ଓଡ଼ିଶାଲାଇଭ୍‌ ବ୍ୟୁରୋ

ହରିୟାଣାର ଭିବାନୀରେ ନିର୍ବାଚନୀ ପ୍ରଚାର କରିବା ସମୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ। ରାଫେଲର ଅସ୍ତ୍ର ପୂଜାକୁ ନେଇ ହୋଇଥିବା ବୟାନବାଜି ଉପରେ ମୁହଁ ଖୋଲିଛନ୍ତି ରାଜନାଥ ସିଂହ। ଅସ୍ତ୍ର ପୂଜା ସମୟରେ ରାଫେଲ ଉପରେ ଓମ୍‌ ନଲେଖି ଥିଲେ ଆଉ କ’ଣ ଲେଖିଥାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

‘‘ ବିଜୟାଦଶମୀରେ ଅସ୍ତ୍ରପୂଜାର ପରମ୍ପରା ରହିଛି। ସେହି ଅବସରରେ ରାଫେଲର ଅସ୍ତ୍ର ପୂଜା ହୋଇଥିଲା। ପୂଜା ସମୟରେ ମୁଁ ସେଥିରେ ଓମ୍‌ ଲେଖିଥିଲି। ସେତେବେଳେ ଏହାକୁ ନେଇ ବୟାନବାଜି ଚାଲିଲା। ଏବେ ମୁଁ ରାହୁଲଜୀଙ୍କୁ ପ୍ରଶ୍ନ କରୁଛି ଯଦି ରାଫେଲରେ ଓମ୍‌ ଲେଖାଯାଇ ନଥାନ୍ତା ତ ଆଉ କ’ଣ ଲେଖାଯାଇଥାନ୍ତା?‘‘, କହିଛନ୍ତି ରାଜନାଥ ସିଂହ।

ବିଜୟାଦଶମୀ ଅବସରରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିହ ଫ୍ରାନ୍ସ ଯାଇ ରାଫେଲର ଅସ୍ତ୍ର ପୂଜା କରିଥିଲେ। ଏହାକୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ସମାଲୋଚନା କରିଥିଲେ। ହରିୟାଣାରେ ନିର୍ବାଚନୀ ପ୍ରଚାର ସମୟରେ ରାଜନାଥ ଏହାର ଜବାବ ରଖିଛନ୍ତି।

ଅନ୍ୟପକ୍ଷରେ ହରିୟାଣାରେ ଚଳିତ ମାସ ୨୧ ତାରିଖରେ ନିର୍ବାଚନ ହେବାକୁ ଯାଉଛି। ଏଥିଲାଗି ହରିୟାଣାରେ ନିର୍ବାଚନୀ ପ୍ରଚାର ପ୍ରସାର ଜୋର ଚାଲିଛି। ଅକ୍ଟୋବର ୨୪ରେ ଭୋଟ ଗଣତି ହେବ।

Comment