୀ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତାଙ୍କ ବିପକ୍ଷରେ କେହି ପ୍ରାର୍ଥୀ ନଥିବାରୁ ସେ ବିସିସିଆଇ ସମ୍ପାଦକ ହେବା ଏକ ପ୍ରକାର ନିଶ୍ଚିତ। ପୂର୍ବରୁ ମଧ୍ୟ ତାଙ୍କ ବାପାଙ୍କ ସହ ସେ ଗୁଜୁରାଟ କ୍ରିକେଟ ଆସୋସିଏସନର ଯୁଗ୍ମ ସମ୍ପାଦକ ରହିଥିଲେ।

ବିସିସିଆର କୋଷାଧ୍ୟକ୍ଷ ଭାବେ ନିଯୁକ୍ତ ହେବେ ଅରୁଣ ଧୁମଲ। ସେ ବିସିସିଆଇର ପୂର୍ବତନ ସଭାପତି ଅନୁରାଗ ଠାକୁରଙ୍କ ସାନଭାଇ। ଏହାସହ ଚଳିତ ବର୍ଷ ସେ ହିମାଚଳ କ୍ରିକେଟ ଆସୋସିଏସନର ସଭାପତି ମଧ୍ୟ ନିର୍ବାଚିତ ହୋଇଛନ୍ତି।   

କେରଳର ଜୟେଶ ଜର୍ଜଙ୍କୁ ବିସିସିଆଇର ଯୁଗ୍ମ ସମ୍ପାଦକ ଭାବେ ପାର୍ଥିପତ୍ର ଦାଖଲ କରିଛନ୍ତି। ତାଙ୍କ ବିପକ୍ଷରେ କେହି ବି ଏହି ପଦ ପାଇଁ ପାର୍ଥିପତ୍ର ଦାଖଲ କରିନାହାନ୍ତି। ବିସିସିଆଇର ନୂଆ ଉପସଭାପତି ଭାବେ ନିଯୁକ୍ତ ହେବେ ଉତ୍ତରାଖଣ୍ଡର ମହିମ୍ ବର୍ମା। ସେ ବର୍ତ୍ତମାନ ଉତ୍ତରାଖଣ୍ଡ କ୍ରିକେଟ ଆସୋସିଏସନର ସମ୍ପାଦକ ଅଛନ୍ତି। ସୌରଭ ଗାଙ୍ଗୁଲିଙ୍କ ନୂଆ ଟିମରେ ସେ ଉପସଭାପତି ଭାବେ କାର୍ଯ୍ୟ କରିବେ।

ଛତିଶଗଡ଼ କ୍ରିକେଟ ଆସୋସିଏସନର ସଭାପତି ଥିବା ପ୍ରଭତେଜ ସିଂହ ଭାଟିଆ ସୋମବାର ଆପେକ୍ସ କାଉନସିଲ ସଦସ୍ୟ ଭାବେ ପାର୍ଥିପତ୍ର ଦାଖଲ କରିଛନ୍ତି। ସେ ବର୍ତ୍ତମାନ ଏହି କାଉନସିଲର ଏକମାତ୍ର ପ୍ରାର୍ଥୀ।

Comment