ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଜମୁଛି ପ୍ରଚାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତିନିଟି ରାଲି କରିଥିଲେ। ପରଲି, ସତାରା ଏବଂ ପୁଣେରେ ରାଲି କରି ମୋଦୀ କଂଗ୍ରେସକୁ ସିଧା ସମାଲୋଚନା କରିଥିଲେ।

ମୋଦୀ କହିଥିଲେ ଯେ ମହାରାଷ୍ଟ୍ରରେ ଆମେ ଯାହା ପ୍ରତିଶ୍ରୁତି ଦେଇଛୁ ତାହା ପୂରଣ କରିବୁ। ବିଜେପି ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଜିତାଇବାକୁ ମୋଦୀ କହିଥିଲେ। ମହାରାଷ୍ଟ୍ର ନିର୍ବାଚନରେ ମୋଦୀ ଧାରା ୩୭୦ ଉଚ୍ଛେଦକୁ ଅସ୍ତ୍ର କରିଥିଲେ।

‘’୭୦ ବର୍ଷ ହେଲା ଧାରା ୩୭୦ ହଟିପାରୁ ନଥିଲା। ଏହାକୁ ହଟାଇବା ପାଇଁ ଅତୀତରେ ବହୁତ ଆଲୋଚନା ହୋଇଥିଲା। କିନ୍ତୁ ଏଦିଗରେ କେହି ସାହସ ଦେଖାଇ ନଥିଲେ। କିନ୍ତୁ ଆମେ ଯେଉଁ ପଦକ୍ଷେପ ନେଇଛୁ ତାହା ଏତେ ସହଜ ନଥିଲା। କୌଣସି ବ୍ୟବସ୍ଥାକୁ ଭାଙ୍ଗିଲେ ବିରୋଧର ସାମ୍ନା କରିବାକୁ ପଡ଼େ। ହେଲେ ଭାରତକୁ ବିଭିନ୍ନ କ୍ଷେତ୍ରରେ ଆଗକୁ ନେବାକୁ ପଡ଼ିବ’’, କହିଥିଲେ ମୋଦୀ।

୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ଆସନ ପାଇଁ ଆସନ୍ତା ୨୧ରେ ଭୋଟ ହେବ। ୧୯ ତାରିଖ ସନ୍ଧ୍ୟାରେ ପ୍ରଚାର ଶେଷ ହେବ। ପ୍ରଚାର ଶେଷ ହେବାକୁ ଆଉ ଦୁଇ ଦିନ ଥିବାରୁ ପ୍ରଚାର ଏବେ ଜମୁଛି। ଚଳିତ ନିର୍ବାଚନରେ ଶିବସେନା ସହ ବିଜେପି ମେଣ୍ଟ କରିଥିବା ବେଳେ ଏନସିପି ସହ କଂଗ୍ରେସର ମେଣ୍ଟ ହୋଇଛି।

ବିଜେପି ୧୫୨ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଶିବସେନା ୧୨୪ ଆସନରେ ପ୍ରାର୍ଥୀ ଦେଇଛି। ସେହିପରି କଂଗ୍ରେସ ୧୪୫ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଏନ୍‌ସିପି ୧୨୩ ଆସନରେ ପ୍ରାର୍ଥୀ ଦେଇଛି।

ଆସନ୍ତା ୨୧ ତାରିଖରେ ମହାରାଷ୍ଟ୍ର ଭୋଟର ଭୋଟ ଦେବେ। ୨୪ରେ ଜଣାପଡ଼ିବ କାହା ଉପରେ ଭରସା କରିଛନ୍ତି ମହାରାଷ୍ଟ୍ର ଭୋଟର।

Comment